ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର କେତେକ ଅଞ୍ଚଳରେ ଉତ୍ତେଜନା ବଢ଼ୁଥିବାରୁ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ ଅଭିବ୍ ସହରକୁ ବିମାନ ଉଡ଼ାଣକୁ ତୁରନ୍ତ ସ୍ଥଗିତ ରଖିଛି । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସେମାନେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ତେଲ୍ ଆଭିବକୁ କନଫର୍ମ ବୁକିଂ କରିଥିବା ଯାତ୍ରୀଙ୍କୁ ଏୟାରଲାଇନ୍ସ ପକ୍ଷରୁ ରିଫଣ୍ଡ ବା ଭଡ଼ା ଫେରସ୍ତ କରାଯାଉଛି । ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି । ସୂଚନାଯୋଗ୍ୟ ଯେ, ଇରାନରେ ହାମାସ ମୁଖ୍ୟ ଇସ୍ମାଇଲ ହାନିଆଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।
ଏହାର ପ୍ରତିଶୋଧ ନେବାକୁ ଇରାନ ଘୋଷଣା କରିଛି । ଅନ୍ୟପକ୍ଷରେ ଆମେରିକୀୟ ଗଣମାଧ୍ୟମ ସଂସ୍ଥା ଆକ୍ସିଓସ୍ ଦାବି କରିଛି ଯେ ଆମେରିକା ଓ ଇସ୍ରାଏଲ ଅଧିକାରୀଙ୍କ କହିବା ଅନୁଯାୟୀ ଇରାନ ଯେକୌଣସି ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ । ଏହାର ମୁକାବିଲା କରିବା ପାଇଁ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଫୋର୍ସର ମୁଖ୍ୟ ଜେନେରାଲ ମାଇକେଲ କୁରେଲା ମଧ୍ୟ ତେଲ ଆଭିବରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ବିପଦକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟପ୍ରାଚ୍ୟରେ ଅସ୍ତ୍ରଶସ୍ତ୍ର ମୁତୟନ ବଢ଼ାଇଛି । ପେଣ୍ଟାଗନ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଏବଂ ଇସ୍ରାଏଲରେ ମୁତୟନ ଥିବା ଆମେରିକୀୟ ସୈନିକଙ୍କ ସୁରକ୍ଷା ପାଇଁ ନୂଆ ଲଢୁଆ ବିମାନ, ବିନାଶକାରୀ ଏବଂ ବିମାନବାହୀ ଜାହାଜ ପଠାଯାଉଛି ।