25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ନାହାନ୍ତି ଅମ୍ବାନୀ, ଅଦାନୀ

ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ନାହାନ୍ତି ଅମ୍ବାନୀ, ଅଦାନୀ

ନୂଆଦିଲ୍ଲୀ: ହୁରୁନ୍ ଗ୍ଲୋବାଲ୍ ରିଚ୍‌-୨୦୨୫ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତି (ପୁରୁଷ)ଙ୍କ ତାଲିକା ପ୍ରକାଶ ପାଇଛି। ତେବେ ଭାରତର ସବୁଠାରୁ ଧନୀ ବ୍ୟବସାୟୀ ଭାବେ ପରିଗଣିତ ହେଉଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ, ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଋଣ ବୃଦ୍ଧି ଯୋଗୁ ତାଙ୍କର ସମ୍ପତ୍ତି ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏହି କାରଣରୁ ସେ ବିଶ୍ୱର ୧୦ଜଣ ବିତ୍ତଶାଳୀ ବିଲୟନାରୀଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିପାରିନାହାନ୍ତି। ତେବେ ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୮ତମ ସ୍ଥାନରେ ଅଛନ୍ତି ଏବଂ ତାଙ୍କର ସମ୍ପତ୍ତି ୯୧.୮ ବିଲିଅନ ଡଲାର ରହିଥିବା ହୁରୁନ୍ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଭାରତର ଅନ୍ୟତମ ଶିଳ୍ପପତି ତଥା ବ୍ୟବସାୟୀ ଗୌତମ ଅଦାନୀଙ୍କ ସମ୍ପତ୍ତି ଗତ ବର୍ଷକ ମଧ୍ୟରେ ୧ଲକ୍ଷ କୋଟି ଟଙ୍କା (୧୩% ବୃଦ୍ଧି) ଯାଏ ବୃଦ୍ଧି ପାଇଥିବା ବେଳେ ତାଙ୍କ ସମ୍ପତ୍ତି ପରିମାଣ ୫୩.୫ ବିଲିଅନ ଡଲାର ଛୁଇଁଛି। ଏହି ସମ୍ପତ୍ତି ସହିତ ତାଲିକାର ୨୭ ନମ୍ବରରେ ସ୍ଥାନରେ ଅଦାନୀ ରହିଛନ୍ତି। ଅନ୍ୟପକ୍ଷେ ଏଚ୍‌ସିଏଲ୍ ଅଧ୍ୟକ୍ଷା ରୋଶନୀ ନାଦାର କିନ୍ତୁ ହୁରୁନ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦ ଧନୀ ମହିଳାଙ୍କ ମଧ୍ୟରେ ୫ମ ସ୍ଥାନ ପାଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ତାଲିକାରେ ସାମିଲ ହେବାରେ ସେ ପ୍ରଥମ ଭାରତୀୟ ମହିଳା ସାଜିଛନ୍ତି। ସେ ବିଶ୍ୱର ପଞ୍ଚମ ସର୍ବାଧିକ ଧନୀ ମହିଳା ହୋଇଥିବା ବେଳେ ତାଙ୍କର ସମ୍ପତ୍ତିର ମୂଲ୍ୟ ୩.୫ ଲକ୍ଷ କୋଟି ଟଙ୍କା ରହିଥିବା ହୁରୁନ୍ ଦର୍ଶାଇଛି।

