କେନ୍ଦୁଝର : ଝରକା ରେଲିଂରେ ସାରା ରାତି ଲଟକି ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ । ଝରକା ରେଲିଂକୁ ବଙ୍କା କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ବାହାରିପାରିଲେନି ଛାତ୍ରୀ । ରେଲିଂ ଭିତରେ ମୁଣ୍ଡ ଅଟକ ଯାଇଥିଲା । ଶରୀରର ବାହାର ଆଡକୁ ରହିଥଲା । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଯାଇଥିଲା । ସୂଚନା ଅନୁଯାୟୀ ଗତକାଲି ସ୍କୁଲ ଛୁଟି ହେବା ପରେ ତାଲା ପକାଇ ପଳାଇଥିଲେ ବିଦ୍ୟାଳୟ କର୍ତ୍ତୁପକ୍ଷ । ତେବେ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ , ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବି ତାଙ୍କୁ ପାଇନଥିଲେ । ଆଜି ସକାଳୁ ସ୍କୁଲ ଗେଟ ଖୋଲିବା ପରେ ଛାତ୍ରୀ ଜଣଙ୍କୁ ଏଭଳି ଅବସ୍ଥାରେ ଦେଖିବା ପାଇଁ ମିଳିଥିଲା । ଝିଅଟି ବାହାରକୁ ବାହାରିବା ପାଇଁ ଚେଷ୍ଟା କରି ନିଜର ସମଗ୍ର ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେ ବି ମୁଣ୍ଡଟି ରେଲିଂ ଭିତରୁ ଆଉ ବାହାରି ପାରିନଥିଲା । ଫଳରେ ଛାତ୍ରୀ ଜଣଙ୍କ ଏମିତି ଅବସ୍ଥାରେ ହିଁ ସାରା ରାତି ଝରକାରେ ଝୁଲି ରହିଥିଲେ । ଆଜି ସକାଳେ ହିଁ ସ୍କୁଲ ଖୋଲିବା ପରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ଛାତ୍ରୀ ଜଣଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣଙ୍କ ଘରକୁ ଫେରିଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡିଛି । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ସୂଚନା ଦିଆଯାଇଛି ।










