ନୂଆପଡା: ନୂଆପଡା ଜିଲ୍ଲା ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରାତିରେ ନୂଆପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ରାତି ପ୍ରାୟ ସାଢେ ୮ଟାରେ ନୂଆପଡା ସହର ମତଗୁଡିପଦାରେ ଏକ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ମୃତକ ମହିଳା ପୂର୍ବତନ ବିଜେଡି ଜିଲ୍ଲା ଯୁବ ସଭାପତି ତଥା ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ରଙ୍କ ପତ୍ନୀ । ତାଙ୍କ ଘର ସମ୍ମୁଖ ଏକ ଗଛରେ ଓଢଣୀକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାତି ପ୍ରାୟ ୯ଟାରେ ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ନୂଆପଡା ଆଇଆଇସି ଗଙ୍ଗାଧର ମେହେର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ରାତି ପ୍ରାୟ ୧୦ଟାରେ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।










