31.1 C
Bhubaneswar
Friday, February 13, 2026
Homeଓଡିଶାଦାଦନ ସମସ୍ୟା ଦୂରେଇବା ପାଇଁ ଗଠନ ହେଲା ଟାସ୍କଫୋର୍ସ

ଦାଦନ ସମସ୍ୟା ଦୂରେଇବା ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର: ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ, ମିଶନଶକ୍ତି, ପର୍ଯ୍ୟଟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମାନ୍ୟବର ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି । ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ଭାବରେ ଆଲୋଚନା କରିବା ସହ ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ । ଏହା ସହ ଏହି ଟାସ୍କଫୋର୍ସ ବିଭିନ୍ନ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପଗୁଡିକ ସୁପାରିଶ କରିବ । ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସଟି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଲୋକସେବା ଭବନଠାରେ କାର୍ଯ୍ୟ କରିବ ।

ପ୍ରତି ଛଅ ମାସରେ ଅନ୍ୟୁନ ଥରେ ଟାସ୍କଫୋର୍ସର ବୈଠକ କରାଯାଇ ଦାଦନ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯିବ । ଦାଦନ ଦୂରୀକରଣ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ, ଉନ୍ନୟନ ବିଶେଷଜ୍ଞ, ମିଳିତ ଜାତିସଂଘ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ଗଠିତ ଏହି ସ୍ୱତନ୍ତ୍ର ଟାସ୍କଫୋର୍ସ ଅଞ୍ଚଳ ଅନୁଯାୟୀ ବିସ୍ଥାପନର ପ୍ରକାରଭେଦ ନିରୀକ୍ଷଣ କରିବା ସହ ଆବଶ୍ୟକୀୟ ନିର୍ଦ୍ଦିଷ୍ଟ ପଦକ୍ଷେପ ସୁପାରିଶ କରିବ । ଏହା ସହ ବିସ୍ଥାପନଜନିତ ଆଞ୍ଚଳିକ ବୈଷମ୍ୟତା, ସମାୟିକତା ତଥା ଏହାର ବିସ୍ତୃତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ନିରାକରଣ ନିମନ୍ତେ ପରାମର୍ଶ ଦେବ ।

ଏତଦ୍‌ବ୍ୟତୀତ ଦାଦନଜନିତ ବିସ୍ଥାପନ ହ୍ରାସ କରିବା ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଜାରି ରହିଥିବା କାର୍ଯ୍ୟକ୍ରମ ଓ ଏହା ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟବସ୍ଥାର ଅଧ୍ୟୟନ କରାଯିବ । ଦକ୍ଷତା ବିକାଶ, ଋଣ ଉପଲବ୍ଧତା, ଦାରିଦ୍ର୍ୟ ନିରାକରଣ ଯୋଜନାରେ ପରିବାରମାନଙ୍କୁ ସାମିଲ କରିବା, ଭିତ୍ତିଭୂମି ଯୋଗାଇ ଦେବା ତଥା ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ନିଆଯିବାକୁ ଥିବା ନିର୍ଦ୍ଦିଷ୍ଟ ପଦକ୍ଷେପ ସୁପାରିଶ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯିବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ ଓ ଯୋଜନା ସୁପାରିଶ କରିବା, ସମସ୍ୟାର ସାମଗ୍ରିକ ଏବଂ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ, ଜିଲ୍ଲା, ପଞ୍ଚାୟତ ସମିତି ସ୍ତରରେ ଆବଶ୍ୟକୀୟ ଆନୁଷ୍ଠାନିକ ଢାଞ୍ଚା ଉପଲବ୍ଧ କରାଇବା ନିମନ୍ତେ ପରାମର୍ଶ ଦେବା, ପ୍ରସ୍ତାବିତ ପଦକ୍ଷେପଗୁଡିକର ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ବିଶେଷଜ୍ଞ ସଂସ୍ଥା, ନାଗରିକ ସମାଜ ଓ ବୈଷୟିକ ସଂଗଠନଗୁଡିକ ସହ ସହଭାଗିତା ଆଦି ବିଷୟରେ ବିଚାର କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking