ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ସମୟରେ ଧାନ କିଣାରେ ଅନିୟମିତତା ଯୋଗୁଁ ୧୮ଜଣ ମିଲ୍ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖକରିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମିଲ୍ ମାଲିକଙ୍କ ମଧ୍ୟରୁ ୩ଜଣ ମାଲିକଙ୍କୁ ସାମୟିକ ଭାବେ ବାରଣ କରାଯାଇଥିଲା ।
ଜଣେ ମିଲ୍ ମାଲିକଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ ଆଇନ୍ ୧୯୫୫ ନିୟମାନୁସାରେ ମାମଲା ରୁଜୁ କରାଯାଇଛି ଏବଂ ଜଣେ ମିଲ୍ ମାଲିକଙ୍କ ଚଳିତ ଖରିଫ ଋତୁରେ ଧନ କିଣାପାଇଁ ହୋଇଥିବା ଚୁକ୍ତିନାମା ସମାପ୍ତି କରାଯାଇଛି । ଅବଶିଷ୍ଟ ୧୩ଜଣ ମିଲ୍ ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି । ନୂଆପଡାର ଅନ୍ନପୂର୍ଣ୍ଣା ରାଇସ୍ ମିଲ୍ ନାମରେ ମାମଲା ରୁଜୁ ହୋଇଥିବାବେଳେ ଜଗତ୍ସିଂହପୁର ଜିଲ୍ଲାରେ ଥିବା ସାଲସାର ଆଗ୍ରୋ ପ୍ରଡକ୍ଟର ଚୁକ୍ତିନାମା ସମାପ୍ତ କରାଯାଇଛି । ସେହିଭଳି ସମ୍ବଲପୁର ଜିଲ୍ଲାରେ ଥିବା ଏସଆଇପି ରାଇସ୍ ଇଣ୍ଟଷ୍ଟ୍ରିକକୁ ଚଳିତ ଖରିଫ ଋତୁରେ ସାମୟିକ ଭାବେ ବାରଣ କରାଯାଇଛି । କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ମିଲ୍ ମଧ୍ୟରେ ନୟାଗଡ ଜିଲ୍ଲାର ୫ଟି ମିଲ୍ ଥିବାବେଳେ ପୁରୀର ଗୋଟିଏ ଏବଂ କେନ୍ଦ୍ରାପଡାର ୯ଟି ମିଲ୍ ରହିଛି ।