ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଚାଟିକଣା ଅଞ୍ଚଳର ଗୋଟିଏ ୫ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା କରାଯାଇଥିବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନାରୁ ଜଣାପଡିଛି ଚାଟିକଣାସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ୫ ବର୍ଷ ପୁଅ ଋଷି ଗନ୍ତାୟତକୁ କେହି ଜଣେ ଅପହରଣ କରିଥିଲା । ଏନେଇ ପୁରୁଷୋତ୍ତମ ଗନ୍ତାୟତଙ୍କ ସଂପର୍କୀୟଙ୍କୁ ଅଜଣା ମେସେଜ ଆସିଥିଲା ଯେ ଟଙ୍କା ଦେଲେ ଋଷିକୁ ପାଇବ । ଏନେଇ ପୋଲିସକୁ କିମ୍ବା କାହାକୁ ଜଣାଇଲେ ସ୍ଥିତି ଖରାପ ହେବ । ପରିବାର ବର୍ଗ ଓ ସମ୍ପର୍କୀୟ ଆଜି ଦିନ ସାରା ଖୋଜାଖୋଜି କରିଥିଲେ କିନ୍ତୁ ଏବେ ବିଳମ୍ବିତ ରାତ୍ରିରେ ଋଷିକୁ ହତ୍ୟା କରି ଗୋଟିଏ ବସ୍ତାରେ ବନ୍ଧା ହୋଇ ମୃତଦେହକୁ ଘର ପଛ ପଟେ ଫିଙ୍ଗା ହୋଇଥିବା ଦେଖିବାକୁ ପାଇଲେ । ପୁଲିସକୁ ଏନେଇ ସୂଚନା ଦେଲା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ସମ୍ପର୍କୀୟକୁ ପୁଲିସ ଅଟକ ରଖିଥିବା ଜଣାପଡିଛି ।










