27.1 C
Bhubaneswar
Friday, March 13, 2026
Homeଓଡିଶାଇଞ୍ଜିନିୟରମାନଙ୍କ ପାଇଁ ଏକଦିନିଆ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଇଞ୍ଜିନିୟରମାନଙ୍କ ପାଇଁ ଏକଦିନିଆ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: କାରଖାନାର କାର୍ଯ୍ୟପରିବେଶକୁ ଅଧିକ ସୁରକ୍ଷିତ କରିବା ସହିତ ଶ୍ରମିକମାନଙ୍କ ଜୀବନ ଓ ସ୍ୱାସ୍ଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ ଉନ୍ନତିକୁ ସୁସ୍ଥ ଭିତ୍ତିରେ ଆଗେଇ ନେବା ଉଦ୍ଦେଶ୍ୟରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ନିୟମିତ ଭାବରେ ସୁରକ୍ଷା ସଚେତନତା ଓ କୁଶଳତା ବୃଦ୍ଧିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକ ଶିଳ୍ପ କାରଖାନାମାନଙ୍କରେ ଦୁର୍ଘଟଣା ପ୍ରତିରୋଧ ଓ ଶ୍ରମିକ ସୁରକ୍ଷା ସୁନିଶ୍ଚିତ କରିବାରେ ମୂଳଭୂମିକା ନିଭାଉଛି। ଏହି ପରିପ୍ରେକ୍ଷୀରେ, ଶିଳ୍ପ କାରଖାନାମାନଙ୍କରେ ବ୍ୟବହୃତ ବିଭିନ୍ନ ରାସାୟନିକ ପଦାର୍ଥ ସମ୍ବନ୍ଧୀୟ ସମ୍ଭାବ୍ୟ ବିପଦକୁ କମାଇବା ଏବଂ ଇଞ୍ଜିନିୟରମାନଙ୍କୁ ଏହାର ସୁରକ୍ଷିତ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବା ପାଇଁ ଗତ ତା. ୧୩ ମାର୍ଚ୍ଚ ୨୦୨୬ ରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଏକଦିନିଆ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ସତ୍ରରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସେ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଶିଳ୍ପ କାରଖାନାମାନଙ୍କରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହେଉଥିବାରୁ ସେଗୁଡ଼ିକର ସଠିକ୍ ପରିଚାଳନା ଓ ସୁରକ୍ଷା ନିୟମାବଳୀ ବିଷୟରେ ଜ୍ଞାନ ଅତ୍ୟାବଶ୍ୟକ। ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିଳ୍ପ କାରଖାନାମାନଙ୍କରେ ଦୁର୍ଘଟଣା ପ୍ରତିରୋଧ ସହିତ ସୁରକ୍ଷିତ କାର୍ଯ୍ୟପରିବେଶ ଗଠନରେ ମୂଳ ଭୂମିକା ନିଭାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାରଖାନା ଓ ବାଷ୍ପିତ୍ର (ସୁରକ୍ଷା) ଉପନିର୍ଦ୍ଦେଶକ ଡ଼. ମଳୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ରଖି କହିଥିଲେ ଯେ, ରାସାୟନିକ ପଦାର୍ଥ ସମ୍ବନ୍ଧୀୟ ସଚେତନତା ଓ ଆପତ୍କାଳୀନ ପରିସ୍ଥିତିରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା ମାଧ୍ୟମରେ ହିଁ କାରଖାନାରେ ସୁସ୍ଥ କାର୍ଯ୍ୟପରିବେଶ ସୁନିଶ୍ଚିତ କରାଯାଇପାରିବ।

ପ୍ରଶିକ୍ଷଣର ପ୍ରାଯୁକ୍ତିକ ସତ୍ରଗୁଡିକରେ ବିଭିନ୍ନ ଶିଳ୍ପ ସଂସ୍ଥାର ଅଭିଜ୍ଞ ବିଶେଷଜ୍ଞମାନେ ଯୋଗଦେଇ ରାସାୟନିକ ପଦାର୍ଥ ଜନିତ ବିପଦ ଓ ସେମାନଙ୍କର ସୁରକ୍ଷା ପ୍ରଟୋକଲ୍‌ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଥମ ପ୍ରାଯୁକ୍ତିକ ସତ୍ରରେ ଆଇଓସିଏଲ୍ ପାରାଦୀପ ରିଫାଇନେରୀର ଶ୍ରୀ ଅଜୟ କୁମାର “ହାଇଡ୍ରୋକାର୍ବନ ଓ ପେଟ୍ରୋରସାୟନିକ ପଦାର୍ଥ ସମ୍ବନ୍ଧୀୟ ବିପଦ” ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍‌ର ଶ୍ରୀ ପ୍ରାଚୀ ସୌରଭ ପଣ୍ଡା “ଏମୋନିଆ ଓ ସଲଫ୍ୟୁରିକ୍ ଆମ୍ଲ ସମ୍ବନ୍ଧୀୟ ସୁରକ୍ଷା ପ୍ରଟୋକଲ୍‌” ବିଷୟରେ ଉପସ୍ଥାପନା କରିଥିଲେ। ସେହିପରି ଦ୍ୱିତୀୟ ପ୍ରାଯୁକ୍ତିକ ସତ୍ରରେ ଜେ.କେ. ପେପର ଲିମିଟେଡ୍, ରାୟଗଡ଼ାର ଶ୍ରୀ ସନ୍ୟାସୀ କୁମାର ଡାକୁଆ “କ୍ଲୋରିନ ଓ ହାଇପୋକ୍ଲୋରାଇଟ୍” ଏବଂ ସାପିଜେନ ବାଏୋଲଜିକ୍ସର ଡ଼ା. ଅଭିଷେକ ଆଚାର୍ଯ୍ୟ “ଔଷଧ ଉତ୍ପାଦ ସମ୍ବନ୍ଧୀୟ ବିପଦ ଓ ସୁରକ୍ଷା ପ୍ରୋଟୋକଲ୍” ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରାୟ ୪୦ ଜଣ କାର୍ଯ୍ୟରତ ଇଞ୍ଜିନିୟର ଯୋଗଦେଇ ରାସାୟନିକ ପଦାର୍ଥର ସୁରକ୍ଷିତ ବ୍ୟବହାର ଓ ଆପତ୍କାଳୀନ ପରିସ୍ଥିତିରେ ନିବାରଣ ଉପାୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଆୟୋଜିତ ଉଦଯାପନୀ ସଭାରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking