– ବନ୍ତାରା’ର ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକୁ ନିରୀକ୍ଷଣ କଲେ ପ୍ରଧାନମନ୍ତ୍ରୀ
– ନିଜ ହାତରେ ବାଘ, ସିଂହ ଏବଂ ଗଣ୍ଡା ଶାବକଙ୍କୁ କ୍ଷୀର ପିଆଇଲେ
ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜରାଟର ଜାମନଗରରେ ଅବସ୍ଥିତ ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ର ଉଦ୍ଘାଟନ କରିଛନ୍ତି। ବନ୍ତାରାରେ ପହଞ୍ଚିବା ପରେ, ପୁରା ଅମ୍ବାନୀ ପରିବାର ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ଶଙ୍ଖ ଧ୍ୱନି, ମନ୍ତ୍ର ଉଚ୍ଚାରଣ ଏବଂ ଲୋକକଳାକାରଙ୍କ ଗୀତ-ସଂଗୀତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନତାରାର ଉଦ୍ଘାଟନ କରିଥିଲେ। ୩,୦୦୦ ଏକର ପରିମିତ ବନ୍ତାରା’ରେ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ବିତାଇଥିଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ନିରୀକ୍ଷଣ କରିଥିଲେ।
ପ୍ରଧାନମନ୍ତ୍ରୀ ବନତାରାରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରଶଂସା କରିଥିଲେ। ମୋଦୀ ବନ୍ତାରାରା ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଅନନ୍ତ ଅମ୍ବାନୀ ଏବଂ ତାଙ୍କ ସହଯୋଗୀମାନଙ୍କର ସହାନୁଭୂତିଶୀଳ ପ୍ରୟାସକୁ ପ୍ରଶଂସା କରି ମୋଦୀ କହିଛନ୍ତି ଯେ ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ବନ୍ୟପ୍ରାଣୀ କଲ୍ୟାଣକୁ ପ୍ରୋତ୍ସାହନ ଦେବା ସହିତ ବନତାରା ପ୍ରାଣୀମାନଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ ପ୍ରଦାନ କରିବା ଉଚ୍ଚ ପ୍ରଶଂସନୀୟ। ବନତାରା ଭଳି ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ, ଯାହା ଆମ ପୃଥିବୀରେ ବସବାସ କରୁଥିବା ଜୀବମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ଶହ ଶହ ବର୍ଷ ପୁରୁଣା ନୈତିକତାର ଏକ ଜୀବନ୍ତ ଉଦାହରଣ।
ଏହି ପରିପ୍ରେକ୍ଷୀରେ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, ବିରଳ ଏବଂ ଲୁପ୍ତପ୍ରାୟ ପ୍ରଜାତିର ମେଘୁଆ (କ୍ଲାଉଡେଡ଼) ଚିତାବାଘ ଶାବକମାନଙ୍କୁ ଦେଖିବା ସହ ପ୍ରଧାନମନ୍ତ୍ରୀ ମୋଦୀ ନିଜ ହାତରେ ଧଳା ସିଂହ, ବାଘ ଏବଂ ଗଣ୍ଡାର ଶାବକମାନଙ୍କୁ କ୍ଷୀର ପିଆଇଥିଲେ। ଏହାର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଅବସରରେ ବନ୍ତାରା ପରିସରରେ ନିର୍ମିତ ମନ୍ଦିରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ବନତାରାରେ ପ୍ରାଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ମଲ୍ଟି-ସ୍ପେଶାଲିଟି ହସ୍ପିଟାଲର ନିରୀକ୍ଷଣ କରିବା ସମୟରେ, ପ୍ରଧାନମନ୍ତ୍ରୀ ଡାଏଗ୍ନୋଷ୍ଟିକ୍ ସୁଟ୍ରେ ସିଟି ସ୍କାନ, ଏମ୍ଆର୍ଆଇ, ଅଲଟ୍ରାସାଉଣ୍ଡ ଏବଂ ଏଣ୍ଡୋସ୍କୋପି ଭଳି ସ୍ୱତନ୍ତ୍ର ଚିକିତ୍ସା ଉପକରଣର ଲାଇଭ୍ ପ୍ରଦର୍ଶନ ଦେଖିଥିଲେ। ସେ ପଶୁମାନଙ୍କ ପାଇଁ ନିର୍ମିତ ଆଇସିୟୁ ଏବଂ ଅପରେସନ ଥିଏଟର ପ୍ରତି ମଧ୍ୟ ଆଗ୍ରହ ଦେଖାଇଥିଲେ। ନିକଟରେ ଜନ୍ମ ନେଇଥିବା ନବଜାତ ପଶୁ ଶାବକଙ୍କ ପାଇଁ ବନ୍ତାରାରେ ଏକ ନର୍ସରୀ ମଧ୍ୟ ସ୍ଥାପନ କରାଯାଇଥିବା ବେଳେ ଏହାକୁ ବୁଲି ଦେଖିଛନ୍ତି।
ପ୍ରଧାନମନ୍ତ୍ରୀ ଅନେକ ବିପଦଜନକ ପଶୁଙ୍କୁ ନିକଟରୁ ମଧ୍ୟ ଦେଖିଥିଲେ। ଏଥିମଧ୍ୟରେ ରହିଥିଲେ ସୁନେଲି ବାଘ, ଧଳା ସିଂହ ଏବଂ ହିମ (ତୁଷାର) ଚିତାବାଘ ଇତ୍ୟାଦି। ବିଶାଳ ବନ୍ତାରାରେ ପ୍ରତ୍ୟେକ ପଶୁକୁ ନିଜର ଆବଶ୍ୟକତା ହିସାବରେ ଘର ମିଳିଛି। ପ୍ରାଣୀମାନଙ୍କୁ ସିଂହ ରାଜ୍ୟ, ସରୀସୃପ ରାଜ୍ୟ, ସିଲ୍ ରାଜ୍ୟ, ଚିତା ପ୍ରଜନନ କେନ୍ଦ୍ର ଭଳି ଅନେକ କେନ୍ଦ୍ରଗୁଡିକରେ ରଖାଯାଇଛି। କିନ୍ତୁ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛି ହାତୀମାନଙ୍କ ପାଇଁ ପ୍ରାୟ ୧ ହଜାର ଏକର ପରିସରରେ ନିର୍ମିତ ଗଜନଗରୀ। ଏଠାରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା କିମ୍ବା ଅସୁସ୍ଥ ହାତୀଙ୍କୁ ରଖାଯାଇଛି। ଅବହେଳା ଏବଂ ନିର୍ଯ୍ୟତନାର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍ତାରାରେ ବିଶ୍ୱସ୍ତରୀୟ ପଶୁଚିକିତ୍ସା ଏବଂ ଯତ୍ନ ମିଳୁଛି। ବନ୍ତାରାରେ ହାତୀଙ୍କ ପାଇଁ ବିଶ୍ୱର ସର୍ବବୃହତ ଡାକ୍ତରଖାନା ମଧ୍ୟ ରହିଛି। ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧା ମଧ୍ୟ ରହିଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଉଦ୍ୟମରେ ବନ୍ତାରା ନିର୍ମାଣ କରାଯାଇଛି। ବନ୍ତାରା ହେଉଛି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏକ କେନ୍ଦ୍ର। ଏହି କେନ୍ଦ୍ରରେ ଏସୀୟ ସିଂହ, ହିମ ଚିତାବାଘ, ଏକ-ଶିଙ୍ଗିଆ ଗଣ୍ଡା ଭଳି ପ୍ରାଣୀମାନଙ୍କ ସଂରକ୍ଷଣ କରାଯାଉଛି।










