ଚେନ୍ନାଇ: ସମୁଦ୍ରକୂଳରେ ଥିବା ଡ୍ରେସ ଚେଞ୍ଜିଂ ରୁମରେ କ୍ୟାମେରା ଲଗାଇ ଧରାପଡିଲେ ଦୁଇ ବ୍ୟକ୍ତି । ତାମିଲନାଡୁ ରାମେଶ୍ୱରମର ଅଗ୍ନିତୀର୍ଥମ ବିଚ୍ ରେ ଥିବା ଡ୍ରେସ ଚେଞ୍ଜିଂ ରୁମରେ ସିକ୍ରେଟ କ୍ୟାମେରା ଲଗାଇଥିଲେ । ବିଚରେ ଶ୍ରଦ୍ଧାଳୁ ସ୍ନାନ କରିବା ପରେ ଚେଞ୍ଜିଂ ରୁମରେ ଡ୍ରେସ ପରିବର୍ତ୍ତନ କରୁଥିବା ବେଳେ ଏମାନେ ଲୁଚାଛପା ରେକର୍ଡ କରୁଥିଲେ । ଖବର ମୁତାବକ, ତାମିଲନାଡୁ ରାମେଶ୍ୱରମରେ ଥିବା ରାମନାଥ ସ୍ୱାମୀ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି । ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅଗ୍ନିତୀର୍ଥମ ବିଚକୁ ଯାଇ ସ୍ନାନ କରନ୍ତି । ଶ୍ରଦ୍ଧାଳୁ ଏଠାରେ ସ୍ନାନ କରିବା ପରେ ବିଚରେ ଥିବା ପ୍ରାଇଭେଟ ଡ୍ରେସ ଚେଞ୍ଜିଂ ରୁମକୁ ଯାଇ ପୋଷାକ ପିନ୍ଧନ୍ତି ।
ଏଠିକାର ରୁମରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ବିଷୟରେ ସୋମବାର ଜଣାପଡିଥିଲା । ସୋମବାର ଦିନ ପୁଡୁକୋଟାଇର ଜଣେ ମହିଳା ଡ୍ରେସ ଚେଞ୍ଜ କରିବାକୁ ଯାଇଥିବା ବେଳେ ସିକ୍ରେଟ କ୍ୟାମେରା ଦେଖିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ତୁରନ୍ତ କର୍ତ୍ତ୍ପକ୍ଷଙ୍କୁ ଜଣାଇଥିଲେ । ପୋଲିସକୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଥର ମାମଲିକ ରାଜେଶଙ୍କୁ ଗିରଫ କରିଥିଲା । ଏହି ଚେଞ୍ଜିଂ ରୁମ ପାଖରେ ଥିବା ଚା’ ଦୋକାନରେ କାମ କରୁଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ଉଭୟେଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଏମାନଙ୍କୁ ଗିରଫ କରିବା ପରେ ତଦନ୍ତ ଜାରି ରଖିଛି । ଆଗକୁ ଏଭଳି ମନ୍ଦିର ହେଉ ଅବା ବିଚ୍ କୂଳରେ ଅପରାଧିକ ଗତିବିଧି ଉପରେ ନଜର ରଖିଛି ।