ସୁନ୍ଦରଗଡ଼: ସୁନ୍ଦରଗଡ: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ରାସ୍ତାରୋକ। ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗରେ ରାସ୍ତାରୋକ କରାଯାଇଛି । ଏହାକୁ ନେଇ ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାନ୍ଦିନୀ ଛକ ନିକଟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ସକାଳୁ ସନ୍ଧ୍ୟା ଯାଏଁ କ୍ଲାସ କରି ମାନସିକ ନିର୍ଯ୍ୟାତନା ଦିଆଯାଉଛି । ବାରମ୍ବାର ହଷ୍ଟେଲ ୱାର୍ଡେନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ବି ଶୁଣି ନ ଥିଲେ ବୋଲି ଛାତ୍ରୀମାନେ କହିଛନ୍ତି । ଶେଷରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀମାନେ ଆଜି ବାଲିଶଙ୍କରା ଛକରେ ଛାତ୍ରୀମାନେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରେ ଧାରଣାରେ ବସି ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି । ସୁନ୍ଦରଗଡ଼ରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ସ୍ଥାନୀୟ ଜିଲ୍ଲାମଙ୍ଗଳ ଅଧିକାରୀ, ବିଡିଓ, ତହସିଲଦାର ଓ ତଳସିରା ଥାନା ପୋଲିସ ଧାରଣା ସ୍ଥଳରେ ପହଁଚି ଆନ୍ଦୋଳନରତ ଛାତ୍ରୀମାନଙ୍କୁ ବୁଝାସୁଝା କରିଛନ୍ତି । କିନ୍ତୁ ଛାତ୍ରୀ ଜିଲ୍ଲାପାଳଙ୍କୁ ଘଟଣା ସ୍ଥଳକୁ ଆସିବାକୁ କହିଛନ୍ତି । ଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେଲେ ସେମାନେ ଧାରଣାରୁ ଉଠିବେ ବୋଲି କହିଛନ୍ତି ।