ହୁରୁନ୍ ରିପୋର୍ଟ ଅନୁସାରେ ଭାରତରେ ବିଲିଅନାରୀଙ୍କ ସଂଖ୍ୟା ଗତ ୧ ବର୍ଷ ମଧ୍ୟରେ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇ ମୋଟ୍ ୨୮୪ରେ ପହଞ୍ôଚଛି। ସେହିପରି ଏହି ବିଲିୟନାରୀଙ୍କ ମୋଟ୍ ସମ୍ପତ୍ତି ଆଧାରରେ ପ୍ରତ୍ୟେକ ଭାରତୀୟ ବିଲିଅନାରୀଙ୍କ ପାଖରେ ହାରାହାରି ୩୪,୫୧୪ କୋଟି ଟଙ୍କାର ସମ୍ପତ୍ତି ରହିଛି। ସବୁଠୁ ବଡ଼ କଥା ହେଉଛି ଗତ ୧ ବର୍ଷ ମଧ୍ୟରେ ଭାରତରେ ୪୦ ବର୍ଷରୁ କମ୍ ବିଲିଅନାରୀଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଅଧିକାଂଶ ଯୁବ ବିଲଅନାରୀମାନେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହରର ବୋଲି ହୁରୁନ୍ ନିଜ ରିପୋର୍ଟରେ ଦର୍ଶାଇଛି। ଭାରତରେ ସବୁଠୁ କମ୍ ବୟସ୍କ ବିଲିଅନାରୀଙ୍କ ମଧ୍ୟରେ ଶଶାଙ୍କ କୁମାର ଏବଂ ହର୍ଷିଲ୍ ମାଥୁର (ଉଭୟ ରେଜରପେ’ ପ୍ରତିଷ୍ଠାତା) ରହିଥିବା ବେଳେ ଏମାନଙ୍କ ସମ୍ପତ୍ତିର ପରିମାଣ ୮୬୪୩ କୋଟି ଲେଖାଏ ରହିଛି।

ହୁରୁନ୍ ଗ୍ଲୋବାଲ୍ ରିଚ୍‌-୨୦୨୫ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତି (ପୁରୁଷ)ଙ୍କ ତାଲିକାରେ ୧ ନଂ ସ୍ଥାନ ଟେସଲା କମ୍ପାନୀ ମାଲିକ ଏଲନ ମସ୍କ ବଜାୟ ରଖିଥିବା ବେଳେ ତାଙ୍କ ସମ୍ପତ୍ତି ପରିମାଣ ଆଶ୍ଚର୍ଯ୍ୟଜନକ ଭାବରେ ୮୨% ଅର୍ଥାତ୍ ୧୮୯ ବିଲିୟନ ଡଲାର ବୃଦ୍ଧି ପାଇ ୪୨୦ ବିଲିୟନ ଡଲାର ରହିଥିବା ଦର୍ଶାଯାଇଛି। ସେହିପରି ଏହି ତାଲିକାର ୨ୟ ସ୍ଥାନରେ ଆମାଜନ୍ ମୁଖ୍ୟ ଜେଫ ବେଜୋସ୍ (୨୬୬ ବିଲିଅନ ଡଲାର) ରହିଥିବା ବେଳେ ୩ୟ ସ୍ଥାନରେ ମେଟା ମୁଖ୍ୟ ମାର୍କ ଜୁକର ବର୍ଗ (୨୪୨ ବିଲିଅନ୍ ଡଲାର) ରହିଛନ୍ତି। ୪ର୍ଥ ସ୍ଥାନରେ ଓରାକେଲ ମୁଖ୍ୟ ଲାରି ଏଲିସନ୍ (୨୦୩ ବିଲିଅନ ଡଲାର), ୫ମରେ ବର୍କଶାୟାର ହାଥାୱେ ମୁଖ୍ୟ ୱାରେନ ବଫେଟ୍ (୧୬୭ ବିଲିଅନ ଡଲାର), ୬ଷ୍ଠରେ ଆଲ୍‌ଫାବେଟ୍ ମୁଖ୍ୟ ଲାରି ପେଜ୍ (୧୬୪ ବିଲିଅନ ଡଲାର), ୭ମରେ ଏଲ୍‌ଭିଏମ୍‌ଏଚ୍ ମୁଖ୍ୟ ବର୍ଣ୍ଣାର୍ଡ ଆର୍ନଲ୍ଟ (୧୫୭ ବିଲିୟନ ଡଲାର), ୮ମରେ ଷ୍ଟିଭ୍ ବଲ୍ମର୍ଟ (୧୫୬ ବିଲିଅନ ଡଲାର), ୯ମରେ ସର୍ଗେ ବ୍ରିନ୍ ଆଲ୍‌ଫାବେଟ୍ (୧୪୮ ବିଲିଅନ ଡଲାର), ୧୦ମରେ ବିଲ ଗେଟ୍ସ (୧୪୩ ବିଲିଅନ ଡଲାର) ସ୍ଥାନ ପାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking