20.1 C
Bhubaneswar
Thursday, February 12, 2026
Homeଓଡିଶାହବିଷିଆଳି ଶିବିରରେ ଉତ୍ତେଜନା

ହବିଷିଆଳି ଶିବିରରେ ଉତ୍ତେଜନା

ପୁରୀ: ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି। ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଗାଳିମନ୍ଦ କରିଛନ୍ତି। ପ୍ରବଳ ପାଟିତୁଣ୍ଡ ଓ ନାରାବାଜି କରିଛନ୍ତି। ବୃନ୍ଦାବତୀନିବାସ ଫାଟକକୁ ଠେଲାପେଲା କରିବା ସହ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି।

ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏଣୁ ହବିଷିଆଳିମାନେ ଗତକାଲିଠାରୁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି। ପୂର୍ବରୁ ୩ହଜାରରୁ ଅଧିକ ହବିଷିଆଳି ବିଭିନ୍ନ ଶିବିରରେ ରହୁଥିଲେ। କିନ୍ତୁ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ହବିଷିଆଳି ଯୋଜନାରେ ଜିଲ୍ଲା ପ୍ରଶାସନ ୨୫ଶହ ଲୋକଙ୍କ ରହିବା ବ୍ୟବସ୍ଥା କରିଛି। ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣମଣ୍ଡପ ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଗୃହରେ ଖୋର୍ଦ୍ଧା ଜିଲ୍ଲାର ହବିଷିଆଳି ଏବଂ ବୃନ୍ଦାବତୀନିବାସରେ ବାକି ୨୯ଟି ଜିଲ୍ଲାର ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି।

ଅନ୍ୟପଟରେ ହବିଷିଆଳି ଯୋଜନାରେ ରହିବାକୁ ସାରା ରାଜ୍ୟରୁ ୩୬ରୁ ଅଧିକ ବ୍ରତଧାରୀମାନେ ନାମ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ କାଣ୍ଟଛାଣ୍ଟ କରି ୨୫ଶହଙ୍କୁ ରହିବା ବ୍ୟବସ୍ଥା କରାଯାଇଛି ଓ ବାକି ପ୍ରାୟ ୧୧ଶହ ଆବେଦନପତ୍ରକୁ ନାକଚ କରାଯାଇଛି। ହେଲେ ନାକଚ ହୋଇଥିବା କିଛି ଆବେଦନକାରୀ ବିଭିନ୍ନ ଶିବିରରେ ପହଞ୍ଚିଛନ୍ତି।

ଏଥିସହ ବିନା ପଞ୍ଜୀକରଣରେ ଆଜି ୫ଶହରୁ ଅଧିକ ବୃଦ୍ଧା ବ୍ରତଧାରୀ ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜିଦ୍‌ ଧରିଛନ୍ତି। ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦାୟିତ୍ବରେ ଥିବା ଅଧିକାରୀମାନେ ଏହି ବୃଦ୍ଧାମାନଙ୍କୁ ବୁଝାଇ ବୁଝାଇ ନାକେଦମ୍‌ ହୋଇଛନ୍ତି। ତଥାପି ସେମାନେ ବୁଝିବାକୁ ନାରାଜ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବୃନ୍ଦାବତୀନିବାସରେ ପ୍ରାୟ ୧୬୧୮ଜଣ ହବିଷିଆଳି ରହିବାର ବ୍ୟବସ୍ଥା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking