ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶର କୋଟି କୋଟି ଚାଷୀଙ୍କ ସମେତ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶା ଦେଖାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ମାସରୁ ଆରମ୍ଭ ହେଉଥିବା ୨୦୨୫-୨୬ ଖରିଫ ଋତୁରେ ଭାରତ ସମ୍ଭବତଃ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନୂତନ ରେକର୍ଡ ହାସଲ କରିବ, ଯାହା ସାଧାରଣଠାରୁ ଅଧିକ ମୌସୁମୀ ବର୍ଷାର ପୂର୍ବାନୁମାନ କାରଣରୁ ଆକଳନ କରାଯାଇଛି । ସେହିପରି ବିପୁଳ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଯୋଗୁ ଦେଶରେ ଦରଦାମ୍ ମଧ୍ୟ ଆଖିଦୃଶିଆ ଭାବେ ହ୍ରାସ ପାଇବ ବୋଲି ସେ କହିଛନ୍ତି ।
ଚୌହାନ୍ଙ୍କ କହିବାନୁସାରେ ନକଲି ଏବଂ ନିମ୍ନମାନର କୀଟନାଶକ ବିକ୍ରିକୁ ରୋକିବା ପାଇଁ ସରକାର କଠୋର ଆଇନ କାର୍ଯ୍ୟକାରୀ କରିବା ସହ ସନ୍ତୁଳିତ ସାର ବ୍ୟବହାର ପାଇଁ ମାଟି ସ୍ୱାସ୍ଥ୍ୟ କାର୍ଡର ଉନ୍ନତ କାର୍ଯ୍ୟକାରିତା ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଖରିଫ ବୁଣିବା ପୂର୍ବରୁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହାକି କୃଷି ଉତ୍ପାଦନ ବୃଦ୍ଧି ପାଇଁ ନୀତି ଏବଂ ଗବେଷଣା ଯୋଜନାକୁ ଉନ୍ନତ କରିବାରେ ସାହାଯ୍ୟ କରିବ । ଚୌହାନ କହିଛନ୍ତି, ଚାଲୁ ଅଭିଯାନ ଖରିଫ ଋତୁରେ କୃଷି ଉତ୍ପାଦନକୁ ଆହୁରି ବୃଦ୍ଧି କରିବାରେ ସାହାଯ୍ୟ କରିବ କାରଣ ସରକାର ଚାଷୀଙ୍କ ଚିନ୍ତାକୁ ସମାଧାନ କରିବାକୁ ଏବଂ ନୂତନ ପ୍ରଯୁକ୍ତି ଏବଂ ଅଭ୍ୟାସ ବିଷୟରେ ସେମାନଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଆଉ ଏକ ବଡ଼ ସୂଚନା ଦେଇ ସେ କହିଛନ୍ତି ଯେ, ୨୦୨୪-୨୫ ଖରିଫ ଋତୁରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ୧୬୮.୦୬ ନିୟୁତ ଟନରେ ଏକ ରେକର୍ଡ ସ୍ଥାପନ କରିଛି । ୨୦୧୪-୧୫ ତୁଳନାରେ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୩୧.୨୩ ପ୍ରତିଶତ ବୃଦ୍ଧି ପାଇଛି ।
କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଏବେ ଦେଶବ୍ୟାପୀ ୧୫ ଦିନିଆ ବିକଶିତ କୃଷି ଅଭିଯାନର ନେତୃତ୍ୱ ନେଉଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ସେ ଏବେ ରାଜ୍ୟ ରାଜ୍ୟ ପରିଦର୍ଶନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଟି ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌହାନ୍ କହିଛନ୍ତି ଯେ ସେ ଚାଷୀମାନଙ୍କଠାରୁ ଜାଣିଛନ୍ତି ଯେ କିଛି ଅଞ୍ଚଳରେ ବିଦ୍ୟମାନ ଫସଲ ଜାତିଗୁଡ଼ିକ ଉଭୟମାନ କୀଟଙ୍କ ପ୍ରତି ପ୍ରତିରୋଧ ସୃଷ୍ଟି କରିଛି । ଚାଷୀମାନେ ନକଲି କୀଟନାଶକ ବିଷୟରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମୂଲ୍ୟ ହ୍ରାସ ସମୟରେ ଅଧିକ ସୁରକ୍ଷା ଦାବି କରିଛନ୍ତି । ଏହି ମତାମତ ଆଧାରରେ ସ୍ୱଳ୍ପ, ମଧ୍ୟମ ଏବଂ ଦୀର୍ଘମିଆଦୀ କାର୍ଯ୍ୟକାରୀ ପାଇଁ ଗବେଷଣା ଯୋଜନା ଏବଂ ନୀତି ପ୍ରସ୍ତୁତ କରାଯିବ, ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ସହିତ ଜୁଲାଇରେ ଧାନ ଭଳି ଖରିଫ ଫସଲର ବୁଣିବା ଆରମ୍ଭ ହୁଏ । ଏହି ବର୍ଷ ମୌସୁମୀ ବର୍ଷା ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ୨୦୨୫ ମୌସୁମୀ (ଜୁନରୁ ସେପ୍େଟମ୍ବର) ପାଇଁ ସାଧାରଣଠାରୁ ଅଧିକ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି ।









