ଗୁଜରାଟ : ପ୍ରେମରେ ଅନ୍ଧ ହୋଇଗଲା ଯୁବକ । ଆଉ ଦିନ ଦ୍ବିପ୍ରହରରେ ପ୍ରେମିକାକୁ ଗୁଳି ମାରିଲା । ଗୁଳି ମାରିବା ପରେ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁଜରାଟ ଅହମଦାବାଦରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ମୁତାବକ, ଅହମଦାବାଦର ନାରୋଲ ଅଞ୍ଚଳରେ ଆଲିଫ ନଗରରେ ଯୁବକ ଜଣକ ପ୍ରେମ କରୁଥିବା ଯୁବତୀଙ୍କୁ ଭେଟିବା ପାଇଁ ଯାଇଥିଲେ । ଆଉ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କ ନିର୍ବନ୍ଧ ଅନ୍ୟ ଜଣେ ଯୁବକଙ୍କ ସହିତ ହୋଇଥିବା ଜାଣିବାକୁ ପାଇଥିଲେ । ଏଥିପାଇଁ ରାଗି ଯାଇ ଯୁବକ ଜଣକ ପ୍ରେମିକାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ମଧ୍ୟପ୍ରଦେଶରୁ ଯାଇଥିବା ଯୁବକ ଜଣକ ପ୍ରେମିକା ଉପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ହେଲେ ଘଟଣାରେ ଯୁବତୀଙ୍କୁ ବେଶି କିଛି କ୍ଷତି ପହଞ୍ଚିନାହିଁ । ଘଟଣା ବିଷୟରେ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ପୋଲିସ କହିବା ମୁତାବକ, ଯୁବକ ଜଣକ ୧୦ ଦିନ ପୂର୍ବରୁ ୨୮ ହଜାର ଟଙ୍କାରେ ପିସ୍ତଲ କିଣିଥିଲେ । ସେଥିରୁ ପ୍ରେମିକା ଉପରକୁ ଗୁଳି ଚଳାଇଥିଲେ । ତେବେ ଯୁବକ ଜଣକ ମଧ୍ୟପ୍ରଦେଶ ଯିବାକୁ ବସରେ ବସିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ପ୍ରେମିକ ଜଣକ ପ୍ରେମିକା ଫୋନ ବ୍ୟସ୍ତ ଆସିବାରୁ ସଂପୂର୍ଣ୍ଣ ଗାଁର କରେଣ୍ଟ କାଟିଦେଇଥିଲେ । ଫୋନରେ ଚାର୍ଜ ରହିଲେ ସିନା ପ୍ରେମିକା କାହା ସହିତ ଗପିବ କହି ସମଗ୍ର ଗାଁକୁ ଅନ୍ଧକାର କରିଦେଇଥିଲେ ହତାଶିଆ ପ୍ରେମିକ । ତାଙ୍କ ପ୍ରେମିକାଙ୍କ ଫୋନ୍ କାହିଁକି ବ୍ୟସ୍ତ ଆସିଲା । ଫୋନ ବିଜି ଆସିବାରୁ ସେ ବିରକ୍ତ ହୋଇଯାଇଥିଲେ ଏବଂ ପରିସ୍ଥିତିକୁ ସ୍ୱାଭାବିକ କରିବା ପରିବର୍ତ୍ତେ, ସେ ଗାଁର ବିଦ୍ୟୁତ୍ କନେକ୍ସନ କାଟି ଦେଇ ନିଜର ହତାଶାକୁ ପରିପ୍ରକାଶ କରିଥିଲେ ।









