ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମୈଦଲପୁର ପଞ୍ଚାୟତ କୁସୁମଖୁଣ୍ଟା ଗ୍ରାମର ଜଣେ ପ୍ରସୂତିଙ୍କୁ ଅଧା ବାଟ ଖଟିଆରେ ବୁହିବା ପରେ ଅଟୋରେ ମେଡିକାଲ୍ ଅଣାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମର ଡମଣି ପ୍ରଧାନୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଉକ୍ତ ରାସ୍ତାରେ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି କହିବାରୁ ଅଟୋ ଡାକିଥିଲେ। ମାତ୍ର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ଗର୍ଭବତୀଙ୍କ ଘରେ ଅଟୋ କିମ୍ବା ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ଡମଣି ଘରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ପରେ ଘର ନିକଟରେ ଅଟୋ ପହଞ୍ଚି ନପାରିବାରୁ ଅଧା ବାଟ ଖଟିଆରେ ପ୍ରସୂତି ମାଆଙ୍କୁ ଗ୍ରାମବାସୀଙ୍କ ସାହାଯ୍ୟରେ ବହି ଆଣି ଅଟୋରେ ବସାଇ ମୈଦଲପୁର ମେଡିକାଲ୍ ଅଣାଯାଇଥିଲା। ସୂଚନାଥାଉକି ଏହି ଗାଁ ମୈଦଲପୁରଠାରୁ ପ୍ରାୟ ଆଠ କିମି ଦୂରରେ ଅବସ୍ଥିତ। ପ୍ରାୟ ୫ କିମି ରାସ୍ତା ଅତି ଶୋଚନୀୟ ରହିଥିବାରୁ ଗାଡ଼ି ଯିବା ସମ୍ଭବ ନୁହେଁ। ଜଙ୍ଗଲ ମଧ୍ୟରେ ଗାଁ ଥିବାରୁ ପଥୁରିଆ ରାସ୍ତା ରହିଛି। ରାସ୍ତାର ଅବସ୍ଥା ଠିକ୍ ନଥିବା ସମୟରେ ଗର୍ଭବତୀ ହେଉ କି ଅନ୍ୟ ରୋଗୀଙ୍କୁ ଖଟିଆରେ ବୋହି ଆଣି ମେଡିକାଲ୍ ନେଉଥିବା ଗ୍ରାମବାସୀ କହିଛନ୍ତି। ତେଣୁ ପ୍ରଶାସନ ଦୃଷ୍ଟିଦେଇ ଏହି ଗାଁକୁ ଏକ ପକ୍କା ସଡ଼କ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।









