15.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ନଭେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ ହେବ

ରାଜ୍ୟରେ ନଭେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ ହେବ

ଭୁବନେଶ୍ୱର: ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି ହେକ୍ଟର ୨.୬୧ କିଲୋୱାଟକୁ ବୃଦ୍ଧି ପାଇଛି, ୨୦୩୬ ସୁଦ୍ଧା ଏହା ୩.୫୦ କିଲୋୱାଟ/ହେକ୍ଟର ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟର ହେବ ବୋଲି ଆକଳନ କରାଯାଇଛି ଏବଂ ତଦନୁଯାୟୀ ରୋଡ଼ମ୍ୟାପ ପ୍ରସ୍ତୁତ ହେଉଛି ।ଚଳିତ ଆର୍ଥିକ ବର୍ଷ ପାଇଁ, ଚାଷୀମାନଙ୍କୁ ୧୨୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବଣ୍ଟନ ପାଇଁ ₹୫୪୦ କୋଟିର ସବସିଡି ବଜେଟ୍ ସ୍ଥିର କରାଯାଇଛି। ଏଥିରେ, ସାଧାରଣ ବର୍ଗର ଚାଷୀମାନେ ୪୦% ସବସିଡି ପାଇବେ, ଅନୁସୂଚିତ ଜାତି/ ଜନଜାତି, ମହିଳା ଏବଂ କ୍ଷୁଦ୍ର ଚାଷୀମାନେ ୫୦% ସବସିଡି ପାଇବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ୭୫% ସବସିଡି ପାଇବାକୁ ହକଦାର୍, ଏବଂ FRA ପଟ୍ଟାଧାରୀମାନେ କୃଷି ଯନ୍ତ୍ରପାତି ଉପରେ ୯୦% ସବସିଡି ପାଇବାକୁ ହକଦାର୍ ଅଟନ୍ତି ।

ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ, ଗୋ ସୁଗମ ମାଧ୍ୟମରେ ଅନଲାଇନ୍ ଆବେଦନ, ସବସିଡିର ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (DBT), ଆଗୁଆ ଦେୟ ପାଇଁ ₹୫୦,୦୦୦ ପର୍ଯ୍ୟନ୍ତ ଇ-ରୁପି(e-RUPI) ଭାଉଚର ଓ ଉପକରଣଗୁଡ଼ିକର ଅନନ୍ୟ ଚିହ୍ନଟ ଏବଂ ଟ୍ରାସେବିଲିଟି ପାଇଁ SUIC କୋଡ୍ ସମେତ ଅନେକ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ ବିଳମ୍ବ ରୋକିବା ସହିତ ଚାଷୀମାନଙ୍କୁ ସହଜରେ ଉନ୍ନତ ମେସିନ୍ ପାଇବାରେ ସାହାଯ୍ୟ କରୁଛି।

ବୈଠକରେ ଉଦବୋଧନ ଦେଇ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ ସାରା ଓଡ଼ିଶାରେ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ ହେବ। ୪ ଗୋଟି ଆଞ୍ଚଳିକ ମେଳା (ସୋନପୁର, ମୟୂରଭଞ୍ଜ, ଗଜପତି ଓ ନବରଙ୍ଗପୁର), ୨୬ଟି ଜିଲ୍ଲାସ୍ତରୀୟ ମେଳା ଏବଂ ୨୮ଟି ଉପଖଣ୍ଡସ୍ତରରେ ମେଳା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମଗୁଡ଼ିକ ଚାଷୀମାନଙ୍କୁ ସିଧାସଳଖ ନିର୍ମାତା, ଡିଲର, ସ୍ୱୟଂ ସହାୟକ ଗୋଷ୍ଠୀ, ଆର୍ଥିକ ପ୍ରତିଷ୍ଠାନ ଏବଂ ସରକାରୀ ସଂସ୍ଥା ସହିତ ସଂଯୋଗ କରିବ, ଆଧୁନିକ ଉପକରଣର ସହଜ ଉପଲବ୍ଧତା, ନୂତନ ପ୍ରଯୁକ୍ତିର ପ୍ରଦର୍ଶନ ଏବଂ ବିକ୍ରୟ ପରବର୍ତ୍ତୀ ସେବା ସୁନିଶ୍ଚିତ କରିବ।

କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା ନଭେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ହେବାକୁ ଥିବା ଆଗାମୀ ମେଳାରେ ସକ୍ରିୟ ଅଂଶଗ୍ରହଣ ପାଇଁ ନିର୍ମାତାମାନଙ୍କୁ ଆହ୍ୱାନ କରିଛନ୍ତି। ନିର୍ମାତାମାନଙ୍କୁ ମେଳାସ୍ଥଳରେ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ରଖିବା ସହିତ ଜିଏସଟି ହ୍ରାସର ସମ୍ପୂର୍ଣ୍ଣ ଲାଭ ଚାଷୀମାନଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି।

କଠିନ ଶ୍ରମ ହ୍ରାସ, ଶ୍ରମିକ ଅଭାବ ଦୂର କରିବା ଏବଂ ଯାନ୍ତ୍ରିକୀକରଣ ମାଧ୍ୟମରେ ସମୟୋଚିତ କୃଷି କାର୍ଯ୍ୟ ସୁନିଶ୍ଚିତ କରି ଭବିଷ୍ୟତ ପିଢ଼ି ପାଇଁ ଚାଷକୁ ଅଧିକ ଆଧୁନିକ, ଲାଭଦାୟକ ଏବଂ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ଡ଼ ପାଢୀ କହିଛନ୍ତି। ମୁଖ୍ୟଯନ୍ତ୍ରୀ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking