30.1 C
Bhubaneswar
Sunday, March 22, 2026
Homeଓଡିଶାଜଙ୍ଗଲ ନିଆଁ ଚିହ୍ନଟ କରିବ ଏଆଇ କ୍ୟାମେରା

ଜଙ୍ଗଲ ନିଆଁ ଚିହ୍ନଟ କରିବ ଏଆଇ କ୍ୟାମେରା

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଅତ୍ୟାଧୁନିକ ଏଆଇ କ୍ୟାମେରା। ନିଆଁ ଲାଗିବା ମାତ୍ରେ ୩ ରୁ ୫ ମିନିଟ ମଧ୍ୟରେ ଖବର ପାଇବ ବନ ବିଭାଗ। ଖବର ପାଇବା ମାତ୍ରେ ତତ୍କାଳ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରିବ। ଅତ୍ୟାଧୁନିକ ଏଆଇ କ୍ୟାମେରା ୨୦ କିଲୋମିଟର ଦୂରରୁ ସଠିକ ନିଆଁ ତଥ୍ୟ ଦେଇ ପାରିବ। ଶିମିଳିପାଳ ଜଙ୍ଗଲରେ ୫ଟି ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜା ଯାଇଥିବା ବେଳେ ସାତକୋଶିଆ, ଅନୁଗୁଳ ଢେଙ୍କାନାଳ ଜଙ୍ଗଲରେ ଆଉ ୬ଟି ଅତ୍ୟାଧୁନିକ ଇଓ କ୍ୟାମେରା ଲଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୂର୍ବରୁ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଦୁଇଟି ସାଟେଲାଇଟ୍ ମାଧ୍ୟମରେ ଦିନକୁ ୪ ଥର ଜଙ୍ଗଲ ନିଆଁ ଖବର ପଠାଉଥିଲେ। ନିଆଁ ଲାଗିବାର ୩ରୁ ୬ ଘଣ୍ଟା ମଧ୍ୟରେ ଖବର ମିଳୁଥିଲା। କିନ୍ତୁ ଅତ୍ୟାଧୁନିକ ଏଆଇ କ୍ୟାମେରାକୁ କେବଳ ୫ ମିନିଟ ସମୟ ଲାଗି । ଏଆଇ କ୍ୟାମେରା ପ୍ରାକୃତିକ ନିଆଁ ଓ କୃତ୍ରିମ ଲାଇଟ ମଧ୍ୟରେ ଥିବା ପ୍ରଭେଦକୁ ଜାଣି ପାରୁଥିବାରୁ ନିଆଁ ସମ୍ପର୍କିତ ବାସ୍ତବ ତଥ୍ୟ ବନ ବିଭାଗ ପାଇବ। ଏବେ ରାଜ୍ୟର ଜଙ୍ଗଲରେ ନିଆଁ ଅଳ୍ପ ଲାଗିବା ଆରମ୍ଭ ହୋଇଛି। ମାର୍ଚ୍ଚ ଓ ଏପ୍ରିଲରେ ଏହା ପିକ୍‌ରେ ପହଞ୍ଚିଥାଏ। ଫେବ୍ରୁଆରୀ ମାସ ସରି ମାର୍ଚ୍ଚ ମାସ ଆରମ୍ଭ ହେଲାଣି।

ଏପଟେ ଜଙ୍ଗଲରେ ନିଆଁ ଲାଗିବା ମଧ୍ୟ ଆରମ୍ଭ ହୋଇଗଲାଣି। ଜଙ୍ଗଲ ନିଆଁ ଘଟଣାରେ ଭାରତ ବର୍ଷରେ ସବୁଠୁ ଉପରେ ରହିଥିଲା ଓଡିଶା। ହେଲେ ଜଙ୍ଗଲ ନିଆଁକୁ କିଭଳି ଭାବରେ ଆୟତ୍ତ କରାଯିବ ସେନେଇ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ୨୦୨୨ ମସିହାରେ ଜଙ୍ଗଲ ମଧ୍ୟରେ ୨୧ ହଜାର ୯୯୬ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୬,୪୫୯ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ମିଳିଛି। ଏହା ସହ ୨୮,୭୫୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିବା ବେଳେ ୨୬,୩୪୮ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା। ୨୦୨୩ ମସିହାରେ ଜଙ୍ଗଲ ମଧ୍ୟରେ ୨୯,୨୦୫ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୭,୫୦୮ ସ୍ଥାନରେ ନିଆଁ ଲାଗିଥିଲା ତଥ୍ୟ ଦିଆଯାଇଛି । ୨୦୨୩ରେ ନିଆଁକୁ ଆୟତ୍ତ କରିବା ୯୮.୯୩ ପ୍ରତିଶତ ରହିଥିବାବେଳେ ୯୫୫୦.୮୬ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି। ୨୦୨୪ ମସିହାରେ ଜଙ୍ଗଲ ମଧ୍ୟରେ ୧୭,୦୧୪ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୫୮୫୪ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ଦିଆଯାଇଛି। ୨୨,୮୬୮ ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨,୮୩୭ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା।

ନିଆଁକୁ ଆୟତ୍ତ କରିବା ୯୯. ୮୬ ପ୍ରତିଶତ ରହିଥିବାବେଳେ ୪୦୬୭.୦୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି। ୨୦୨୫ ମସିହା ଫେବୃଆରୀ ୨୬ ତାରିଖ ସୁଦ୍ଧା ଜଙ୍ଗଲ ମଧ୍ୟରେ ୧୪୩୬ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୧୩୭୭ ସ୍ଥାନରେ ନିଆଁ ଲାଗିଥିଛି। ୨୮୧୩ ସ୍ଥାନରେ ନିଆଁର ସନ୍ଧାନ ମିଳିଥିବାବେଳେ ୨୮୦୨ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏଥିଯୋଗୁଁ ୯୦୮.୬୬ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି । ଫେବୃଆରୀ ୨୮ ତାରିଖରେ ସାରା ଓଡିଶା ଜଙ୍ଗଲରେ ୧୭୪ ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ୧୨୭ ପଏଣ୍ଟରେ ଏହାକୁ ଆୟତ୍ତ କରାଯାଇଛି । ଏପଟେ ୪୭ ପଏଣ୍ଟରେ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ । ୨୦୨୫ ଜାନୁଆରୀ ୧ ତାରିଖଠାରୁ ୨୬ ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ୨୧୮୩ ପଏଣ୍ଟରେ ନିଆଁ ଲାଗିଛି। ଜଙ୍ଗଲ ନିଆଁ ପ୍ରଶମନ ପାଇଁ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆକ୍ସନ ପ୍ଲାନ ତିଆରି ସରିଛି। ପୂର୍ବରୁ ଥିବା ୧୬ ହଜାର କିଲୋମିଟର ପୁରୁଣା ଫାୟାର ଲାଇନକୁ ସଜଡ଼ା ଯିବା ସହ ଆଉ ୧୫ ହଜାର କିଲୋମିଟର ନୂଆ ଫାୟାର ଲାଇନ ସୃଷ୍ଟି କରାଯାଇଛି।

୩୩୪ ଫାୟାର ଫାଇଟିଂ ସ୍କ୍ୱାଡ ନିୟୋଜନ କରାଯାଇଛି। ରିଅଲ ଟାଇମ୍ ଆଧାରରେ ନିଆଁ ଆଲର୍ଟ ପାଇଁ ବିଟ୍ ସ୍ତର ପର୍ଯ୍ୟନ୍ତ ୬ ହଜାର ୭୦୦ ମୋବାଇଲ ପଞ୍ଜିକୃତ ହୋଇଛି। ମହୁଲ ଫୁଲ ସଂଗ୍ରହ ପାଇଁ ଅନେକ ସମୟରେ ଲୋକମାନେ ମହୁଲ ଗଛ ତଳେ ନିଆଁ ଲଗାଇ ଦେଉଥିବାରୁ ଏଥର ଅନେକ ସ୍ଥାନରେ ମହୁଲ ଗଛ ତଳେ ନେଟ୍ ଲଗାଯାଇଛି। ଯାହା ଫଳରେ କି ଲୋକମାନେ ନେଟରୁ ହିଁ ମହୁଲ ଫୁଲ ସଂଗ୍ରହ କରିବେ ଓ ନିଆଁ ଲଗାଇବେ ନାହିଁ ବୋଲି କହିଛନ୍ତି ପୂର୍ବତନ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ। ଅପରପକ୍ଷେ ଚଳିତବର୍ଷ କୋରାପୁଟରେ ମଧ୍ୟ ବନାଗ୍ନି ରୋକିବା ଲାଗି ଅଗ୍ନି ନିରୋଧକ ମଞ୍ଚା ପ୍ରସ୍ତୁତ କରାଯାଇଛି। ପୋଡୁ ଚାଷରୁ ଦୂରେଇ ରହିବା ସହ ଜଙ୍ଗଲକୁ କିପରି ସୁରକ୍ଷା ଦେବା ସେନେଇ ବନାଞ୍ଚଳ ନିର୍ବାପକ ବାହିନୀ ଗଠନ କରାଯିବା ସହିତ ଏସଏଚଜି ମହିଳାମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଉଛି । ଜଙ୍ଗଲକୁ ନିଆଁ ଦାୟୁରୁ ରକ୍ଷା କରିବା ପାଇଁ ପ୍ରତି ୫ କିଲୋମିଟର ଭିତରେ ଅଗ୍ନି ନିରୋଧକ ମଞ୍ଚା’ନିର୍ମାଣ କରିଛି କୋରାପୁଟ ବନ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking