ଥିରୁଅନନ୍ତପୁରମ୍: କେରଳ କାଲାରକୋଡ୍ ଆଲାପୁଝା ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୫ ଡାକ୍ତରୀ (ଏମ୍ବିବିଏସ୍) ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ସୋମବାର ବିଳମ୍ବିତ ରାତିରେ କେରଲର ଆଲାପ୍ପୁଝା ନିକଟରେ ଏକ କାର୍ ଯୋଗେ ପ୍ରାୟ ୭ଜଣ ଡାକ୍ତରୀ ଛାତ୍ର କେଉଁଆଡେ ଯାଉଥିବା ବେଳେ ସେମାନଙ୍କ ଗାଡ଼ିକୁ ଏକ ଯାତ୍ରୀବାହୀ ବସ୍ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍ରେ ଥିବା ଛାତ୍ରଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ସମସ୍ତ ମୃତକ ଏଠାକାର ଆଲାପ୍ପୁଝା ଟିଡି ନାମକ ଏକ ସରକାରୀ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡିଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ଦୁର୍ଘଟଣା ଘଟାଇଥିବା ବସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ଥିବା ୧୫ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ତଦନ୍ତ ସମୟରେ ପୁଲିସ୍ ଜାଣିବାକୁ ପାଇଛି ଯେ, ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ପ୍ରବଳ ଜୋରରେ ବର୍ଷା ହେଉଥିଲା। ଫଳରେ ବର୍ଷାରେ ରାସ୍ତା ଭଲଭାବେ ଦେଖିନପାରିବାରୁ ବସ୍ ଡ୍ରାଇଭର କାର୍ଟିକୁ ଧକ୍କା ଦେଇଥିବା ପୁଲିସ୍ ଅନୁମାନ କରାଯାଉଛି। ମୃତକ କୋଝିକୋଡେ, କନ୍ନୁର, ଚେରଥଲା ଓ ଲାକ୍ଷାଦୀପର ବାସିନ୍ଦା ବୋଲି ଜଣାପଡିଛି। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୂରା ଘଟଣାର ତଦନ୍ତ ଜାରି ରହିଛି।