କଟକ: ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକମାନଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ -ଇନ୍-ଏଡ୍ ଦରମା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ଶହ ଆବେଦନକାରୀ ଶିକ୍ଷକ,ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ଆଦେଶ ପ୍ରଦାନ କରିଛନ୍ତି । ଉକ୍ତ ଆଦେଶ ଫଳରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ ଉପକୃତ ହେବେ । ସୂଚନାଥାଉକି ରାଜ୍ୟ ସରକାର ୧୯୯୪ ମସିହାରେ ଏକ ଆଇନ ପ୍ରଣୟନ କରିଥିଲେ । ତଦନୁଯାୟୀ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ୍ -ଇନ୍-ଏଡ୍ ଲାଗୁ କରିଥିଲେ । ଏହି ଆଇନ ଅନୁଯାୟୀ ଜଣେ ଶିକ୍ଷକ ବା ଅଧ୍ୟାପକ ୫ବର୍ଷ ଚାକିରି କରିବା ପରେ ମୋଟ୍ ଦରମାର ୩ଭାଗରୁ ଗୋଟେ ଭାଗ ପାଉଥିଲେ । ସେହିପରି ୭ବର୍ଷ ଚାକିରି ପୂରଣ କଲେ ତିନି ଭାଗରୁ ଦୁଇ ଭାଗ ଦରମା ପାଉଥିଲେ । ଅନ୍ୟପକ୍ଷରେ ୯ବର୍ଷ ଚାକିରି ପୂରଣ କଲେ ସମ୍ପୂର୍ଣ୍ଣ ଦରମା ପାଇବାର ବ୍ୟବସ୍ଥା ରହିଥିଲା । ତେବେ ୨୦୦୪ ମସିହାରେ ରାଜ୍ୟ ସରକାର ୧୯୯୪ ନିୟମକୁ ଉଚ୍ଛେଦ କରି ଗ୍ରାଣ୍ଟ-ଇନ୍-ଏଡ୍ ପରିବର୍ତ୍ତେ ବ୍ଲକ୍ ଗ୍ରାଣ୍ଟ୍ ଲାଗୁ କରିଥିଲେ ।
ତଦନୁଯାୟୀ ଜଣେ ଶିକ୍ଷକ ତଥା ଅଧ୍ୟାପକଙ୍କୁ ସରକାର ମୋଟ୍ ଦରମାର ୪୦% ପ୍ରଦାନ କରିବେ । ତେବେ ବାକି ଅର୍ଥ ପରୀଚାଳନା ପରିଷଦ ପ୍ରଦାନ କରିବେ । ୨୦୦୮ ମସିହାରେ ରାଜ୍ୟ ସରକାର ୬୬୨ଟି ମହାବିଦ୍ୟାଳୟକୁ ବ୍ଲକ୍ ଗ୍ରାଣ୍ଟ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏପରି ନିୟମକୁ ବିରୋଧ କରି ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣ (ସାଟ୍)ରେ ଏକାଧିକ ଆବେଦନ ହୋଇଥିଲା ସାଟ୍ ମାମଲାର ବିଚାର କରି ବ୍ଲକ୍ ଗ୍ରାଣ୍ଟ୍ ବଦଳରେ ଗ୍ରାଣ୍ଟ -ଇନ୍-ଏଡ୍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ସରକାର ଏହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରି ୧୯୯୪ ଆଇନ ଉଚ୍ଛେଦ ହୋଇଯାଇଥିବାରୁ ଆଉ ଗ୍ରାଣ୍ଟ-ଇନ୍-ଏଡ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକ, ଅଧ୍ୟାପକଙ୍କ ମଧ୍ୟରେ ସମାନ କାମ ପାଇଁ ପୃଥକ୍ ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ରାୟ ପ୍ରଦାନ କରିଥିଲେ । ଫଳରେ ଯେଉଁମାନେ ୧୯୯୪ ନିୟମ ଆଧାରରେ ଆବେଦନ କରିଛନ୍ତି ସେମାନଙ୍କ କଥାକୁ ବିଚାରକୁ ନେଇ ରାଜ୍ୟ ସରକାର ଗ୍ରାଣ୍ଟ -ଇନ୍-ଏଡ୍ ପ୍ରଦାନ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।