17.1 C
Bhubaneswar
Tuesday, December 9, 2025
Homeଓଡିଶାରାହୁଲ ଗାନ୍ଧୀଙ୍କର ଓଡ଼ିଶାଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା ଉପରେ ଉତ୍ତର ରଖିଲା ଅଖିଳ ଭାରତ ଯୁବ...

ରାହୁଲ ଗାନ୍ଧୀଙ୍କର ଓଡ଼ିଶାଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା ଉପରେ ଉତ୍ତର ରଖିଲା ଅଖିଳ ଭାରତ ଯୁବ କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶର ଜନସମୁଦ୍ରକୁ ଦେଖି ବିଜେପି ସରକାର ଭୟଭୀତ ହୋଇପଡ଼ିଛି ବୋଲି ରାଷ୍ଟ୍ରୀୟ ଯୁବ କଂଗ୍ରେସ ଗଣମାଧ୍ୟମ ବିଭାଗର ସଂଯୋଜକ ଶ୍ରୀ ସୁଦିପ ସାମଲ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଏହି ସମାବେଶରେ କେବଳ କଂଗ୍ରେସ କର୍ମୀ ନଥିଲେ, ଏଥିରେ ଓଡ଼ିଶାର ଉପେକ୍ଷିତ, ନିର୍ଯ୍ୟାତିତ ଓ ଅତ୍ୟାଚାରିତ ଜନତା ଅଂଶଗ୍ରହଣ କରିଥିଲେ । ଅନିୟନ୍ତ୍ରିତ ମହିଳା ଅତ୍ୟାଚାର, ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅମାନୁଶିକ ଆକ୍ରମଣ, ଦଳିତ, ଆଦିବାସୀ ଓ ଓବିସି ବର୍ଗର ଲୋକମାନଙ୍କୁ ଉପେକ୍ଷା ଓ ଅତ୍ୟାଚାରକୁ ପ୍ରତିବାଦ କରି ଓଡ଼ିଶାର କୋଣ ଅନୁକୋଣରୁ ଲୋକେ ମାଡ଼ିଆସିଥିଲେ ରାହୁଲଜୀଙ୍କ ସମାବେଶରେ ଅଂଶଗ୍ରହଣ କରିବାପାଇଁ । ଏ ସମାବେଶ ଥିଲା ଓଡ଼ିଶାର ଅବହେଳିତ ଜନତାର ସମବେତ ସ୍ୱର ।

ରାହୁଲ ଗାନ୍ଧୀ ତାଙ୍କର ଅଭିଭାଷଣରେ ଓଡ଼ିଶା ଓ କେନ୍ଦ୍ର ସରକାରର ଅସଲ ରୂପକୁ ପଦାରେ ପକାଇଦେଇଛନ୍ତି । ଏ ଦୁଇ ସରକାରର ନିର୍ଦ୍ଦେଶ ଏବଂ
ପୃଷ୍ଠପୋଷକ ଆଦାନୀ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି । ଅନ୍ୟପକ୍ଷରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ଓଡ଼ିଶା ସରକାରଙ୍କ ବିଫଳତାକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ବିଜେପି ସରକାରର ବିଫଳତା, ଦୁର୍ନିତୀକୁ ରାହୁଲ ଗାନ୍ଧୀଙ୍କ ଶାଣିତ ଭାଷାରେ ଆକ୍ରମଣକୁ ସହ୍ୟ ନକରିପାରି ବିଜେପି ପକ୍ଷରୁ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି ତାହାକୁ ଓଡ଼ିଶାର ଜନସାଧାରଣ ନିନ୍ଦା କରୁଛନ୍ତି । ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଓଡ଼ିଶାରେ କଂଗ୍ରେସର ସ୍ଥାନ ନାହିଁ । ମନମୋହନ ସାମଲ ଏ କଥା କହିବାପୂର୍ବରୁ ଟିକିଏ ଇତିହାସକୁ ମନେପକାଇବା ଉଚିତ । ସ୍ୱାଧୀନତା ପରଠାରୁ ହୀରାକୁଦ ଡ୍ୟାମ, ପାରାଦ୍ୱୀପ ବନ୍ଦର, ରାଜଧାନୀ ଭୁବନେଶ୍ୱର, ରାଉରକେଲା ଷ୍ଟିଲ ପ୍ଲାଂଟ, ନାଲକୋ ଠାରୁ ଆରମ୍ଭ କରି ଓଡ଼ିଶାର ସମସ୍ତ ଅଗ୍ରଣୀ ଶିଳ୍ପ, ଜଳସେଚନ, ଶିକ୍ଷ୍ୟାବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା କଂଗ୍ରେସ ଛଡ଼ା କରିଛି କିଏ? ଓଡ଼ିଶାର ଖଣି ଖାଦାନ ଆଦାନୀ ଓ ଅନ୍ୟ ବିଜେପିର ପ୍ରିୟ ଶିଳ୍ପପତିମାନଙ୍କୁ ବିକୁଛି କିଏ? ଓଡ଼ିଶାରେ ୯୦ ପ୍ରତିଶତ ଅଣଓଡ଼ିଆ ଠିକାଦାରଙ୍କୁ କାମ କରିବାକୁ ସୁଯୋଗ ଦେଇଛି କିଏ? ଏଣୁ ଓଡ଼ିଶାକୁ ଲୁଟ୍‌କରୁଥିବା ଦଳର ସ୍ଥାନ ଓଡ଼ିଶାରେ ଅଛି ଓ ନବଉତ୍କଳକୁ ନିର୍ମାଣ କରିଥିବା ଯିଏକି କଂଗ୍ରେସ ଦଳ ତାର ସ୍ଥାନ ଓଡ଼ିଶାରେ ନାହିଁ, ଏଣୁ ମନମୋହନ ସାମଲଙ୍କ ବିବୃତି ହାସ୍ୟାସ୍ପଦ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗକୁ ଚଳାଇବାରେ ଅକ୍ଷମ ବୋଲି ସାରା ଦେଶ ଜାଣିଛି । ରଥଯାତ୍ରାରେ ଦଳାଚକଟାରେ ୩ ଜଣ ମରିବା ଓ ୫୦ ଜଣ ଆହତ ହେବା ଏବଂ ଆଦାନୀ ପାଇଁ ରଥଟଣା ବନ୍ଦ ହୋଇଯିବା ଘଟଣାକୁ ସମଗ୍ର ବିଶ୍ୱ ନିନ୍ଦା କରୁଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ କହିଲେ ରଥଯାତ୍ରାକୁ ସଫଳ ଭାବେ ପରିଚାଳନା କରାଯାଇଛି । ଅନ୍ୟପକ୍ଷରେ ମୋଦି ଦବ ୩୦୦ ୟୁନିଟ ମାଗଣା ବିଜୁଳି କହି ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ଭୋଟ ମାଗୁଥିଲେ ଏବେ ସ୍ମାର୍ଟ ମିଟର ବିଜୁଳି ଖାଉଟିଙ୍କୁ ଶୋଷଣ କରାଯାଉଛି । ତେଣୁ ଲୋକଙ୍କ ସହ କିଏ ଛଳନା କରୁଛି ଧର୍ମେନ୍ଦ୍ର ପ୍ରଧାନ ନା ରାହୁଲ ଗାନ୍ଧୀ ।

ଏହାର ଜବାବ ଲୋକ ଦେବେ । ଉପ ମୁଖ୍ୟମନ୍ତ୍ରୀ କେଭିସିଂ ଦେଓ କହିଲେ କଂଗ୍ରେସ ଦଳିତ, ଚାଷୀ ଓ ଆଦିବାସୀ ବିରୋଧି । କଳା କୃଷି ଆଇନ କରି ମୋଦି ସରକାର ସାରା ଦେଶର ଚାଷୀଙ୍କର ସର୍ବସ୍ୱାନ୍ତ କରିବାପାଇଁ ଷଡ଼ଯନ୍ତ୍ର କରିଥିଲେ ତାକୁ ପ୍ରତିବାଦ କରି ଭାରତରେ ୭୦୦ ଚାଷୀ ମୃତ୍ୟୁବରଣ କଲେ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଲକ୍ଷ୍ମୀପୁର ଖେରିଠାରେ ଆନ୍ଦୋଳନରତ ୮ ଜଣ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟାକଲେ । ଓଡ଼ିଶାରେ ବିଜେପି ସରକାରରେ ନିକଟରେ ଧରାକୋଟ ଠାରେ ଦୁଇଜଣ ଦଳିତ ଲୋକଙ୍କୁ ଗୈରିକ ସଂଗଠନର