ଭୁବନେଶ୍ୱର: ଆଜି ବି ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳରେ ବାରମ୍ବାର ଗୃହ ମୁଲତବୀ କରୁଛନ୍ତି ବାଚସ୍ପତି ସୁରମା ପାଢୀ । ଏସସିବି ପ୍ରସଙ୍ଗରୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏଥିସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ ବିଜେଡି, କଂଗ୍ରେସ ସଦସ୍ୟ । ଆଜି ଦିନରେ ତିନିଥର ଗୃହକୁ ମୁଲତବୀ କରାଗଲାଣି । ଗୃହକୁ ଚଳାଇ ଦେଉନାହାନ୍ତି ବିରୋଧୀ । ଏନେଇ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘେ।ଷଣା କରିଛନ୍ତି । ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ । ବାଚସ୍ପତି ଅନୁରୋଧ କରିବା ସତ୍ତ୍ୱେ ଶୁଣିନଥିଲେ । ସମାନ ଢଙ୍ଗରେ ପ୍ରତିବାଦ କରିଥିଲେ ବିରୋଧୀ । ଯଦିଓ ହୋହ୍ଲଲା ଭିତରେ ପ୍ରଶ୍ନକାଳ ଚାଲିଥିଲା , ତଥାପି ସୁରୁଖୁରୁରେ ଚଳାଇ ଦେଇନଥିଲେ ଗୃହ । ଏନେଇ ପ୍ରଥମେ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରାଗଲା ପରେ ୧୨ଟା ୩୦ ଯାଏଁ କରାଗଲା ପୁଣି ଏବେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ ।










