ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଛି ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”। ଆଜି ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ତ୍ରିପୁରା ରାଜ୍ୟର ନାଟ୍ୟଭୂମି ଅନୁଷ୍ଠାନ ଦ୍ୱାରା ବଙ୍ଗଳା ନାଟକ “ଅନୁକୂଲ ଅତୋପର” ପରିବେଷଣ କରାଯାଇଥିଲା।
ବିଶିଷ୍ଟ ବଙ୍ଗଳା ସାହିତ୍ୟିକ ସତ୍ୟଜିତ ରାୟଙ୍କ କ୍ଷୁଦ୍ରଗଳ୍ପ “ଅନୁକୂଲ”ରୁ ପ୍ରେରିତ ହୋଇ ନାଟ୍ୟକାର ସଞ୍ଜୟ କର ରଚନା କରିଛନ୍ତି ନାଟକ “ଅନୁକୂଲ ଅତୋପର”। ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରସ୍ନାତ କରଙ୍କ ନିର୍ଦ୍ଦେଶନାରେ ସଞ୍ଜୟ କର, ଦେବାର୍ପିତ ଚକ୍ରବର୍ତ୍ତୀ, ସାନି ସରକାର, ସୁପାଲି ଦାସ, ଅନନ୍ୟା ଘୋଷ, ପୋର୍ସିଆ ଚୌଧୁରୀ, ଅର୍ନିଶା ଆଚାର୍ଯ୍ୟ, ପଲ୍ଲବୀ ଦେବ, ତମଘ୍ନା ଧର, ଅସିମ କୁମାର ରାୟ ପ୍ରମୁଖଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ନାଟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ନାଟକର କାହାଣୀ ରୋବଟ “ଅନୁକୂଲ” ଉପରେ ପର୍ଯ୍ୟବେସିତ। ଆଜିର ଯୁଗରେ କୃତ୍ରିମ ବୁଦ୍ଧିମତା, ମେସିନ ଲର୍ନିଙ୍ଗ ଆଦି ପ୍ରଯୁକ୍ତିବିଦଦ୍ୟାର ବ୍ୟବହାର ଏବଂ ଆମ ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବକୁ ନାଟକରେ ପ୍ରଦର୍ଶିତ କରାଯାଇଥିଲା। କାହାଣୀରେ ସାଇନ୍ସ ଫିକ୍ସନ ଏବଂ ରୋମାଞ୍ଚର ସମିଶ୍ରଣ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ମନ୍ମଥ ଶତପଥୀ, ଶ୍ରୀ ପଞ୍ଚାନନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬” ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେବ। ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାଟକ “ଜିସ ଲାହୋର ନହିଁ ଦେଖାହେ ଓ ଜନ୍ମାହି ନହିଁ” ପରିବେଷଣ କରାଯିବ।










