15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପୁଣି ଭିସା ନିୟମ ବଦଳାଇଲା ଆମେରିକା

ପୁଣି ଭିସା ନିୟମ ବଦଳାଇଲା ଆମେରିକା

ୱାଶିଂଟନ୍‌: ଆମେରିକା ଏବେ ନିଜ ଭିସା ନିୟମରେ ପୁଣି କେତେକ ପରିବର୍ତ୍ତନ କରିଥିବା ସୂଚନା ମିଳିଛି । ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି । ଏହି ନିୟମ ଅନ୍ତର୍ଗତ ଏଣିକି ଏଫ୍‌, ଏମ୍ ଏବଂ ଜେ’ ବର୍ଗର ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟର ଗୋପନୀୟତା ସେଟିଂସ ‘ସାର୍ବଜନୀନ’ କରିବାକୁ ପଡିବ । ଏହାର ଉଦ୍ଦେଶ୍ୟ ହେଉଛି ଭିସା ଆବେଦନକାରୀଙ୍କ ପରିଚୟକୁ ଭଲ ଭାବରେ ଯାଞ୍ଚ କରିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା । ଏହି ନୂତନ ନିୟମ ତତ୍କାଳ ଲାଗୁ କରାଯାଇଛି । ଏନେଇ ଆମେରିକା ଦୂତାବାସ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି । ସାଧାରଣତଃ ବିଦେଶୀ ନାଗରିକମାନଙ୍କୁ ଏଫ୍‌, ଏମ୍ ଏବଂ ଜେ’ ବର୍ଗର ଭିସା ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥାଏ । ଏଫ୍‌’ ଭିସା ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉଥିବା ବେଳେ ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କୁ ଏମ୍‌’ ଭିସା ଏବଂ ଏକ୍ସଚେଞ୍ଜ ଭିଜିଟର, ରିସର୍ଚ୍ଚର ଓ ଇଣ୍ଟର୍ଣ୍ଣମାନଙ୍କୁ ଜେ’ ଭିସା ପ୍ରଦାନ କରାଯାଇଥାଏ । ଯଦିଓ ଆମେରିକା ଯାତ୍ରା କରିବା ପାଇଁ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଭିସା ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଅନେକ ଛାତ୍ର, କାର୍ଯ୍ୟରତ ବୃତ୍ତିଗତ ଏବଂ ପର୍ଯ୍ୟଟକଙ୍କୁ ଆମେରିକା ଯିବାର ଯୋଜନା ପରିବର୍ତ୍ତନ କରିବାକୁ ପଡ଼ିପାରେ । ଏହା ବ୍ୟତୀତ ସୋସିଆଲ ମିଡିଆକୁ ସାର୍ବଜନୀନ କରିବାର ନିୟମ ଅନେକ ଲୋକଙ୍କ ଗୋପନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇପାରେ ।

ଆମେରିକା ଦୂତାବାସ ଭାରତ ସୋସିଆଲ ମିଡିଆ ପ୍ଲାଟଫର୍ମ ଦର୍ଶାଇଛି ଯେ, ପ୍ରତ୍ୟେକ ଭିସା ଆବେଦନ ଏକ ଜାତୀୟ ସୁରକ୍ଷା ନିଷ୍ପତ୍ତି । ଆମେରିକା ୨୦୧୯ ମସିହାରୁ ଭିସା ଆବେଦନ ଫର୍ମରେ ସୋସିଆଲ ମିଡିଆ ୟୁଜରନେମ ମାଗୁଛି, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ କରାଯାଇଛି । ଯାହା ଦ୍ୱାରା ଆବେଦନକାରୀଙ୍କ ସମ୍ପୂର୍ଣ୍ଣ ତଦନ୍ତ କରାଯାଇପାରିବ । ଆବେଦନକାରୀଙ୍କ ସମ୍ପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ । ଏହା ସହିତ ଆମେରିକା କହିଛି ଯେ ସେମାନେ ସମସ୍ତ ଉପଲବ୍ଧ ସୂଚନା ଯାଞ୍ଚ ପରେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଲୋକମାନେ ଆମେରିକା ଆସିପାରିବେ ନାହିଁ ।

ସୂଚନାଯୋଗ୍ୟ, ଆମେରିକା ଏବେ ନିଜ ଭିସା ସମ୍ପର୍କିତ ସୁରକ୍ଷା ଏବଂ ତଦନ୍ତ ପ୍ରକ୍ରିୟାକୁ ନିରନ୍ତର କଡ଼ାକଡ଼ି କରିବାକୁ ଚେଷ୍ଟା କରୁଛି । ଏହା ପୂର୍ବରୁ ଜୁନ ୯ ରେ ମଧ୍ୟ ଆମେରିକା ୧୨ ଟି ଦେଶର ନାଗରିକଙ୍କୁ ଆମେରିକାର ଭିସା ଦେବା ଉପରେ ସମ୍ପୂର୍ଣ୍ଣ ନିଷେଧ କରିଛି । ଏହି ୧୨ ଟି ଦେଶର ତାଲିକାରେ ଆଫଗାନିସ୍ତାନ, ମିଆଁମାର, ଚାଡ, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ଅନ୍ତର୍ଭୁକ୍ତ । ସେହିପରି ଅନ୍ୟ ୭ଟି ଦେଶ ପାଇଁ ମଧ୍ୟ କିଛି ଭିସା ବର୍ଗରେ କଡ଼ା ନିୟମ ଲାଗୁ କରାଯାଇଛି । ଏଥିରେ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିଓନ, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ । ତେବେ ଆମେରିକା ଏହି ପଦକ୍ଷେପ ସେହି ଦେଶଗୁଡ଼ିକ ବିଷୟରେ ନେଇଛି ଯାହାକୁ ସେ ତାର ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ବୋଲି ବିବେଚନା କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking