27.1 C
Bhubaneswar
Friday, December 19, 2025
Homeଓଡିଶାଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଯାଜପୁର: ଗୁରୁବାର ଅପରାହ୍ନରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୁସୁମା ସମ୍ମୁଖସ୍ଥ ପଡିଆଠାରେ ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା ଯୋଗଦେଇ କହିଲେ କୃଷି ବିନା ଜୀବନ ଅସମ୍ଭବ। କୃଷି କାର୍ଯ୍ୟ ହେଲେ ଆମକୁ ଆହାର ମିଳୁଛି। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। କୃଷି କ୍ଷେତ୍ରରେ ବିକାଶ ହେଲେ ଆମ ରାଜ୍ୟର ବିକାଶ ହେବ। ଆଜିର ଦିନରେ ଆଧୁନିକ ଯାନ୍ତ୍ରିକକରଣ ଉପଯୋଗ କରି କୃଷି କୁ ଆହୁରି ଆଗକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ସ୍ବାଇଁ କହିଲେ ଆଜିର ଏହି କୃଷି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷି ଯନ୍ତ୍ରପାତି ମାଧ୍ୟମରେ କୃଷି କାର୍ଯ୍ୟକୁ କିପରି ଆମେ ଆହୁରି ଆଗକୁ ନେଇ ପାରିବା ଏବଂ ସରଳ ଉପାୟରେ ଫସଲ ଉତ୍ପାଦନ କରି ପାରିବା। ସରକାରଙ୍କ ତରଫରୁ କୃଷି ଯନ୍ତ୍ରପାତି ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି ଯାହାକୁ ଉପଯୋଗ କରି କୃଷକ ଭାଇ ମାନେ କୃଷି କାର୍ଯ୍ୟ ସୁବିଧାରେ କରି ପାରିବେ। ସମ୍ମାନିତ ଅତିଥି ଭାବେ ଯାଜପୁର ପୌର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ମାନ୍ୟବର ସାଂସଦ, ଯାଜପୁର ପ୍ରତିନିଧି ଶ୍ରୀ ଜିତେନ୍ଦ୍ର ବିଶ୍ଵାଳ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁନିଲ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତପନ କୁମାର ମହାପାତ୍ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (କୃଷି), କେନ୍ଦ୍ରାପଡ଼ା ସଞ୍ଜୀବ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗଦେଇ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଚାଷୀମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଏହି ମେଳା ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି,ଯାଜପୁର ଆନୁକୁଲ୍ୟରେ ୪ ଜଣ ହିତାଧିକାରୀଙ୍କୁ ସଳଖ ରିହାତି ମୁଲ୍ୟରେ ଟ୍ରାକ୍ଟର ବିତରଣ କରାଯାଇଥିଲା ଏବଂ ରବି ଋତୁ ପାଇଁ କୃଷି ରଥ ମାଧ୍ୟମରେ ପ୍ରସାର ପାଇଁ ଉଦଘାଟିତ ହୋଇଥିଲା।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏହି କୃଷି ଯନ୍ତ୍ରପାତି ମେଳାରେ କୃଷି ଓ ଆନୁଷଙ୍ଗିକ ବିଭାଗ ଯଥା ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଜଳ ବିଭାଜିକା, ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ, ଇଫକୋ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମିଶନ ଶକ୍ତି, ଆଇପିଏଲ ସୁଗାର ଆଦି ଅଂଶଗ୍ରହଣ କରିଛନ୍ତି। ଘରୋଇ କୃଷି ଯନ୍ତ୍ରପାତି ବିକ୍ରେତାଙ୍କ ପାଇଁ ୫୦ଟି ମଣ୍ଡପ (ଷ୍ଟଲ୍) ଓ ସରକାରୀ ବିଭାଗ ପାଇଁ ୩୮ଟି ମଣ୍ଡପ (ଷ୍ଟଲ୍) ର ବ୍ୟବସ୍ଥା କରାଯାଇଛି। ଏହି ମଣ୍ଡପ ଗୁଡିକରେ ବିଭାଗୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ତତ୍କାଳ ବୁକିଙ୍ଗ ଓ ବିକ୍ରୟର ବ୍ୟବସ୍ଥା କରାଯାଇଅଛି। କୃଷି ମେଳାରେ କୃଷକ ଭାଇ ମାନଙ୍କୁ ବିଭିନ୍ନ ଆଧୁନିକ କୃଷି କୌଶଳ ସମ୍ବନ୍ଧରେ ଅବଗତ କରିବା ପାଇଁ ତାରିଖ ୧୯.୧୨.୨୫ ରୁ ୨୧.୧୨.୨୫ ମଧ୍ୟରେ ୧୨ ଗୋଟି କୃଷକ ବୈଜ୍ଞାନିକ ଆଲୋଚନା ଚକ୍ରର ବ୍ୟବସ୍ଥା କରାଯାଇଛି। କୃଷି କ୍ଷେତ୍ରରେ ଲାଭ ବହୁଗୁଣିତ କରିବା ପାଇଁ କୃଷି ଯାନ୍ତ୍ରିକିକରଣ, କୃଷି କ୍ଷେତ୍ରରେ ସବୁଜ ଶକ୍ତିର ବ୍ୟବହାର, ମହିଳା କୃଷିଜୀବୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିରେ କୃଷି ଯନ୍ତ୍ରପାତି , ନିରନ୍ତର କୃଷି ପାଇଁ ସମନ୍ୱିତ କୃଷି ପଦ୍ଧତି, ସମନ୍ୱିତ ରୋଗପୋକ ପରିଚାଳନା ଓ କୃଷି କ୍ଷେତ୍ରରେ ଡ୍ରୋନ ପ୍ରଯୁକ୍ତିର ବ୍ୟବହାର, ଜଳ ବିଭାଜିକା ପ୍ରକଳ୍ପ ଓ ଆନୁଷଙ୍ଗିକ ଯନ୍ତ୍ରପାତି ଆଦି ବିଷୟ ଉପରେ ବିଭିନ୍ନ ସମ୍ବଳ ବ୍ୟକ୍ତିଙ୍କ ଦ୍ବାରା ଆଲୋଚନା ଚକ୍ରର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଆଲୋଚନା ଚକ୍ରରେ ଶହେ ଜଣ କୃଷକ ଅଂଶଗ୍ରହଣ କରିବେ। ବିଗତ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ରିହାତି ଉପଯୋଗ କରିଥିବା ବ୍ଲକ୍ କୁ ସମ୍ବର୍ଦ୍ଧିତ କରାଯିବ। ଏହି କୃଷି ଯନ୍ତ୍ରପାତି ମେଳା ଅବସରରେ ଓଡ଼ିଶା ମିଲେଟ ମିଶନ ଦ୍ବାରା ଖାଦ୍ୟ ଉତ୍ସବ କରାଯାଉଛି। ପ୍ରତିଦିନ ପୂର୍ବାହ୍ନ ୧୦.୦୦ ଘଟିକା ରୁ ରାତି ୯.୦୦ ଯାଏ ପ୍ରଦର୍ଶନ ମଣ୍ଡପ ଖୋଲା ରହିବ। ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking