ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବିଜେପିର ପ୍ରଭାବୀ ରଣନୀତି ବେଶ୍ ସଫଳ ସାବ୍ୟସ୍ତ ହୋଇଛି। ବିଜେପି ଅନ୍ୟ ସହଯୋଗୀ ଦଳଙ୍କ ସହ ଏନ୍ଡିଏ ମେଣ୍ଟ ଅନ୍ତର୍ଗତ ଏଠାରେ ସରକାର ଗଢ଼ିବାର ସଫଳତା ଅପେକ୍ଷା ଏକାକୀ ଅର୍ଥାତ୍ ଦଳଗତ ଭାବେ ୮୯ ଆସନ ଅକ୍ତିଆର କରିବା ବିଜେପିକୁ ବେଶ୍ ପ୍ରୋତ୍ସାହିତ କରିଛି। ଏହାକୁ ପାଥେୟ କରି ବିଜେପି ଏବେ ପଶ୍ଚିମବଙ୍ଗରେ ମଧ୍ୟ ସମାନ ସଫଳତା ହାସଲ କରିବା ପାଇଁ ତତ୍ପର ହୋଇଉଠିଛି। ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୨୦୨୬ ମାର୍ଚ୍ଚ-ଏପ୍ରିଲ୍ ବେଳକୁ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ଏବେ ‘ମିଶନ ବଙ୍ଗଳା’ ଉପରେ କାମ କରୁଛି। ବିହାର ପରି ବିଜେପି ଏଠାରେ ମଧ୍ୟ ୧୬୦+ ଆସନ ଟାର୍ଗେଟ୍ କରୁଛି। ସିଧାସଳଖ ଭାବେ କହିଲେ ବିଜେପି ଏଥର ପଶ୍ଚିମବଙ୍ଗରେ ପଦ୍ମ’ ଫୁଟାଇବା ପାଇଁ ସବୁ ସମ୍ଭାବନାକୁ ଗୁରୁତ୍ୱର ସହ ବିଚାର କରୁଛି।
ବିଜେପି ପ୍ରଥମେ ଦିଲ୍ଲୀ, ପରେ ଓଡ଼ିଶା ଏବଂ ନିକଟରେ ବିହାରରେ ରାଜନୈତିକ ଅଧ୍ୟାୟକୁ ଓଲଟାଇବାରେ ସଫଳ ହେବା ପରେ ଏବେ ପଶ୍ଚିମବଙ୍ଗ ଉପରେ ନଜର ପକାଇଛି। ଏଠାରେ କ୍ଷମତାସୀନ ଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ପରାଜିତ କରିବା ବର୍ତ୍ତମାନ ସମୟ ପାଇଁ ବିଜେପି ପକ୍ଷେ ଏକ ଚ୍ୟାଲେଞ୍ଜିଂ ରହିଆସିଛି। ମମତା ବାନାର୍ଜୀଙ୍କ ଲୋକପ୍ରିୟତା ବିଜେପିକୁ ପଶ୍ଚିମବଙ୍ଗରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଲକ୍ଷ୍ୟରୁ ଦୂରେଇ ରଖିଛି। ଗୋଟିଏ ପଟେ ମମତା ଏବେ ପଶ୍ଚିମବଙ୍ଗରେ ଚାଲିଥିବା ଏସ୍ଆଇଆର୍କୁ ନେଇ ସ୍ୱର ଉତ୍ତୋଳନ କରିଆସୁଥିବା ବେଳେ ବିଜେପି ଏହାକୁ ନେଇ ସକାରାତ୍ମକ ଦୃଷ୍ଟିକୋଣ ରଖିଆସୁଛି। ପ୍ରଦେଶ ବିଜେପିର ନେତାମାନେ କହୁଛନ୍ତି ଏସ୍ଆଇଆର୍ ପ୍ରକ୍ରିୟା ଦ୍ୱାରା ରାଜ୍ୟରୁ ନକଲି ଭୋଟରମାନେ ବାଦ୍ ପଡ଼ିବେ। ଏହି ନକଲି ଭୋଟରମାନେ ହିଁ ଆଜି ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ଭୋଟ୍ବ୍ୟାଙ୍କ୍ ରହିଆସିଛନ୍ତି। ଯେହେତୁ ଏସବୁ ନକଲି ଭୋଟର୍ଙ୍କ ଭୋଟ୍ ବାଦ୍ ପଡ଼ିଯିବ ଟିଏମ୍ସିର ପରାଜୟ ନିଶ୍ଚିତ ହୋଇଯିବ। କେବଳ ଏହି କାରଣରୁ ମମତା ଏବଂ ଟିଏମ୍ସି ଏସଆଇଆର୍କୁ ବିରୋଧ କରୁଛନ୍ତି।
