ଯାଜପୁର: ନବମ ଶ୍ରେଣୀ ଝିଅକୁ ପ୍ରେମ ରେ ଫସାଇ ଦୁଷ୍କର୍ମ କରି ୨୦ବର୍ଷ ଜେଲ ଗଲେ ଅଭିଯୁକ୍ତ । ଏହି ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୩ ମସିହା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ୧୫ ବର୍ଷୀୟ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଘରୁ ଫେରାର କରି ନେଇ ଜଗତପୁର ରେ ଏକ ସାଙ୍ଗ ଘରେ ରାଖୀ ବାରମ୍ବାର ଦୁଷ୍କର୍ମ କରିଥିଲେ ଦୋଷୀ । ପୀଡ଼ିତାଙ୍କ ପରିବାର ଵର୍ଗ ଏ ନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଜଗତପୁର ରୁ ହାଇଦ୍ରାବାଦ କୁ ନେବା ସମୟରେ ଭୁବନେଶ୍ବର ଷ୍ଟେସନରେ ଶିଶୁ ସୁରକ୍ଷା ବିଭାଗ ହାତରେ ଧରା ପଡିଥିଲେ ଊଭୟ ପୀଡ଼ିତା ଓ ଅଭିଯୁକ୍ତ । ଧର୍ମଶାଳା ପୋଲିସ ଉଭୟଙ୍କୁ ଉଦ୍ଧାର କରି ପୀଡ଼ିତାଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏଥିସହ ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ଗଣେଶ୍ବର ଗେଡି ଙ୍କୁ ଦଫା ୩୭୬(କ ଖ) ଏବଂ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୧୨ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।