16.1 C
Bhubaneswar
Sunday, December 7, 2025
Homeଓଡିଶାଫୋକସରେ କୃଷିକ୍ଷେତ୍ର : ୩୭,୮୩୮ କୋଟି ବ୍ୟୟବରାଦ

ଫୋକସରେ କୃଷିକ୍ଷେତ୍ର : ୩୭,୮୩୮ କୋଟି ବ୍ୟୟବରାଦ

ଭୁବନେଶ୍ୱର: କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ବୃହତ୍ତମ ନିଯୁକ୍ତି କ୍ଷେତ୍ର ଏବଂ ଏହା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶର ଚାବିକାଠି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଓଡ଼ିଶାର ପ୍ରାୟ ୪୮ ପ୍ରତିଶତରୁ ଅଧିକ ଶ୍ରମଶକ୍ତି ନିର୍ଭରଶୀଳ ଅଟନ୍ତି। ୮୦ ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି ଯେଉଁଠାରେ କୃଷି ହେଉଛି ଆୟର ମୁଖ୍ୟ ଉତ୍ସ। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦୨୫-୨୬ରେ ୩୭ ହଜାର ୮୩୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ। ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ମୋଟ ୧୪ ହଜାର ୭୦୧ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

ଶ୍ରୀ ଅନ୍ନ ଅଭିଯାନ: ୬୦୦ କୋଟି ବ୍ୟୟବରାଦ
ମିଲେଟ ଚାଷ ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’କୁ ସମସ୍ତ ୩୦ଟି ଜିଲ୍ଲାର ମୋଟ ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରାଯାଇଛି। ଚଳିତ ବର୍ଷ ରାଜ୍ୟ ସରକାର ବର୍ତ୍ତମାନର ଏମଏସପି କୁଇଣ୍ଟାଲ ପିଛା ୪୨୯୦ ଟଙ୍କା ଉପରେ ଆହୁରି କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ଯୋଡ଼ି ରାଗିର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ମୋଟ ୪୫୦୦ ଟଙ୍କା ନିର୍ଦ୍ଧାରିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ୬୦୦କୋଟି ଟଙ୍କା ବ୍ୟୟବରାଦ ରହିଛି।

ସମୃଦ୍ଧ କୃଷକ ଯୋଜନା ପାଇଁ ୬ହଜାର କୋଟି
ଚଳିତ ଖରିଫ ବିପଣନ ଋତୁ ପାଇଁ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି ଏବଂ ୨୦୨୫ଫେବୃଆରୀ ୧୫ ତାରିଖ ସୁଦ୍ଧା ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ପ୍ରାୟ ୧୩ ଲକ୍ଷ ଚାଷୀ ଉପକୃତ ହୋଇସାରିଛନ୍ତି। ଏହି ଯୋଜନାରେ ବଜେଟ ୫ ହଜାର କୋଟି ଟଙ୍କାରୁ ୬ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ସିଏମ କିଷାନ ପାଇଁ ୨୦୨୦ କୋଟି
କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ‘ପିଏମ୍ -କିଷାନ’କୁ ରାଜ୍ୟ ଯୋଜନା ‘ସିଏମ୍ -କିଷାନ’ ସହିତ ମିଶ୍ରଣ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ଏକ ଗୁଣାତ୍ମକ ପ୍ରଭାବ ପକାଇଛି। ‘ପିଏମ୍ କିଷାନ’ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଯୋଗ୍ୟ, ବାଦ୍ ପଡ଼ିଥିବା ଚାଷୀମାନଙ୍କୁ ସାମିଲ କରିବା ପାଇଁ ଦୁଇମାସିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। କୃଷକମାନଙ୍କୁ ସଠିକ ସମୟରେ ଆର୍ଥିକ ସହାୟତା ଓ ଇନପୁଟ ସହାୟତା ପାଇଁ ‘ସିଏମ୍‌-କିଷାନ’ ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୦୨୦ କୋଟିର ପ୍ରସ୍ତାବ ରହିଛି।

ଅଚଳ ଶୀତଳଭଣ୍ଡାରର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା
ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ଶୀତଳଭଣ୍ଡାର ନୀତି ଆଣିଛନ୍ତି। ଏହି ନୀତି ଶୀତଳଭଣ୍ଡାର ଚଳାଇବାର ଆର୍ଥିକ ଦିଗ ପ୍ରତି ସ୍ପଷ୍ଟଭାବେ ଧ୍ୟାନ ଦେଉଛି। ଏଥିରେ ୭ ବର୍ଷ ପାଇଁ ମୋଟ ୬୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ରିହାତି ଓ ବିଜୁଳି ବିଲ ଉପରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅଚଳ ଶୀତଳଭଣ୍ଡାରର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଶୀତଳ ଭଣ୍ଡାରକୁ ଆର୍ଥିକ ସହାୟତା ବାବଦରେ ରାଜ୍ୟ ସରକାର ୨୫୨ କୋଟି ଟଙ୍କାର ପ୍ରବଧାନ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ଅଚଳ ଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ୟବସ୍ଥା ରହିଛି।

ଓୟୁଏଟିକୁ ୫୧୧କୋଟି ପ୍ରଦାନ ପ୍ରସ୍ତାବ
ସାମାଜିକ-ଅର୍ଥନୈତିକ-ଜଳବାୟୁ-ବୈଷୟିକସ୍ତରରେ ହେଉଥିବା ପରିବର୍ତ୍ତନର ପରିପ୍ରେକ୍ଷୀରେ କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ଅଗ୍ରଣୀ ଶିକ୍ଷା, ଗବେଷଣା, ସମ୍ପ୍ରସାରଣ ପାଇଁ ଓୟୁଏଟି ମହତ ଲକ୍ଷ୍ୟ ରଖିଛି। ଏଥିପାଇଁ ଓୟୁଏଟିକୁ ୫୧୧ କୋଟି ଟଙ୍କା ପ୍ରଦାନ କରାଯିବାର ପ୍ରସ୍ତାବ ରଖାଯାିଛି। ସେହିପରି କୃଷି ଉଦ୍ୟୋଗର ପ୍ରୋତ୍ସାହନ ତଥା ବ୍ୟବସାୟ ସୁଗମ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ପାଇଁ ୨୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

କୃଷକ ଉତ୍ପାଦନ ସଂଗଠନ ପାଇଁ ୭୪ କୋଟି
ଏକ ହଜାରରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ଅତିକମରେ ୩ ଲକ୍ଷ କୃଷକ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଓ ଜୀବିକାରେ ଉନ୍ନତି ଆଣିବା ପାଇଁ ସୁବିଧାରେ ଋଣ ପ୍ରଦାନ, ଆର୍ଥିକ ଓ ବୈଷୟିକ ସହାୟତା, ଭିତ୍ତିଭୂମି ସହାୟତା ଓ ବଜାର ସଂଯୋଗୀକରଣ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଜଳସେଚନ ଓ ଜଳ ବ୍ୟବହାର କ୍ଷମତା
୨୦୨୫-୨୬ରେ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବାକୁ ଲକ୍ଷ୍ୟ ରଖଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଜଳସେଚନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ୨୦୨୪-୨୫ ଆର୍ôଥକ ବର୍ଷରେ ଜଳସମ୍ପଦ ବିଭାଗ ନିମନ୍ତେ ୧୩ ହଜାର ୨ ଶହ ୭୨ କୋଟି ଟଙ୍କା ବ୍ୟୟ ବରାଦ ରହିଥିବାବେଳେ ୨୦୨୫-୨୬ ଆର୍ôଥକ ବର୍ଷରେ ଏହାକୁ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି କରି ମୋଟ ୧୪ ହଜାର ୮୯୫ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି। ୨୦୨୫-୨୬ ଆର୍ôଥକ ବର୍ଷରେ ବଲାଙ୍ଗୀରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବା ଦ୍ୱାରା ଅତିରିକ୍ତ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ପହଞ୍ଚିପାରିବ। ନୟାଗଡ଼ର କୁସୁମୀ ସ୍ମାର୍ଟ ଜଳସେଚନ ପ୍ରକଳ୍ପ ଦ୍ୱାରା ଅତିରିକ୍ତ ୩ ହଜାର ୭ ଶହ ହେକ୍ଟର ଜମିରେ ଜଳସେଚନ ଉପଲବ୍ଧ ହୋଇପାରିବ। ସେହିପରି ଭାବେ ବରଗଡ଼ର ଘଟକେଶ୍ୱର ଜଳସେଚନ ପ୍ରକଳ୍ପ ଓ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଶେଷ ହେବା ଦ୍ୱାରା ଯଥାକ୍ରମେ ଅତିରିକ୍ତ ୭ ଶହ ହେକ୍ଟର ଓ ୩ ହଜାର ୭ ଶହ ହେକ୍ଟର ଜମିକୁ ଜଳସେଚନ ଯୋଗାଇଦିଆଯିବ। ବ୍ୟାପକ ବନ୍ୟା ପରିଚାଳନା ପାଇଁ ଯୋଜନା ଦ୍ୱାରା ବନ୍ୟା ଜନିତ ବିପଦ ପ୍ରଶମନ, ପ୍ରସ୍ତୁତି, ଚିରସ୍ଥାୟୀ ପଦକ୍ଷେପ ଓ ପୁନଃରୁଦ୍ଧାର ଇତ୍ୟାଦି କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଆଯିବ। ଏହି ଯୋଜନାରେ ସମୁଦ୍ରକୁ ଜଳ ନିଷ୍କାସନରେ ଉନ୍ନତି ଆଣିବା ପାଇଁ ନଦୀ ମୁହାଣ ଖନନ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏଥପାଇଁ ଚଳିତ ବର୍ଷ ୩ ଶହ ୮୬ କୋଟି କୋଟି ଟଙ୍କାର ପ୍ରସ୍ତାବ ରହିଛି। ଜଳସେଚନ କ୍ଷମତା ଓ ଜଳର ସମବଣ୍ଟନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ହୀରାକୁଦ ଡ୍ୟାମ୍ ପ୍ରକଳ୍ପର କେନାଲ ବ୍ୟବସ୍ଥାର ନବୀକରଣ’ ନାମରେ ୮ ଶହ ୫୦ କୋଟି ଟଙ୍କାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହା ପଶ୍ଚିମ ଓଡ଼ିଶାର କୃଷକମାନଙ୍କ ଜମିକୁ ଜଳସେଚନ ସୁବିଧା ପ୍ରଦାନ କରିବ। କଂକ୍ରିଟ ଲାଇନିଂର ଉନ୍ନତି ପାଇଁ ୨୦୨୪-୨୫ ରୁ ୨୦୨୫-୨୬ ପର୍ଯ୍ୟନ୍ତ ୨୦ଟି ଫିଲ୍ଡ ଚ୍ୟାନେଲ ହାତକୁ ନିଆଯାଉଛି। ଚଳିତ ବର୍ଷ ଏହି ଯୋଜନାରେ ୧ ଶହ କୋଟି ଟଙ୍କା

