ଜଳନ୍ଧର: ପଞ୍ଜାବରେ ଜଣେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ମୃତ ଆପ୍ ନେତାଜଣକ ହେଲେ ସତିନ୍ଦର ପାଲ ସିଂହ ଜୋଗି ଓରଫ ଲକି ଓବେରୟ (୪୩ ବର୍ଷ)। ଜଳନ୍ଧରରେ ଥିବା ଏକ ଗୁରୁଦ୍ୱାରାକୁ ଏହି ଆପ୍ ନେତାଜଣକ ଆସିଥିବା ବେଳେ ତାଙ୍କୁ ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରୀ ଦଳ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ରାଜ୍ୟ ଡିଜିପି ଗୌରବ ଯାଦବ ଜଳନ୍ଧରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିସି ଟିଭି କ୍ୟାମେରାରେ ଗୁଳି ଚଳାଉଥିବା ୨ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିର ଫଟୋ କଏଦ ହୋଇଥିବା ବେଳେ ଏହାକୁ ଆଧାର କରି ଅପରାଧୀଙ୍କୁ ଧରିବାକୁ ପୁଲିସ୍ ଚେଷ୍ଟା ଚଳାଇଛି। ଅପରାଧୀ ଦ୍ୱୟ ଏକ ସ୍କୁଟିରେ ଲକି ଓବେରୟଙ୍କୁ ପିଛା କରି ବହୁ ଦୂରରୁ ଆସିଥିବା ଅନୁମାନ କରାଯାଉଛି। ତେବେ ଲକି ଯେତେବେଳେ ଗୁରୁଦ୍ୱାରାରେ ନିଜ ପ୍ରାର୍ଥନା ସାରି ନିଜ ଗାଡ଼ିରେ ବସିବାକୁ ବାହାରିଲେ ସେତେବେଳେ ଏହି ଦୁଇଜଣ ଯୁବକ ତାଙ୍କ ଉପରକୁ ପ୍ରାୟ ୬ ରାଉଣ୍ଡ୍ ଗୁଳି କରିଥିଲେ। ୫ଟି ଗୁଳି ଓବେରୟଙ୍କ ଛାତିରେ ଏବଂ ଗୋଟିଏ ମୁଣ୍ଡରେ ବାଜିଥିଲା। ଓବେରୟ ଆମ୍ ଆଦ୍ମୀ ପାର୍ଟିରୁ ଜଳନ୍ଧର କ୍ୟାଣ୍ଟର ୱାର୍ଡ ୩୫ର ନିର୍ବାଚନମଣ୍ଡଳୀ ପ୍ରଭାରୀ ଥିଲେ। ତାଙ୍କ ଜନ୍ମଦିନ ମାତ୍ର ୧୧ ଦିନ ପୂର୍ବରୁ ଥିଲା। ଅନ୍ୟପକ୍ଷେ ଗ୍ୟାଙ୍ଗଷ୍ଟର ଜୋଗା ଫୋଲଡିୱାଲ, ଲକି ଓବେରୟଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ସୁତରାଂ ଆଜିର ଏହି ଗୁଳିକାଣ୍ଡ ଘଟଣା ଖାଲସା କଲେଜର ସଭାପତି ପଦକୁ ନେଇ ଘଟିଥିବା ଅନୁମାନ କରାଯାଉଛି।










