ଭୁବନେଶ୍ୱର: ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଶିଳ୍ପ ବିଭାଗର ବଜେଟ୍ ଆକଳନ ଉପସ୍ଥାପନ କରିଛନ୍ତି, ଯାହାକି ପାରିତ ହୋଇଯାଇଛି । ଏହା ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ପୁଞ୍ଜିନିବେଶ ଆକର୍ଷିତ କରିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ।
ଏହି ଅବସରରେ ମାନ୍ୟବର ଶିଳ୍ପ ମନ୍ତ୍ରୀ, ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିଭାଗର ଭୂମିକା ନେଇ ସୂଚନା ଦେଇଛନ୍ତି। ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା, ଶିଳ୍ପ ଭିତ୍ତିଭୂମି ନିର୍ମାଣ, ପ୍ରକଳ୍ପ ସହାୟତା ଏବଂ ପ୍ରଗତିଶୀଳ ନୀତିଗତ ଢାଞ୍ଚାର କାର୍ଯ୍ୟକାରିତା ମାଧ୍ୟମରେ ଓଡ଼ିଶାକୁ ଭାରତର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଗଢି ତୋଳିବାକୁ ବିଭାଗ ପକ୍ଷରୁ କରାଯାଉଥିବା ଉଦ୍ୟମ ନେଇ ସେ ସୂଚନା ଦେଇଛନ୍ତି।
ଗତ ବର୍ଷକ ମଧ୍ୟରେ ଓଡିଶା ସରକାର ରାଜ୍ୟକୁ ପୁଞ୍ଜିନିବେଶ ନେଇ ଅନେକ ପଦକ୍ଷେପ ନେଇଛନ୍ତି। ଓଡ଼ିଶା-ଟେକ୍ସ ୨୦୨୫, ଓଡ଼ିଶା ଫାର୍ମା ସମ୍ମିଳନୀ ଏବଂ ରାଉରକେଲାରେ ଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ ଭଳି ଜାତୀୟସ୍ତରର କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ପୁଞ୍ଜିନିବେଶ ଆକର୍ଷଣ ଉଦ୍ୟମକୁ ବହୁଗୁଣିତ କରିଛନ୍ତି।
୨୦୨୫ ମସିହା ମଧ୍ୟରେ ଓଡ଼ିଶା ସରକାର ୧.୭୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶରେ ୮୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି, ଯାହା ୧.୪୩ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।
‘ଉତ୍କର୍ଷ ଓଡ଼ିଶା– ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ ରାଜ୍ୟର ପୁଞ୍ଜିନିବେଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ସମ୍ମିଳନୀରେ ୨୦ଟି କ୍ଷେତ୍ରରେ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହିତ ୫୯୩ଟି ନିବେଶ ପ୍ରସ୍ତାବ ଆସିଛି, ଯାହା ପ୍ରାୟ ୧୨.୮୮ ଲକ୍ଷ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି କରିଛି। ଜୁନ୍ ୨୦୨୪ ପରଠାରୁ, ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ଏବଂ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ୮.୧୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ସହିତ ୩୯୨ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ମାଧ୍ୟମରେ ୫ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଶିଳ୍ପ ନିୟାମକ ପ୍ରକ୍ରିୟାରେ ଓଡିଶାର ସଂସ୍କାରକୁ ଜାତୀୟସ୍ତରରେ ବଡ଼ ସ୍ୱୀକୃତି ମିଳିଛି। ଭାରତ ସରକାରଙ୍କ ଶିଳ୍ପ ଏବଂ ଆନ୍ତରିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଦ୍ୱାରା ପ୍ରକାଶିତ ‘ବିଜନେସ୍ ରିଫର୍ମ ଆକ୍ସନ୍ ପ୍ଲାନ୍’ (BRAP)ରେ ଓଡ଼ିଶାକୁ ‘ଟପ୍ ଆଚିଭର୍’ ମାନ୍ୟତା ଦିଆଯାଇଛି। ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ସ୍ଥାନୀୟସ୍ତରରେ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ‘ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ ଏଜେନ୍ସି’ (DIPA) କାର୍ଯ୍ୟକ୍ଷମ ହୋଇଛି।
ରାଜ୍ୟ ସରକାର ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଶିଳ୍ପାଞ୍ଚଳର ବିକାଶ, ଶିଳ୍ପ କରିଡର ଏବଂ କ୍ଷେତ୍ର-ଭିତ୍ତିକ ଶିଳ୍ପ ପାର୍କଗୁଡିକର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ନୂତନ ଫୁଡ୍ ପାର୍କ ନିର୍ମାଣ, ଖୋର୍ଦ୍ଧାରେ ଟେକ୍ସଟାଇଲ୍ ପାର୍କର ବିକାଶ, ଅନୁଗୋଳରେ ଆଲୁମିନିୟମ୍ ପାର୍କ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କର ସମ୍ପ୍ରସାରଣ କରାଯାଉଛି। ଏହି ସବୁ ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ଅନୁସଙ୍ଗିକ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ଏବଂ ଶିଳ୍ପ ଉତ୍ପାଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା ବା ଭାଲ୍ୟୁ-ଚେନ୍କୁ ଅଧିକ ଶକ୍ତିଶାଳୀ କରିବା।
ଓଡ଼ିଶାର ଶିଳ୍ପ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ମୋଟ ୧,୨୦୦ କୋଟି ଟଙ୍କା ଓ ପ୍ରତିଷ୍ଠାନ ଓ ପରିଚାଳନା ଖର୍ଚ୍ଚ ବାବଦକୁ ୭.୨୯ କୋଟି ଟଙ୍କାର ବଜେଟ୍ ବ୍ୟୟ ଅଟକଳ ପ୍ରସ୍ତାବ ରଖିଛନ୍ତି। ଏଥିରେ ଏସଆଇଡିବିଆଇ (SIDBI) କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ଏବଂ ଦୀନ ଦୟାଲ କର୍ମଚାରୀ ନିବାସ ଅଧୀନରେ ଶିଳ୍ପ ଶ୍ରମିକଙ୍କ ପାଇଁ ହଷ୍ଟେଲ ନିର୍ମାଣ ନିମନ୍ତେ ୨୪୩ କୋଟି ଟଙ୍କା, ଶିଳ୍ପାଞ୍ଚଳଗୁଡ଼ିକର ଉନ୍ନତୀକରଣ ପାଇଁ ଶିଳ୍ପ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି (IIMF) ବାବଦକୁ ୧୬୦ କୋଟି ଟଙ୍କା ଏବଂ ପାଇପଲାଇନ ଓ ବିଦ୍ୟୁତ୍ ଯୋଗାଣ ଭଳି ବାହ୍ୟ ଭିତ୍ତିଭୂମିର ବିକାଶ ପାଇଁ ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି (IIDF) ଅଧୀନରେ ୧୫୦ କୋଟି ଟଙ୍କା ରହିଛି।
ସରକାର ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା’ ପାଇଁ ୧୨୫ କୋଟି ଟଙ୍କା ଏବଂ ଶିଳ୍ପ ପ୍ରକଳ୍ପ ପାଇଁ ଜମିର ଉପଲବ୍ଧତା ସୁନିଶ୍ଚିତ କରିବାକୁ ‘ଲ୍ୟାଣ୍ଡ ବ୍ୟାଙ୍କ’ ଯୋଜନା ଅଧୀନରେ ୧୦୧.୭୨ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଶିଳ୍ପ ଏବଂ ଚଳଚ୍ଚିତ୍ର ନୀତି ପ୍ରୋତ୍ସାହନ ପାଇଁ ୧୨୩.୨୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବିତ ହୋଇଛି, ଯେଉଁଥିରେ ବୃହତ ଶିଳ୍ପଗୁଡ଼ିକୁ VAT/GST ଫେରସ୍ତ ଆକାରରେ ଆର୍ଥିକ ସହାୟତା, IPR ଅଧୀନରେ ସବସିଡି, ବୃହତ ଶିଳ୍ପଗୁଡ଼ିକ ପାଇଁ ସୁଧ ସବସିଡି ଏବଂ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି ଅଧୀନରେ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ସାମିଲ ଅଛି।
କ୍ଷେତ୍ରଭିତ୍ତିକ ପଦକ୍ଷେପଗୁଡ଼ିକ ମଧ୍ୟରେ ଅନୁଗୋଳସ୍ଥିତ ଆଲୁମିନିୟମ୍ ପାର୍କର ସମ୍ପ୍ରସାରଣ ପାଇଁ ୯୦ କୋଟି ଟଙ୍କା, ଶିଳ୍ପ କରିଡରର ବିକାଶ ପାଇଁ ୪୦ କୋଟି ଟଙ୍କା ଏବଂ କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ତଥା ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମକୁ ଅନୁଦାନ ବାବଦରେ ୪୫ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ଅନ୍ୟାନ୍ୟ ଆବଣ୍ଟନ ମଧ୍ୟରେ ଟେକ୍ସଟାଇଲ୍ ପାର୍କ ପାଇଁ ୨୨ କୋଟି ଟଙ୍କା, ମେଗା ଫୁଡ୍ ପାର୍କ ପାଇଁ ୨୦ କୋଟି ଟଙ୍କା ଏବଂ ପାରାଦୀପସ୍ଥିତ ପ୍ଲାଷ୍ଟିକ୍ ପାର୍କ ପାଇଁ ୧୫ କୋଟି ଟଙ୍କା ରହିଛି।
ନୂତନ ପଦକ୍ଷେପଗୁଡ଼ିକ ମଧ୍ୟରେ ଓଡ଼ିଶା ରେୟାର୍ ଆର୍ଥ ମିନେରାଲ୍ କରିଡରର ବିକାଶ ପାଇଁ ୧୦ କୋଟି ଟଙ୍କା ଏବଂ ପ୍ରମୁଖ ଶିଳ୍ପ କ୍ଲଷ୍ଟରଗୁଡ଼ିକରେ ଶିଳ୍ପ ଟାଉନସିପ୍ ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିସହିତ ପୁଞ୍ଜିନିବେଶ ସହାୟତା ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବାକୁ ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ ଏଜେନ୍ସି (DIPA) ପାଇଁ ୨୧ କୋଟି ଟଙ୍କା, ପୁଞ୍ଜିନିବେଶ ପ୍ରୋତ୍ସାହନ ପରାମର୍ଶଦାତା ସେବା ପାଇଁ ୮.୪୦ କୋଟି ଟଙ୍କା, SLFC/DLFC ର ବିକାଶ ପାଇଁ ୮.୨୦ କୋଟି ଟଙ୍କା, ଇପିକଲ୍ (IPICOL) ର ସିଙ୍ଗଲ୍ ୱିଣ୍ଡୋ ସେବା ପାଇଁ ୩.୭୦ କୋଟି ଟଙ୍କା ଏବଂ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ପୁଞ୍ଜିନିବେଶ ଓ ରପ୍ତାନି ପ୍ରୋତ୍ସାହନ କାର୍ଯ୍ୟାଳୟ (OIEPO) ର ସୁଦୃଢ଼ୀକରଣ ପାଇଁ ୨୦ ଲକ୍ଷ ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।
ରାଜ୍ୟ ସରକାର ଶିଳ୍ପ ଶ୍ରମିକମାନଙ୍କୁ ସହାୟତା ଏବଂ ଶିଳ୍ପ ସମ୍ପ୍ରସାରଣ ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଶିଳ୍ପ କ୍ଲଷ୍ଟରଗୁଡ଼ିକ ନିକଟରେ ଶିଳ୍ପ ଟାଉନସିପ୍ ଏବଂ ଶ୍ରମିକ ହଷ୍ଟେଲ ବିକାଶ ମାଧ୍ୟମରେ ଶ୍ରମିକ କଲ୍ୟାଣ ତଥା ଶିଳ୍ପ ସହରୀକରଣ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଶିଳ୍ପଗୁଡ଼ିକୁ ସହାୟତା ପ୍ରଦାନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶିଳ୍ପ ନୀତି ପ୍ରସ୍ତାବ (IPR) ୨୦୨୨ ଅଧୀନରେ SGST ଫେରସ୍ତ, ବିଦ୍ୟୁତ୍ ଶୁଳ୍କ ଛାଡ଼, ପୁଞ୍ଜିନିବେଶ ସବସିଡି, ନିଯୁକ୍ତି ଖର୍ଚ୍ଚ ସବସିଡି ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ଼ ଭଳି ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ ଜାରି ରଖିଛନ୍ତି। ରାଜ୍ୟର ଶିଳ୍ପ ରଣନୀତି ‘ବିକଶିତ ଓଡ଼ିଶା ୨୦୩୬’ର ଦୀର୍ଘକାଳୀନ ପରିକଳ୍ପନା ସହିତ ଜଡ଼ିତ, ଯେଉଁଥିରେ ସ୍ଥାୟୀ ଏବଂ ସାମଗ୍ରିକ ଅଭିବୃଦ୍ଧି ମାଧ୍ୟମରେ ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଏବଂ ନିଯୁକ୍ତିଭିତ୍ତିକ ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।