ସଭ୍ୟମାନେ ଅର୍ଦ୍ଧଲଣ୍ଡିତ କଲେ, ଘାସ ଖୁଆଇଲେ, ଡ୍ରେନପାଣି ପିଆଇଲେ, ଦୁଇକିଲୋମିଟର ଆଣ୍ଠେଇ ଆଣ୍ଠେଇ ଯିବାକୁ ବାଧ୍ୟ କଲେ ଏବଂ ପଶୁପରି ମାଡ଼ ମାରିଲେ । ରେମୁଣାରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଧର୍ମାନ୍ତିକରଣର ମିଥ୍ୟା ଅଭିଯୋଗରେ ଗୈରିକ ସଂଗଠନର ସଭ୍ୟମାନେ ଗଛରେ ବାନ୍ଧିଲେ, ନିର୍ମମ ପ୍ରହାର କଲେ ଏବଂ ମୁହଁରେ କାଦୁଅ ବୋଳିଲେ । ଏଣୁ କେଭିସିଂହ ଦେଓ କହିବା ପୂର୍ବରୁ ଟିକିଏ ଭାବିବା ଦରକାର କଂଗ୍ରେସ ଦଳିତ, ଆଦିବାସୀ ଓ ଚାଷୀ ବିରୋଧି ନା ବିଜେପି? ବିଜେପି ସାଂସଦ ସୁରେଶ ପୁଜାରୀ କଳାଚଷମା ପିନ୍ଧିଲେ ସବୁ କଳା ଦେଖାଯାଏ ବୋଲି କହିଛନ୍ତି । କଳା ଚଷମା ପିନ୍ଧିଛି କିଏ? ଦେଶରେ ଗଣତନ୍ତ୍ରକୁ ହତ୍ୟାକରି ବିରୋଧିଙ୍କ ଉପରେ ଇଡି, ସିବିଆଇର ଆକ୍ରମଣ, ଭୋଟ ଚୋରି, ନିର୍ବାଚନ କମିଶନଙ୍କୁ ସଂପୂର୍ଣ୍ଣ ଦଖଲ, ରାଷ୍ଟ୍ରର ସମ୍ପତ୍ତିକୁ ପ୍ରିୟ ଶିଳ୍ପପତିମାନଙ୍କୁ ଟେକିଦେବା ଘଟଣାକୁ କଂଗ୍ରେସ ନେତୃତ୍ୱ ବିନା ଚଷମାରେ ଦେଖୁଛନ୍ତି । କଳା ଚଷମା କଂଗ୍ରେସ ପିନ୍ଧନି । ବିଜେପି କଳା ଚଷମା ପିନ୍ଧି ଏଭଳି କଳାକାରନାମା କରୁଛି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଲେ କଂଗ୍ରେସ ସମ୍ବିଧାନକୁ ଧର୍ଷଣ କରିଥିଲା । ଏ ଦେଶର ସମ୍ବିଧାନ ଗଠନରେ କଂଗ୍ରେସ ଦଳର ପ୍ରମୁଖ
ଭୂମିକା ରହିଛି । କଂଗ୍ରେସ ଦଳ ସବୁବେଳେ ସମ୍ବିଧାନର ନିୟମ ମାନେ । ଜୟନାରାୟଣ ମିଶ୍ର କେବେହେଲେ ସମ୍ବିଧାନକୁ ମାନନ୍ତି ନାହିଁ । ବନ୍ଦେଉତ୍କଳ
ଜନନୀ ତାଙ୍କ ପାଟିରେ ପଶେ ନାହିଁ । ମହିଳା ପୋଲିସଙ୍କୁ ସେ ଦୁବ୍ୟର୍ବହାର କରନ୍ତି । ଥାନା ପୋଡ଼ି ଦେବାକୁ ଧମକ ଦିଅନ୍ତି । ବିଜେପି ଦଳରେ ତାଙ୍କର ସ୍ଥାନ କ’ଣ ସେ ଆତ୍ମ ସମୀକ୍ଷା କରନ୍ତୁ । ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଶାନ୍ତିରେ ବଞ୍ôଚବା ପାଇଁ ଦିଆଯାଉ ନାହିଁ । ମହିଳାମାନଙ୍କର ଅତ୍ୟାଚାର ଦିନକୁ ଦନ ବଢ଼ି ଚାଲିଛି । ଯୁବ, ଛାତ୍ର, ମହିଳା, ଚାଷୀ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ପାଉନଥିବା ବେଳେ କଂଗ୍ରେସ ସମ୍ବିଧାନକୁ ଧର୍ଷଣ କରିଛି ବୋଲି କହିବା ଜୟନାରାୟଣ ମିଶ୍ରଙ୍କ ବାଚଳାମି ଛଡ଼ା ଆଉ କିଛି ନୁହେଁ ବୋଲି ଶ୍ରୀ ସାମଲ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking