13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଅହମଦାବାଦ ବିମାନ ଦୁର୍ଘଟଣା ମାମଲା: ଏଏଆଇବି ତଦନ୍ତ ରିପୋର୍ଟ ସାର୍ବଜନୀନ, କଟ୍‌ଅଫ୍ ମୋଡ୍‌କୁ ଆସିଯାଇଥିଲା ଇନ୍ଧନ...

ଅହମଦାବାଦ ବିମାନ ଦୁର୍ଘଟଣା ମାମଲା: ଏଏଆଇବି ତଦନ୍ତ ରିପୋର୍ଟ ସାର୍ବଜନୀନ, କଟ୍‌ଅଫ୍ ମୋଡ୍‌କୁ ଆସିଯାଇଥିଲା ଇନ୍ଧନ ସ୍ୱିଚ୍‌

– ହଠାତ୍ ବନ୍ଦ ହୋଇଯାଇଥିଲା ୨ଟି ଯାକ ଇଞ୍ଜିନ୍‌
– ତଦନ୍ତ ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ପକ୍ଷପାତିତା ପୂର୍ଣ୍ଣ: ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅହମଦାବାଦ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଇତି ମଧ୍ୟରେ ମାସେ ପୂରଣ ହୋଇଛି। ଜୁନ୍ ୧୨ ତାରିଖରେ ଘଟିଥିବା ଅହମଦାବାଦ ବିମାନ ଦୁର୍ଘଟଣାରେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ଅହମଦାବାଦରୁ ଲଣ୍ଡନ (ଗ୍ୟାଟ୍‌ୱିକ୍‌) ଯାଉଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ବିମାନ (ଭିଟି-ଏଏନ୍‌ବି), ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୨୩୦ ଯାତ୍ରୀ ଓ ୨ ପାଇଲଟ୍ ଏବଂ ୧୦ କ୍ର‌୍ୟୁ ସଦସଙ୍କ ସମେତ ମୋଟ୍ ୨୪୨ ଜଣ ଥିବା ବେଳେ ଦୁର୍ଘଟଣାରେ କେବଳ ଜଣଙ୍କୁ ଛାଡି ଦେଇ ବାକି ସମସ୍ତେ ଅର୍ଥାତ୍ ୨୪୧ଜଣ ପ୍ରାଣ ହରାଇଥିଲେ। ସେହିପରି ଦୁର୍ଘଟଣା ସ୍ଥଳରେ କିଛି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ଯାହାଫଳରେ ମୃତ୍ୟୁ ସଂଖ୍ୟା ୨୬୦କୁ ବୃଦ୍ଧି ପାଇଥିଲା ଏବଂ ୬୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ଆଜି ବି ମନେ ପଡିଲେ ଛାତି ଥରିଉଠେ। ତେବେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଘଟଣର ତଦନ୍ତ ରିପୋର୍ଟ ଆଜି ଅର୍ଥାତ୍ ଠିକ୍ ମାସକ ପରେ ସାମ୍ନାକୁ ଆସିଛି। ନିକଟରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ପକ୍ଷରୁ ୧୫ ପୃଷ୍ଠା ସମ୍ବଳିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିବା ବେଳେ ଆଜି ଏହାକୁ ସାର୍ବଜନୀନ କରାଯାଇଛି।
ଏଏଆଇବି ପକ୍ଷରୁ ଦାଖଲ ଏହି ତଦନ୍ତ ରିପୋର୍ଟ ଅନୁସାରେ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ କାରଣ ଭାବେ ବିମାନର ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯିବାକୁ ଦର୍ଶାଯାଇଛି। ବିମାନର ଉଭୟ ଇଞ୍ଜିନ୍‌କୁ ଇନ୍ଧନ ଅକସ୍ମାତ୍ ‘ରନ୍‌’ ମୋଡ୍‌ରୁ ‘କଟ୍‌ଅଫ୍‌’ ମୋଡ୍‌କୁ ଚାଲିଯିବାରୁ ଉଭୟ ଇଞ୍ଜିନ୍ ବନ୍ଦ ପଡ଼ିଯାଇଥିଲା ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଏଏଆଇବି ଦର୍ଶାଇଛି ଯେ, ବ୍ୟୁରୋକୁ ତଦନ୍ତ ସମୟରେ ବିମାନର କକ୍‌ପିଟ୍‌ରେ ଦୁଇ ପାଇଲଟ୍‌ଙ୍କ ମଧ୍ୟରେ ହୋଇଥିବା କଥୋପକଥନର ମଧ୍ୟ ରେକର୍ଡ ମିଳିଛି ଯାହାକୁ ପ୍ରମାଣ ଭାବେ ଉଲ୍ଲେଖ କରାଯାଉଛି।

