ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରିବା ପାଇଁ ଜଣେ କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଶ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରିଥିଲା ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହି ରାଜ୍ୟସଭା ନିର୍ବାଚନରେ ହୋଇଥିବା ଘୋଡ଼ା ବେପାର ଯୋଗୁଁ ଓଡିଶା ନିନ୍ଦିତ ଓ ଲଜ୍ଜିତ ହେବା ସହିତ ବିଜୁ ଜନତା ଦଳ ବିରୋଧରେ ହୋଇଥିବା ଚକ୍ରାନ୍ତ ମଧ୍ୟ ଲୋକଲୋଚନକୁ ଆସିଛି ବୋଲି ବିଜେଡି କହିଛି ।ଶଙ୍ଖ ଭବନରେ ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ଦୁଇ ମାସ ତଳେ ବିଜେଡିର ଦୁଇ ବିଧାୟକ ଯଥା ଶ୍ରୀ ଅରବିନ୍ଦ ମହାପାତ୍ର ଓ ଶ୍ରୀ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରାଯାଇଥିଲା । ସେମାନଙ୍କ ନିଲମ୍ୱନର କାରଣକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଏବେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ତିନି ମାସ ତଳେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ବୋଲି ଶ୍ରୀ ବିଜୟ ମହାପାତ୍ର ଦେଇଥିବା ମନ୍ତବ୍ୟରୁ ବିଜେଡି ବିରୋଧରେ ହୋଇଥିବା ଚକ୍ରାନ୍ତ ବିଷୟରେ ସ୍ପଷ୍ଟ ହୋଇଛି । ତେଣୁ ବିଜେଡି ଦ୍ୱାରା ଦୁଇ ବିଧାୟକଙ୍କୁ କରାଯାଇଥିବା ନିଲମ୍ୱନ ଯଥାର୍ଥ ଥିଲା ବୋଲି ବିଜୟଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।
ଡ଼ ମହାନ୍ତି ଆହୁରି କହିଥିଲେ, ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କଳା ଟଙ୍କା ସାହାଯ୍ୟରେ ଘୋଡା ବେପାର କରି ରାଜ୍ୟସଭା ନିର୍ବାଚନ ଜିତିବା ପରେ ରାଜ୍ୟ ରାଜନୀତିରେ ଅଲୋଡ଼ା ହୋଇପଡ଼ିଥିବା କିଛି ନେତା ଉଲ୍ଲସିତ ହୋଇପଡିଛନ୍ତି । ବିଜେପିର ସଦସ୍ୟ ଥାଇ ସ୍ୱାଧୀନ ପ୍ରାର୍ଥୀ ହୋଇ ଓ ବିଜେପିର ସମର୍ଥନ ନେଇ ଏହି ଘୋଡା ବେପାରକୁ ରୂପ ଦିଆଯାଇଛି । ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ପରେ, ଏହି ନିର୍ବାଚନରେ ଘୋଡା ବେପାର ହେବାକୁ ଯାଉଛି ବୋଲି ବିଜେଡି ତରଫରୁ କୁହାଯାଇଥିଲା । ନିର୍ବାଚନର ଫଳ ଆସିବା ପରେ ଘୋଡା ବେପାର ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଘୋଡା ବେପାର ଯୋଗୁଁ ରାଜ୍ୟ ଲଜ୍ଜିତ ଓ ନିନ୍ଦିତ ହୋଇଥିବା ବେଳେ କ୍ରସ ଭୋଟିଂ କରିଥିବା ବିଧାୟକ ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଜନଆକ୍ରୋଶର ଶିକାର ହୋଇଛନ୍ତି । ଏହି ଆକ୍ରୋଶରୁ ବର୍ତ୍ତିବା ଲକ୍ଷ୍ୟରେ କିଛି ବିଧାୟକ ବିଜୁ ଲିଗାସୀ କଥା କହୁଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ, ବିଜେପି କ୍ଷମତାକୁ ଆସିବା ପରଠାରୁ ବିଜୁ ବାବୁଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ପ୍ରାୟୋଜିତ ଭାବେ ଆଘାତ ଦିଆଯାଉଛି । କେଉଁଠି ତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଉଛି ତ କେଉଁଠି ପୋଡି ଦିଆଯାଉଛି । ବିଜୁ ବାବୁଙ୍କ ନାମରେ ଥିବା ଯୋଜନା ଗୁଡିକର ନାମ ପରିବର୍ତ୍ତନ କରି ଦିଆଯାଉଛି । ବିଜୁ ବାବୁଙ୍କ ଜନ୍ମ ଦିବସରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସକୁ ବନ୍ଦ କରିଦିଆଗଲା । ଏସବୁ ଚାଲିଥିବା ବେଳେ, ବିଜୁ ଲିଗାସୀ କଥା କହୁଥିବା ନେତାଙ୍କ ମୁହଁରେ ଯେମିତି ତୁଣ୍ଡି ବନ୍ଧା ହୋଇଥିଲା । ନିଜର କଳା କାରନାମାକୁ ଢାଙ୍କିବା ପାଇଁ ବିଜୁ ଲିଗାସୀର କଥା କୁହାଯାଉଛି । ତେଣୁ କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ବିଜେଡି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ।










