ବୌଦ୍ଧ: ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ମହାନଦୀ ସାତକୋଶିଆ ଗଣ୍ଡରେ ସରିଲା କୁମ୍ଭୀର ଗଣନା। ତିନି ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ସରିଛି । ସମୁଦାୟ ୧୯ ଟି କୁମ୍ଭୀର ଥିବା ବେଳେ ୧୧ ଟି ଘଡିଆଳ ଓ ୮ ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି। ୧୧ ଟି ଘଡିଆଳ ମଧ୍ୟରୁ ୩ ଟି ବଡ ଓ ୮ ଟି ଛୁଆ ଘଡିଆଳ ଥିବା ଜଣାପଡ଼ିଛି । ସେହିପରି ୮ ଟି ମଗର ପ୍ରଜାତିର କୁମ୍ଭୀର ମଧ୍ୟରୁ ୫ ଟି ବଡ ମଗର ଓ ୩ ଟି ଛୁଆ ମଗର ରହିଛନ୍ତି । ସୂଚନା ଅନୁଯାୟୀ, ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଆଜି ସରିଥିବା ନେଇ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ମହାନଦୀର ଏହି ଗଣ୍ଡରେ ୨୦୨୪ ମସିହାରେ ୩୫ ଗୋଟି କୁମ୍ଭୀର ଅଣ୍ଡାରୁ ସୁସ୍ଥ ଶାବକ ଜନ୍ମ ନେଇଥିଲେ । ବର୍ଷା ଋତୁ ପୂର୍ବରୁ କୁମ୍ଭୀର ଶାବକ ଅଣ୍ଡାରୁ ଜନ୍ମ ନେଇଥିବାରୁ ନଦୀ ବନ୍ୟାରେ କିଛି ଶାବକ ପ୍ରତି ବର୍ଷ ଅନ୍ୟତ୍ର ଚାଲି ଯାଇଥାନ୍ତି । ପରି ଶେଷରେ ପ୍ରତି ବର୍ଷ ଅବଶିଷ୍ଟାଂଶ କୁମ୍ଭୀରଙ୍କ ବଂଶ ରକ୍ଷା ନେଇ କୁମ୍ଭୀର ଗଣନା କାର୍ୟ୍ୟକ୍ରମ ହେଉଛି।