ଏଏଆଇବି ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନରେ ମୁଖ୍ୟ ପାଇଲଟ୍ ଥିବା ସୁମିତ୍ ପାଇଲଟ୍ ଏବଂ କୋ ପାଇଲଟ୍ କ୍ଲାଇଭ୍ କୁନ୍ଦରଙ୍କ ମଧ୍ୟରେ ‘ଫୁଏଲ୍ କଟ୍ ଅଫ୍‌’ ମୋଡ୍ ସମ୍ପର୍କରେ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଆଲୋଚନା ହୋଇଥିଲା। ଉଭୟଙ୍କ ମଧ୍ୟରୁ କେହି ଜଣେ ଅନ୍ୟଜଣଙ୍କୁ ଫୁଏଲ୍ କଟ୍ ଅଫ୍‌’ ସ୍ୱିଚ୍ କାହିଁକି ବନ୍ଦ କରିଲ ବୋଲି ପ୍ରଶ୍ନ କରୁଥିବା ବେଳେ ଅନ୍ୟଜଣେ ଏପରି କରିନଥିବା କହିଥିଲେ। ତେବେ ଉଭୟ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ କେହି ଏହି ସ୍ୱିଚ୍‌କୁ ପୁନଃ ଅନ୍ କରିବା ପୂର୍ବକ ଇଞ୍ଜିନ୍ ପୁନଃଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲେ। ଗୋଟିଏ ଇଞ୍ଜିନ୍ ଷ୍ଟାର୍ଟ ହୋଇଥିଲେ ମଧ୍ୟ ୨ୟ ଇଞ୍ଜିନ୍ ଥ୍ରଷ୍ଟ ହରାଇବା ଯୋଗୁ ଷ୍ଟାର୍ଟ ହୋଇନଥିଲା। ଫଳରେ ଜରୁରୀକାଳୀନ ପାୱାର ସିଷ୍ଟମ (ଆର୍‌ଏଟି) ଏବଂ ଅକ୍ସିଲାରୀ ପାୱାର ୟୁନିଟ୍ ବା ଏପିୟୁ ମଧ୍ୟ ସ୍ୱୟଂଚାଳିତ ଭାବରେ ଚାଲୁ ହୋଇଯାଇଥିଲା। କିନ୍ତୁ ଏହା ବିମାନକୁ ସ୍ଥିର କରିପାରିନଥିଲା। ଏହି ସମୟରେ ବିମାନର ଗତି ହ୍ରାସ ପାଇବା ଆରମ୍ଭ କରିଥିଲା ଏବଂ ବିମାନ ତଳକୁ ଖସିବା ଆରମ୍ଭ କରିଥିଲା। ଯାହାଫଳରେ ପାଇଲଟ୍ ମେ ଡେ’ ବାର୍ତ୍ତା ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅନ୍ୟପକ୍ଷେ ଏଏଆଇବିର ଏପ୍ରକାର ତଦନ୍ତ ରିପୋର୍ଟ ଆସିବା ପରେ ଏହାକୁ ନେଇ ବିଶେଷଜ୍ଞ ଏବଂ ଦି ଏୟାରଲାଇନ୍ ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ( ଏଏଲ୍‌ପିଏ) ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଶେଷଜ୍ଞମାନେ ଏହାକୁ ଏକ ସୁଚିନ୍ତିତ ଆତ୍ମଘାତୀ ଘଟଣା ଅର୍ଥାତ୍ ପାଇଲଟ୍‌ଙ୍କ ତ୍ରୁଟିଗତ ବିମାନ ପରିଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବୋଲି କହିଥିବା ବେଳେ ଏଏଲ୍‌ପିଏ କିନ୍ତୁ ଏହି ରିପୋର୍ଟକୁ ଭର୍ତ୍ସନା କରିଛି। ଏଏଲ୍‌ପିଏ ଦର୍ଶାଇଛି ଯେ, ବିମାନ ଦୁର୍ଘଟଣା ପାଇଁ ପାଇଲ୍‌ଟ୍‌ଙ୍କୁ ଦାୟୀ କରାଯିବା, ସମ୍ପୂର୍ଣ୍ଣ ପକ୍ଷପାତିତାକୁ ସୂଚୀତ କରୁଛି। ଏପ୍ରକାର ତଦନ୍ତ ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଏଏଲ୍‌ପିଏ ପ୍ରତ୍ୟାଖ୍ୟାନ କରୁଛି ଏବଂ ଏକ ନିରପେକ୍ଷ, ତଥ୍ୟ-ଭିତ୍ତିକ ତଦନ୍ତ ଉପରେ ଜୋର ଦେଉଛି। ଏଏଲ୍‌ପିଏ ସଭାପତି ସାମ୍ ଥମାସ ଏକ ବିବୃତ୍ତିରେ କହିଛନ୍ତି ଯେ, ସଂଘ ପ୍ରକ୍ରିୟାରେ “ସ୍ୱଚ୍ଛତାର ଅଭାବ’ ସ୍ପଷ୍ଟ ପ୍ରତୀତ ହେଉଛି। “ତଦନ୍ତ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ଯୋଗ୍ୟ, ଅଭିଜ୍ଞ କର୍ମଚାରୀ – ବିଶେଷକରି ଲାଇନ ପାଇଲଟ୍‌ଙ୍କୁ ସାମିଲ କରାନଯିବା ବିଶ୍ୱସନୀୟତା ହ୍ରାସ କରିବା ସଦୃଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking