14.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶଅହମଦାବାଦ୍ ପ୍ଲେନ୍ କ୍ରାସ୍ ଘଟଣା: ମୃତ ପାଇଲଟ୍‌ଙ୍କ ବାପାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି

ଅହମଦାବାଦ୍ ପ୍ଲେନ୍ କ୍ରାସ୍ ଘଟଣା: ମୃତ ପାଇଲଟ୍‌ଙ୍କ ବାପାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ଅହମଦାବାଦ ଏୟାର ଇଣ୍ଡିଆ ବିମାନ (ବୋଇଂ ୭୮୭ ଡ୍ରିମଲାଇନର) ଦୁର୍ଘଟଣାରେ ସୁପ୍ରିମକୋର୍ଟ ମୃତ ପାଇଲଟ୍ ଇନ୍ କମାଣ୍ଡ୍ ସୁମିତ୍ ସବରୱାଲ୍‌ଙ୍କ ବାପା ପୁଷ୍କରରାଜ୍‌ଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ପୁଷ୍କରରାଜ୍‌ଙ୍କୁ କହିଛନ୍ତି, ବିମାନ ଦୁର୍ଘଟଣା ଘଟଣାରେ ତାଙ୍କ ପାଇଲଟ୍ ପୁଅଙ୍କର କୌଣସି ଦୋଷ ଥିବା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ। ପ୍ରାଥମିକ ତଦନ୍ତ ରିପୋର୍ଟରୁ ବିମାନ ଦୁର୍ଘଟଣା ପାଇଁ ସୁମିତ୍‌ଙ୍କ ବିପକ୍ଷରେ କୌଣସି ପ୍ରମାଣ ମିଳିନାହିଁ। ସୁତରାଂ ସେ (ପୁଷ୍କରରାଜ) ଏବଂ ତାଙ୍କ ପରିବାର ମଧ୍ୟ ନିଜ ଉପରକୁ ଅଧିକ ଚାପ ନେବା କିମ୍ବା ଭାରାକ୍ରାନ୍ତ ହେବାର କୌଣସି ଆବଶ୍ୟକତା ନାହିଁ।

ପ୍ରକାଶ, ୯୧ ବର୍ଷୀୟ ପୁଷ୍କରରାଜ ବିମାନ ଦୁର୍ଘଟଣା ପାଇଁ ନିଜ ମୃତ ପାଇଲଟ୍ ପୁଅ ସୁମିତ୍ ସବରୱାଲ୍‌ଙ୍କୁ ଦାୟୀ କରାଯାଉଥିବା ତାଙ୍କ ପରିବାରକୁ ଗଭୀର ମାନସିକ ଆଘାତ ଦେଉଥିବା ଦର୍ଶାଇ ନ୍ୟାୟ ପାଇବା ପାଇଁ ତଥା ବିମାନ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନରେ ପୁଷ୍କର ରାଜ ଅଭିଯୋଗ କରିଛନ୍ତି କି, ଏପର୍ଯ୍ୟନ୍ତ ଦୁର୍ଘଟଣାର ତଦନ୍ତ ନିରପେକ୍ଷ ହୋଇନାହିଁ। ବୈଷୟିକ ତ୍ରୁଟିକୁ ଅଣଦେଖା କରାଯାଉଥିବା ବେଳେ ସବୁ ଦୋଷ ତାଙ୍କ ମୃତ ପୁଅ ଉପରେ ଲଦିବାକୁ ଚେଷ୍ଟା କରାଯାଉଛି। ପୁଷ୍କରରାଜଙ୍କ ଭଳି ଭାରତୀୟ ପାଇଲଟ୍ ମହାସଂଘ ମଧ୍ୟ ସମାନ ଦାବି ସହିତ ଏକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରୁଛନ୍ତି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ରେ ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ଏହିକ୍ରମେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି ସମୟରେ କେନ୍ଦ୍ର ସରକାର ଏବଂ ସିଭିଲ ଏଭିଏସନ ନିୟାମକ (ଡିଜିସିଏ)ଙ୍କ ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କରିଛନ୍ତି। ଏଥିରେ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବିମାନ ଦୁର୍ଘଟଣା ପାଇଁ ବିନା ପ୍ରମାଣରେ ପାଇଲଟ୍‌-ଇନ୍‌-କମାଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ। ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ସୂଚନାଯୋଗ୍ୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଦ୍ୱାରା ପ୍ରସ୍ତୁତ ଏହି ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଗତ ଜୁଲାଇ ମାସରେ ସାମ୍ନାକୁ ଆସିଥିଲା। ଏଥିରେ ଉଡ଼ାଣ ଆରମ୍ଭ ହେବାର ୯୦ ସେକେଣ୍ଡ ପରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ଗୁଡ଼ିକ ଗୋଟିଏ ପରେ ଗୋଟିଏ ‘କଟଅଫ୍‌’ କରାଯିବା ଯୋଗୁ ଉଭୟ ଇଞ୍ଜିନ୍‌କୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଥିଲା ବୋଲି ଦର୍ଶାଯାଇଛି। ସେହିପରି ଯଦିଓ ପ୍ରାୟ ୧୦ ସେକେଣ୍ଡ ପରେ ସ୍ୱିଚଗୁଡ଼ିକୁ ପୁନଃ ଚାଲୁ କରାଯାଇଥିଲା, କିନ୍ତୁ ସେତେବେଳେ ଇଞ୍ଜିନଗୁଡ଼ିକରେ ନିଆଁ ଲାଗିସାରିଥିଲା ଯାହା ଫଳରେ ଏତେବଡ଼ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପ୍ରକାର ଏକ ରିପୋର୍ଟ ଆସିବା ପରେ ବିମାନର ପାଇଲଟ୍‌-ଇନ୍‌-କମାଣ୍ଡ୍ ଥିବା ସୁମିତ୍‌ଙ୍କୁ କେତେକାଂଶରେ ଦୋଷାରୋପ କରାଯାଉଛି। ପ୍ରକାଶ, ଏହି ଦୁର୍ଘଟଣାରେ, ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତ୍ୟୁସଂଖ୍ୟା ୨୭୫କୁ ବୃଦ୍ଧି ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking