ମୁମ୍ବାଇ: ଆସନ୍ତା କାଲି ଗଣେଶ ଚତୁର୍ଥୀ । ଦେଶବ୍ୟାପୀ ଗଜାନନଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ତେବେ ଏସବୁ ମଧ୍ୟରେ ମୁମ୍ବାଇର ପ୍ରସିଦ୍ଧ ଗଣେଶ ‘ଲାଲବାଗ ରାଜା\’ଙ୍କୁ ଏଥର ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୦ କିଲୋଗ୍ରାମ ଓଜନର ସୁନାରେ ନିର୍ମିତ ମୁକୁଟ (୧୬ କୋଟି ଟଙ୍କା ମୂଲ୍ୟ) ଦାନ ସୂତ୍ରରେ ଦିଆଯାଇଥିବା ଜଣାପଡିଛି । ଶୁକ୍ରବାର ପ୍ରତିମୂର୍ତ୍ତିକୁ ଅନାବରଣ କରାଯିବା ପରେ ମେରୁନ ରଙ୍ଗର ପାଟବସ୍ତ୍ର ପିନ୍ଧିଥିବା ଲାଲବାଗ ରାଜା ଏହି ସୁନାର ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି ମୁକୁଟରେ ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥରଗୁଡ଼ିକ ମଧ୍ୟ ସଜ୍ଜିତ ରହିଛି ।
ପ୍ରତିବର୍ଷ ଅମ୍ବାନୀ ପରିବାର ଲାଲବାଗ ରାଜାଙ୍କୁ କୋଟି କୋଟି ଟଙ୍କା ଦାନ ଦେଇଆସୁଛନ୍ତି । ବିଶେଷ କରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ମଧ୍ୟ ଲାଲବାଗର ରାଜାଙ୍କ ସହ ବହୁତ ପୁରୁଣା ସମ୍ପର୍କ ରଖିଛନ୍ତି । ଅନନ୍ତ ଅମ୍ବାନୀ ପ୍ରତିବର୍ଷ ଲାଲବାଗର ରାଜାଙ୍କ ଦର୍ଶନ କରିବାକୁ ଆସିଥାନ୍ତି । କେବଳ ସେତିକି ନୁହେଁ, ଅନନ୍ତ ଅମ୍ବାନୀ ଲାଲବାଗ ରାଜା ପୂଜା କମିଟିରେ ମଧ୍ୟ ଅନ୍ୟତମ କମିଟି ସଦସ୍ୟ ରହିଛନ୍ତି । ଅନନ୍ତ ଅମ୍ବାନୀଙ୍କୁ ଏହି ପୂଜା କମିଟିର ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ୧୯୩୪ ମସିହାରୁ ଲାଲବାଗ ବଜାରରେ ଲାଲବାଗ ରାଜାଙ୍କ ନାମରେ ଗଜାନନ ପୂଜା ପାଇଆସୁଛନ୍ତି । ଗଣେଶ ଚତୁର୍ଥୀ ପାଳନ କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ଦ୍ୱାରା ଏହି ପୂଜା କମିଟି ପ୍ରତିଷ୍ଠା କରାଯାଇଥିଲା । ଲାଲବାଗ ବଜାରର ଏହି ପେଣ୍ଡାଲ ହେଉଛି ମୁମ୍ବାଇର ସବୁଠାରୁ ବଡ ପେଣ୍ଡାଲ୍ । ଲକ୍ଷ ଲକ୍ଷ ଭକ୍ତ ଏଠାକୁ ବାପ୍ପାଙ୍କ ଦର୍ଶନ କରିବାକୁ ଆସନ୍ତି ।










