28.1 C
Bhubaneswar
Thursday, June 12, 2025
Homeଓଡିଶାହିଡମା ଠାରୁ ଏକେ-୪୭ ରାଇଫଲ୍, ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ: ଏସପି

ହିଡମା ଠାରୁ ଏକେ-୪୭ ରାଇଫଲ୍, ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ: ଏସପି

କୋରାପୁଟ:  ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ ସଫଳତା ମିଳିଛି । ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ମାଓବାଦୀ ହିଡମା ଓରଫ ମୋହନ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ପୋଲିସ ତା ନିକଟରୁ ଗୋଟିଏ AK-47 ରାଇଫଲ୍, ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କି.ଗ୍ରା. ଗନ ପାଉଡର୍, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।

ଏସପି ଶ୍ରୀ ବର୍ମାଙ୍କ ସୂଚନା ମୁତାବକ, ୨୮ ମଇ, ୨୦୨୫ ରାତିରେ ବୈପାରୀଗୁଡା ଥାନା ଅଧୀନ ପେଟଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏସଡିପିଓ ଜୟପୁର ଶ୍ରୀ ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଡିଭିଏଫ ଯବାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢାଉ ଆରମ୍ଭ ହୋଇଥିଲା। ଘଟଣା ସ୍ଥଳରେ ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ ଆରମ୍ଭ କରି ଡିଭିଏଫ ଟିମ ଉପରେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ଡିଭିଏଫ ଦଳ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ପୋଲିସ ହାବୁଡରେ ପଡିଯାଇଥିଲା ବୋଲି ଏସପି ଶ୍ରୀ ବର୍ମା ସୂଚନା ଦେଇଛନ୍ତି ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ରେ ଛତିଶଗଡର ଚାନ୍ଦମେଟା, ୨୦୨୩ରେ କୋଲେଙ୍ଗଡବା, ୨୦୨୦ରେ ଓଡିଶାର କୋଣ୍ଡାଝରି, ଏବଂ ୨୦୨୧ରେ କୁମ୍ଭିଖରିରେ ହୋଇଥିବା ମାଓବାଦୀ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା। ଏହା ସହ ଓଡିଶାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାରେ ୪ଟି ମାମଲା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ୩ଟି ମାମଲା ରହିଛି। ଏହାବ୍ଯତୀତ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ହିଡମା ଜଡିତ ଥିବାର ପୋଲିସ ସୂଚନା ପାଇଛି ।

ମୋହନ ୨୦୦୭ ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମାଓବାଦୀଙ୍କ ସାଂସ୍କୃତିକ ଶାଖା ବାଲ୍ ସଂଘମ୍ ଏବଂ ଜନନାଟ୍ୟ ମଣ୍ଡଳୀ (JNM)ରେ ସାମିଲ ହୋଇଥିଲେ। ୨୦୧୩ ରୁ ୨୦୧୫ ମଧ୍ୟରେ ସେ ଉସୁର ଲୋକାଲ୍ ଅର୍ଗାନାଇଜେସନ୍ ସ୍କ୍ବାଡ୍ (LOS) ଅଧୀନରେ ଜଣେ ଦଳୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ୨୦୧୬ରେ ସେ ଆନ୍ଧ୍ର-ଓଡିଶା ବର୍ଡର (AOB) ପ୍ଲାଟୁନରେ କାର୍ଯ୍ୟ କରିବା ସହ ୨୦୧୯ରେ ତାଙ୍କୁ ACM ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ୨୦୨୧ ରୁ ୨୦୨୨ ପର୍ଯ୍ୟନ୍ତ ତାଙ୍କୁ AOB ପ୍ଲାଟୁନ୍ ସେକ୍ସନ୍ -୦୧ ରେ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ମସିହାରେ ତାଙ୍କୁ ସୁକମା ଜିଲ୍ଲା ଅନ୍ତର୍ଗତ କେରଲାପାଲ ଅଞ୍ଚଳରେ ପ୍ଲାଟୁନ-୨୪କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୨୦୨୪ ମସିହାରେ, ସେ ଅସ୍ଥାୟୀ ଭାବରେ ପ୍ଲାଟୁନ-୨୬କୁ ସ୍ଥାନାନ୍ତରିତ ହୋଇ ସୁକମାର ମାଲେନଗିରି ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ସେ ୨୦୨୫ ମସିହା ମେ ମାସରେ AOB ୟୁନିଟକୁ ଫେରି ଆସି ଛତିଶଗଡ଼ର ଦକ୍ଷିଣ ବସ୍ତର ଏବଂ କେରଲାପାଲ ଅଞ୍ଚଳରେ ସୁରେଶ (SZCM)ଙ୍କ ଅଧୀନରେ ACM ଭାବରେ କାର୍ଯ୍ୟ କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking