ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଆଇସିଏମଆର ଅଡିଟୋରିୟମ ହଲରେ ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ୱାଧୱାନୀ ଏଆଇ, ଆଇସିଏମଆର- ଆରଏମଆରସି ଭୁବନେଶ୍ୱର ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଙ୍କ ମିଳିତ ସହଭାଗୀତାରେ “ଶିଶୁ ମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ” ଶୀର୍ଷକ ଏକ ପାଞ୍ଚ ଦିନିଆ ତାଲିମ ତଥା କର୍ମଶାଳା ଉଦଘାଟନ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିଏମଆର – ଆରଏମଆରସି, ଭୁବନେଶ୍ୱର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ଜାତୀୟ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ସ୍ନେହା ନିକମ, ଆଇସିଏମଆର – ଆରଏମଆରସି, ଭୁବନେଶ୍ୱର ର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ୱାଧୱାନୀ ଏଆଇର ମୁଖ୍ୟ ଡକ୍ଟର ମକରନ୍ଦ ତପସ୍ଵୀ, ରାଜ୍ୟ ମହିଳା ଓ ଶିଶୁ ବିକାଶର ଅତିରିକ୍ତ ସଚିବ ଶ୍ରୀ ଏନ.ସି. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଆନ୍ଥରୋପୋମୋଟିକ ତଥା ଓଜନ ଓ ଉଚ୍ଚତା ମାପ କରାଯିବା ସହ ଶିଶୁମାନଙ୍କର କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ । ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ । ଏହି ପାଞ୍ଚଦିନିଆ ତାଲିମ ତଥା କର୍ମଶାଳାରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକୋଲ ବ୍ୟବହାର କରି ଶିଶୁମାନଙ୍କ ଓଜନ ଓ ଉଚ୍ଚତା ସୂଚକ ମାପ କରିବା ଉପରେ ବ୍ୟାପକ ତାଲିମ ପାଇବେ । ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚିଉଟ ଅଫ ନ୍ୟୁଟ୍ରିସନ(ଏନଆଇଏନ), ଆଇସିଏମଆର – ଆରଏମଆରସି ଭୁବନେଶ୍ୱର ଏବଂ ୱାଧୱାନୀ ଏଆଇ ର ବିଶେଷଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ ତାଲିମ ପ୍ରଦାନ କରିବେ । ତାଲିମ ପରେ, କ୍ଷେତ୍ର ଅନୁସନ୍ଧାନକାରୀ ମାନେ ପାଇଲଟ୍ କାର୍ଯ୍ୟକ୍ରମ ର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକାରିତା ପାଇଁ ବାଲେଶ୍ଵର, କଟକ, ଗଞ୍ଜାମ, ଯାଜପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୩-୪ ମାସ ଧରି ତଥ୍ୟ ସଂଗ୍ରହ ଓ ଆକଳନ କରିବେ ।