ବିଜେପି ଏବେ ନିଜ ରଣନୀତି ପୂର୍ବକ ଟିଏମ୍ସିର ଅସନ୍ତୁଷ୍ଟ ନେତାମାନଙ୍କୁ ଟାର୍ଗେଟ୍ କରିବା ଅଧିକ ସମ୍ଭାବନା ରହିଛି। ମମତାଙ୍କ ଅଧିକ ଗୁରୁତ୍ୱ ନଦେଇ ରାଜ୍ୟର ଏପରି ଗୋଷ୍ଠୀଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରିବ ଯେଉଁମାନେ ଟିଏମ୍ସି ସରକାରଙ୍କ ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରରୋଚିତ ବା ଅବହେଳିତ ହୋଇଥିବା ଅଭିଯୋଗ କରିଆସୁଛନ୍ତି। ସିଧାସଳଖ କହିଲେ ବିଜେପି ଏବେ ତୃଣମୂଳ ସ୍ତରରୁ ମମତାଙ୍କ ଦଳ ଟିଏମ୍ସିକୁ ଦୁର୍ବଳ କରିବାକୁ ପ୍ରୟାସ କରିବ। ସେହିପରି ବିହାରରେ ବିଜେପିକୁ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉପସ୍ଥାପିତ କରିଥିବା ଦଳର ଅନ୍ୟତମ ଚାଣକ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଦାୟି୍ତ୍ୱ ଦେଇପାରନ୍ତି ବିଜେପିର ହାଇକମାଣ୍ଡ। କାରଣ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ଗୋଟି ଚାଳନା କେବଳ ଦଳକୁ ସଫଳ କରାଇଛି ତାହା ନୁହେଁ ବରଂ ଦଳକୁ ଅନେକାଂଶରେ ଶକ୍ତିଶାଳୀ କରାଇବା ସହ ଜନତାଙ୍କ ନିକଟତର ମଧ୍ୟ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଦେଖିବାକୁ ମିଳୁଛି। ଗତ ୫ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ଘଟିଥିବା ଅନେକ ଘଟଣା, ଅଘଟଣକୁ ବିଜେପି ଏଥର ନିର୍ବାଚନୀ ପ୍ରସଙ୍ଗ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ଥିବା ବେଳେ ଦଳ ବଂଶବାଦ ରାଜନୀତିକୁ ମୁଖ୍ୟତଃ ଅସ୍ତ୍ର ଭାବେ ଉଠାଇବ। ତେବେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ପଶ୍ଚିମବଙ୍ଗରେ ଜାତି ରାଜନୀତି ଏକ ପ୍ରମୁଖ ପ୍ରସଙ୍ଗ ନୁହେଁ ଏବଂ ଧ୍ରୁବୀକରଣ ଅନ୍ୟ ରାଜ୍ୟ ପରି ବ୍ୟାପକ ନୁହେଁ। ତେଣୁ ଏକ ଭିନ୍ନ ଫର୍ମୁଲା ଆଧାରରେ ବିଜେପି ଆଞ୍ଚଳିକ ଏବଂ ଧାର୍ମିକ ସମୀକରଣକୁ ସନ୍ତୁଳିତ କରିବା ଉପରେ ଗୁରୁତ୍ୱ ଦେବ ବୋଲି ଅନୁମାନ କରାଯାଉଛି।










