ଯାଜପୁର: ଯାଜପୁର ଜିଲାର ଡ଼ାଇରିଆର ହଟସ୍ପଟ ପାଲଟିଥିବା ବ୍ୟାସନଗର ପୌର ପରିଷଦ ଓ ଆଖପାଖ ଅଞ୍ଚଳର ୩00ରୁ ଉର୍ଦ୍ଧ ରୋଗୀ ଆକ୍ରାନ୍ତ ହୋଇ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ସେମାନଙ୍କ ମଧ୍ୟରୁ ୫ ଜଣ ବୟସ୍କ ଓ ଜଣେ ଶିଶୁର ଡ଼ାଇରିଆରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି | ଏହି ରୋଗ ମହାମାରୀର ରୂପ ନେବା ସହ ରାଜ୍ୟ ତଥା ଜିଲା ପ୍ରଶାସନର ଚିନ୍ତା ବଢ଼ାଇଥିଲା | ପ୍ରଶାସନ ପକ୍ଷରୁ ବିଭିନ୍ନ ତ୍ୱରିତ ପଦକ୍ଷେପ ପରେ ଡ଼ାଇରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ସହ ଏଥିରେ ରୋକ ଲାଗିଥିଲା | ହେଲେ ଆଗକୁ ଏହାର ପୁନରାବୃତ୍ତି ନହେବା ଓ ନିରାକରଣ ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପରକାର ପଦକ୍ଷେପ ନିଆଯାଇଛି | ଦୂଷିତ ଜଳ ଓ ଅପମିଶ୍ରିତ ଖାଦ୍ୟ ପାଇଁ ଏହି ରୋଗ ବ୍ୟାପି ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ନିଆଯାଇଥିବା ଖାଦ୍ୟ ଓ ପାଣି ନମୁନା୍ରୁ ଆସିଥିବା ରିପୋର୍ଟରୁ ଜଣାପଡିଛି |
ଏହାର ଆଗାମୀ ପଦକ୍ଷେପ ଓ ନିରାକରଣ ପାଇଁ ଜିଲା ପ୍ରଶାସନ ନିର୍ଦ୍ଧେଶରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କ ଅଧକ୍ଷତାରେ ବ୍ୟାସନଗର ପୌର ପରିଷଦର ସମସ୍ତ ଅଧିକାରୀ ଓ କାଉନସିଲର ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଶୁକ୍ରବାର ପୌର ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଥିଲା | ପୌର ପରିଷଦର ୨୬ ଗୋଟି ୱାର୍ଡରେ ଥିବା ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ କାଉନସିଲର ମାନଙ୍କ ସହ ସବିଶେଷ ଆଲୋଚନା ହୋଇଥିଲା | କାଉନସିଲର ମାନେ ସେମାନଙ୍କ ୱାର୍ଡ ରେ ଡ଼ାଇରିଆ ସ୍ଥିତି ଓ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ | ଅତିରିକ୍ତ ଜିଲାପାଳ ନନ୍ଦ ସୂଚନା ଦେଇ କହିଲେ ଯେ ପ୍ରତ୍ୟେକ ୱାର୍ଡରେ ଥିବା ଜଳ ଉତ୍ସ ଗୁଡିକର ବିଶୋଧନ କରିଵା ସହ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି |
ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାଇପ ପାଣି, ନଳକୂପ, ବ୍ୟକ୍ତିଗତ ବୋରୱେଲ ଓ ଘରର ପାଣି ଟାଙ୍କି ଗୁଡିକୁ ବିଶୋଧନ କରାଯାଉଛି | ସହରର ବିଭିନ୍ନ ହୋଟେଲ, ଖାଦ୍ୟ ବିକ୍ରୟ କେନ୍ଦ୍ରରୁ ଓ ପ୍ୟାକେଜ ପାଣିର ନିଆଯାଇଥିବା ନମୁନା ପରୀକ୍ଷାରେ ଅପମିଶ୍ରିତ ଓ ସହରର ବିଭିନ୍ନ ହୋଟେଲ, ଖାଦ୍ୟ ବିକ୍ରୟ କେନ୍ଦ୍ରରୁ ଓ ପ୍ୟାକେଜ ପାଣିର ନିଆଯାଇଥିବା ନମୁନା ପରୀକ୍ଷାରେ ଅପମିଶ୍ରିତ ଓ ଦୂଷିତ ଥିବା ରିପୋର୍ଟ ଆସିବା ପରେ ସେଗୁଡିକୁ ସିଲ କରାଯିବା ସହ ବାହାରେ ଖାଦ୍ୟପଦାର୍ଥ ବିକ୍ରି ଉପରେ ପ୍ରଶାସନିକ ରୋକ ଲାଗିଵା ସହ ପରବର୍ତ୍ତୀ ନିର୍ଦ୍ଧେଶ ଆସିଵା ପର୍ଯ୍ୟନ୍ତ ବନ୍ଦ କରାଯାଇଛି | ସ୍ୱାସ୍ଥ୍ୟ ଓ ଆଶା,ଅଙ୍ଗନୱାଡ଼ି,ଏଏନଏମ କର୍ମୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ହାଲୋଜିନ ଟାବଲେଟ, ଓଆରଏସ ପାଉଡର ଓ ହାତଧୋଇଵା ପାଇଁ ୨ଟି ସାବୁନ ବଣ୍ଟନ କରାଯାଉଛି |
ପାଣି ଫୁଟାଇ ପିଇବା ସହ ବାହାରେ ମଳତ୍ୟାଗ ନକରିବା ଓ ବାରମ୍ବାର ହାତ ଧୋଇବାକୁ ସଚେତନ କରାଯାଉଛି | ଯେଉଁ ରୋଗୀମନେ ସୁସ୍ଥ ହୋଇ ଫେରିଛନ୍ତି ସେମାନେ ଓ ତାଙ୍କ ପରିବାର ଉପରେ ନଜର ରଖିବା ଓ କୌଣସି ସୂଚନା ମିଳିଲେ ପ୍ରଶାସନକୁ ଅବଗତ କରିବାକୁ ଅତିରିକ୍ତ ଜିଲାପାଳ କହିଛନ୍ତି | ରୋଗୀ ମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କୁ ଚି଼ହ୍ନଟ କରାଯାଇ ଡକ୍ସିଲାଇନ ଟାବଲେଟ ପ୍ରଦାନ କରାଯାଉଥିଵା କହିଛନ୍ତି | ଡ଼ାଇରିଆ ଓ ହଇଜା ନିରାକରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ କାଉନସିଲର ମାନଙ୍କ ସହଯୋଗ ଲୋଡ଼ିବା ସହ ସ୍ୱାସ୍ଥ୍ୟ ଓ ଅଧିକାରୀମାଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି | ଉକ୍ତ ବୈଠକରେ ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ପୌର ନିର୍ବାହୀ ଅଧିକରୀ ପ୍ରଦୀପ୍ତ କୁମାର ପାଢ଼ୀ, ୱାଟକୋ ସହ ପରିଚାଳକ ବିଚିତ୍ରାନନ୍ଦ ପୁହାଣ, ପରିମଳ ନିରୀକ୍ଷକ ମାଣିକ ରଞ୍ଜନ ନାୟକ, ଅଧିକରୀ ସୁଶାନ୍ତ କୁମାର ରାଉତ ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥିଲେ |










