ନାଗପୁର: ପ୍ରେମରେ କଣ୍ଟା ସାଜିଲା ସ୍ବାମୀ । ପାରାଲିସିସରେ ପଡ଼ିଥିବା ସ୍ବାମୀର ଜୀବନ ନେଲା ସ୍ତ୍ରୀ । ଭୁଲିଗଲା ପିଲାଛୁଆଙ୍କ କଥା । ପ୍ରେମିକ ପ୍ରେମରେ ଉବୁଟୁବୁ ହେଉଥିଲେ ମହିଳା । ବାଇଆ କଲା ପ୍ରେମିକର ପ୍ରେମ । ପ୍ରେମିକ ସହ ମିଶି ସ୍ବାମୀର ହତ୍ୟା କଲା ସ୍ତ୍ରୀ । ପାରାଲିସିସରେ ପଡ଼ିଥିବା ସ୍ବାମୀ ପ୍ରତି ଟିକେ ବି ଦୟା ଆସିଲାନି । ସ୍ବାମୀକୁ ମାରିବା ପାଇଁ ପ୍ରେମିକର ସାହାଯ୍ୟ ନେଲା । ଆଉ ଘରେ କେହି ନଥିବାବେଳେ ସ୍ବାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ସାତ ଜନ୍ମ ପାଇଁ ସ୍ବାମୀର ହାତ ଧରିଥିଲେ ସିନା କିନ୍ତୁ ପରକିୟାପ୍ରୀତିରେ ଭୁଲିଗଲେ ସବୁ ସମ୍ପର୍କ । ମହାରାଷ୍ଟ ନାଗପୁର ଜିଲ୍ଲାର ୱାଥୋଡା ପୋଲିସ ଷ୍ଟେସନ ଅଞ୍ଚଳରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ହତ୍ୟା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ନାମ ଚନ୍ଦ୍ରସେନ ବାଳକୃଷ୍ଣ ରାମଟେକ । ଚନ୍ଦ୍ରସେନ ପାରାଲିସିସରେ ପଡ଼ିବା ପୂର୍ବରୁ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସ୍ତ୍ରୀ, ଗୋଟିଏ ଝିଅ ଏବଂ ଦୁଇ ପୁଅକୁ ନେଇ ହସଖୁସିରେ ଚଳୁଥିଲେ ଚନ୍ଦ୍ରସେନ । କିନ୍ତୁ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଚନ୍ଦ୍ରସେନ ପାରାଲିସିସରେ ପଡ଼ି ଶଯ୍ୟାଶାୟୀ ହୋଇଥିଲେ । ସେବେଠାରୁ ସେ ଘରେ ରହୁଥିଲେ । ଘର ଚଳାଇବା ପାଇଁ ଚନ୍ଦ୍ରସେନଙ୍କ ସ୍ତ୍ରୀ ଦିଶା ଘରେ ଏକ ୱାଟର ପ୍ଲାଣ୍ଟ ଆରମ୍ଭ କରିଥିଲେ । ପରେ ପରେ ସେ ଗାଡ଼ି ଚଲାଇବା ଶିଖିଲେ ଏବଂ ଘର ଘର ବୁଲି ପାଣି କେନ୍ ବିକ୍ରି କରିବା ଆରମ୍ଭ କରିଥିଲେ ।
ଏହାରି ଭିତରେ ଆସିଫ ନାମକ ଜଣେ ଯୁବକ ସହିତ ବନ୍ଧୁତା କରି ବସିଥିଲେ ଦିଶା । ବନ୍ଧୁତା କେତେବେଳେ ଯେ ପ୍ରେମରେ ବଦଳି ଯାଇଥିଲା ଦିଶା ନିଜେ ବି ଜାଣିନଥିଲେ । ଦିଶାର ସ୍ୱଭାବରେ ପରିବର୍ତ୍ତନ ହେଉଥିବା ଦେଖି ଚନ୍ଦ୍ରସେନ ସନ୍ଦେହ କଲେ ଏବଂ ପରେ ସେ ଦିଶା ଏବଂ ଆସିଫଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ । ଦିଶାଙ୍କୁ ଗାଳିଗୁଲଜ କରିଥିଲେ ଚନ୍ଦ୍ରସେନ । ଆଉ ପ୍ରେମରେ ବାଧା ଦେବାରୁ ଦିଶା ମୁଣ୍ଡରେ ପଶିଥିଲା କୁବୁଦ୍ଧି । ଅଭିଯୁକ୍ତ ସ୍ତ୍ରୀ ଦିଶା ନିଜ ପ୍ରେମିକ ଆସିଫ ସହ ମିଶି ଚନ୍ଦ୍ରସେନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା । ଯୋଜନା ଅନୁଯାୟୀ ଉଭୟ ୪ ତାରିଖରେ ଚନ୍ଦ୍ରସେନଙ୍କୁ ହତ୍ୟା କରିଥିଲେ । ଚନ୍ଦ୍ରସେନ ଶୋଇଥିବା ସମୟରେ ଦିଶା ନିଜ ପ୍ରେମିକକୁ ଡାକି ଚନ୍ଦ୍ରସେନଙ୍କ ହତ୍ୟା କରିଥିଲେ । ମୃତଦେହ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଘରେ ପଡ଼ି ରହିଥିଲା । ଏହା ପରେ ଦିଶା ଚନ୍ଦ୍ରସେନଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଦିଶା ରଚିଥିବା ପ୍ଲାନ କାମ ଦେଲାନି । ଗୁମର ଖୋଲିଦେଲା ପୋଷ୍ଟମର୍ଟମ ରିପୋର୍ଟ । ପୋଲିସ ଜାଣିବାକୁ ପାଇଲା ଯେ ଚନ୍ଦ୍ରସେନଙ୍କ ମୃତ୍ୟୁ ମୁହଁ, ନାକ ଚାପି ଦେବା ଯୋଗୁଁ ହୋଇଛି । ଏହା ପରେ ଦିଶାକୁ ପଚରାଉଚରା କରିଥିଲା ପୋଲିସ । ସବୁ ସତ ମାନିଥିଲା ଦିଶା । ଘଟଣାକୁ ନେଇ ପୋଲିସ ଦିଶା ଏବଂ ଅଭିଯୁକ୍ତ ଆସିଫକୁ ହେପାଜତକୁ ନେଇଛି ।