ବ୍ୟୟବରାଦ କରାଯାଇଛି। ବିଶ୍ୱବ୍ୟାଙ୍କ ସହାୟତାରେ ଚାଲୁଥିବା ଡ୍ୟାମ୍ ଥଇଥାନ ଓ ଉନ୍ନତି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲ ୱେ ନିର୍ମାଣ, ଥଇଥାନ ବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ସ୍ଥିତିର ସର୍ଭେ, ଗେଟ୍ ସ୍ୱୟଂ ଚାଳନା ପାଇଁ ୨୦୨୫-୨୬ ଆର୍ôଥକ ବର୍ଷର ୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଅନ୍ୟାନ୍ୟ ବିପର୍ଯ୍ୟସ୍ତ ପୁରୁଣା ଡ୍ୟାମଗୁଡ଼ିକର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ‘ଡ୍ୟାମ୍ ସୁରକ୍ଷା ଓ ଉନ୍ନତି’ ଯୋଜନା ଅଧୀନରେ ୫୭ କୋଟି ଟଙ୍କା କୋଟି ଟଙ୍କାର ବ୍ୟୟ ବରାଦ ରହିଛି। କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କର ବିପୁଳ ଚାହିଦା ଏବଂ ଅଭୂତପୂର୍ବ ଉତ୍ସାହକୁ ଦୃଷ୍ଟିରେ ରଖ୍ ୧୯ ହଜାର ଗଭୀର ନଳକୂପ ଏବଂ ୧ ହଜାର ୬ ଶହ ୩୦ ଗୋଷ୍ଠୀ ଉଠା ଜଳସେଚନ କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ୧ ହଜାର ୧ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହାବ୍ୟତୀତ ପୁରାତନ ଆୟକଟର ପୁନଃ ରୁଦ୍ଧାର ପାଇଁ ୧ ହଜାର ୬୫ଟି ଅଚଳ ଓ ୧ ହଜାର ୭ ଶହ ୨୦ଟି ପୁରୁଣା ଗୋଷ୍ଠୀ ଉଠା ଜଳସେଚନ କେନ୍ଦ୍ରର ପୁନଃରୁଦ୍ଧାର ପାଇଁ ‘ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର’ ଯୋଜନା ଅଧୀନରେ ୨୦୨୫-୨୬ ଆର୍ôଥକ ବର୍ଷରେ ୧୯୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ରାଜ୍ୟ ସରକାର ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଯୋଜନାରେ ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ସେଥିମଧ୍ୟରୁ ୬ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ, ୨୦୨୫-୨୬ରେ ୨୩ଟି ପ୍ରକଳ୍ପ ଶେଷ ହେବ। ଅବଶିଷ୍ଟ ୪୩ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଶୀଘ୍ର ଶେଷ କରାଯିବ। ଏହା ଦ୍ୱାରା ୫ ଶହ ନିୟୁତ ଘନମିଟର ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି ହେବ। ଏହି ଯୋଜନା ଅଧୀନରେ ୫ ଶହ ୮୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। “ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’ ଅଧୀନରେ ୨୦୨୫-୨୬ ଆର୍ôଥକ ବର୍ଷରେ ୩ ଶହ ୧୩ଟି ଚେକ୍ ଡ୍ୟାମ୍ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଯୋଜନା ରହିଛି। ଏଥିପାଇଁ ୩ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି, ଯାହାଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର ସେଚାଞ୍ଚଳ ସୃଷ୍ଟି ହେବ। କେନାଲ ଲାଇନିଂ ମାଧ୍ୟମରେ ଜଳ ପ୍ରବାହ ସମୟରେ ହେଉଥିବା ଜଳର କ୍ଷତିକୁ ରୋକିବା ପାଇଁ ‘ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ୨୦୨୫-୨୬ ବର୍ଷରେ ଏହି ଯୋଜନାରେ ୧ ଶହ ୬୦ କିଲୋମିଟର କେନାଲ ଲାଇନିଂ ପାଇଁ ୪ ଶହ ୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନାଲ ଆଧୁନିକୀକରଣ ତଥା ପୁରାତନ ସେଚାଞ୍ଚଳ ପୁନଃରୁଦ୍ଧାର ପାଇଁ ‘ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା’ ଅଧୀନରେ ୨୪୦ କୋଟି ଟଙ୍କା ଓ ‘ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା’ ଯୋଜନା ଅଧୀନରେ ୨ ଶହ ୫୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking