ଭୁବନେଶ୍ୱର : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ପାଇଁ ଆଜି ଆମେ ଗର୍ବିତ। ଆଜି ଭାରତୀୟ ହକି ଟିମ୍ ର କ୍ରୀଡ଼ାବିତ୍ ମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଆସି ପହଁଚିଥିଲେ। ଏହି ଅବସରରେ ଭାରତୀୟ ହକି ଟିମ୍ କୁ ଓଡ଼ିଶା ସରକାରଙ୍କ ତରଫରୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ହକି ଟିମ୍ ର କ୍ରୀଡ଼ାବିତ୍ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାପରେ ଭାରତୀୟ ହକି ଟିମ୍ କୁ ଏକ ରୋଡ଼ ସୋ ମାଧ୍ୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅଣା ଯାଇଥିଲା । ଏହି ଅବସରରେ ସମ୍ପୂର୍ଣ୍ଣ ପରିବେଶ ପ୍ରଶଂସକ ମାନଙ୍କର “ଟିମ ଇଣ୍ଡିଆ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ବିଭିନ୍ନ ସ୍ଥାନରେ ଲୋକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜନ ସାଧାରଣମାନେ ଭାରତୀୟ ହକି ଟିମ୍ କୁ ଅଭିବାଦନ ଜଣାଇଥିଲେ।
ଆଜିର ଭବ୍ୟ ସ୍ୱାଗତ ସମାରୋହ ଅବସରରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ‘ଓଡ଼ିଶା ମାଟିରେ ଭାରତୀୟ ହକି ଟିମ୍ ର କ୍ରୀଡାବିତ୍ ମାନଙ୍କୁ ସ୍ୱାଗତ ଜଣାଉଛି । ଆପଣ ମାନେ ହେଲେ ଆମ ଗର୍ବ ଓ ଗୌରବ। ଅଲିମ୍ପିକ୍ସ ଖେଳରେ କାଂସ୍ୟ ପଦକ ଜିତି ଆପଣ ମାନେ ଇତିହାସ ରହିଛନ୍ତି। ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଆପଣମାନେ ଆଗାମୀ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ବିଜୟ ଲାଭ କରି ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୋର ଆଶା । ପ୍ରକାଶଯୋଗ୍ୟ ଯେ, ଟୋକିଓ ଅଲମ୍ପିକ୍ସ -2020 ଓ ପ୍ୟାରିସ ଅଲମ୍ପିକ୍ସ – 2024 ରେ ଭାରତୀୟ ହକି ଟିମ୍ ଲଗାତାର ଦୁଇ ଥର ଭାବେ କାଂସ୍ୟ ପଦକ ଅର୍ଜନ କରି ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । 1928 ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ହକିଟିମ୍ ଅଲମ୍ପିକ୍ସ ପ୍ରତିଯୋଗିତାର ବିଭିନ୍ନ ସଂସ୍କରଣରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଭାରତୀୟ ହକି ଟିମ୍ ପାଖରେ 8 ଟି ସ୍ବର୍ଣ୍ଣ, 1 ଟି ରୌପ୍ୟ ଏବଂ 4 ଟି କାଂସ୍ୟ ପଦକ ତଥା ସର୍ବମୋଟ 13 ଟି ଅଲମ୍ପିକ୍ସ ପଦକ ରହିଛି ।