25.1 C
Bhubaneswar
Wednesday, March 11, 2026
Homeଓଡିଶାରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ଏଡିଜି ଅଖିଳ ମିଶ୍ର

ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ଏଡିଜି ଅଖିଳ ମିଶ୍ର

ପୁରୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର ତଥା ଜନସମ୍ପର୍କ ଅଭିଯାନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ଆଜି ପୁରୀ ଆକାଶବାଣୀ କେନ୍ଦ୍ର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ବିକଶିତ ଭାରତ @୨୦୪୭’ ସଂକଳ୍ପକୁ ସାକାର କରିବା ଦିଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ମିଶ୍ର ପୁରୀ ଆକାଶବାଣୀ କେନ୍ଦ୍ରର ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ କର୍ମଚାରୀଙ୍କ ସ୍ଥିତି ପରଖିବା ସହ ବର୍ତ୍ତମାନର ପ୍ରସାରଣ କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ।

ଆଧୁନିକ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସହ ପ୍ରସାରଣ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମିଶ୍ର କହିଥିଲେ, ନୂତନ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧତା ଯୋଗୁଁ ଆଜିର ଶ୍ରୋତା ବର୍ଗ ବିଭିନ୍ନ ଭାଗରେ ବିଭକ୍ତ ହୋଇଯାଇଛନ୍ତି। ବିଭ୍ରାନ୍ତିକର ତଥ୍ୟ ଏବଂ ଗୁଜବ ବା ମିଥ୍ୟା ଖବରର ଏହି ଯୁଗରେ ସରକାରୀ ଗଣମାଧ୍ୟମର ଦାୟିତ୍ୱ ଆହୁରି ବଢ଼ିଯାଇଛି। ସଠିକ୍, ସତ୍ୟ ଏବଂ ବିଶ୍ୱସନୀୟ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ଆଜିର ସମୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଭାରତୀୟ ପ୍ରସାରଣ ବ୍ୟବସ୍ଥାର ବିବିଧତା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ବିପର୍ଯ୍ୟୟ ସମୟରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ସହ ସିଧାସଳଖ ଯୋଡ଼ି ହୋଇଥାଏ, ଯାହା ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ଏକ ଅନନ୍ୟ ମାଧ୍ୟମ। ଏହି ବୈଠକରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ, ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପୁରୀ ଆକାଶବାଣୀ କେନ୍ଦ୍ରର ମୁଖ୍ୟ ଶ୍ରୀ ଶିଲେନ ପଟ୍ଟନାୟକ, କାର୍ଯ୍ୟକ୍ରମ ନିର୍ବାହୀ ଶ୍ରୀ ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଚାର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ପୁରୀର ଅନେକ ବରିଷ୍ଠ ସାମ୍ବାଦିକ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking