ନୂଆଦିଲ୍ଲୀ: ବିନା ସିମରେ ଚାଲିବନି ହ୍ୱାଟସଆପ । କମ୍ଫ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗ ଆଉଟ । ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ । ସିମ , ବାଇଣ୍ଡିଂ ନିୟମ କାର୍ଯ୍ୟକାରୀ କରିବା ପାଇଁ କଡା ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଫେବୃଆରୀ ୨୮ ପର୍ଯ୍ୟନ୍ତ ରହିଥିବା ମହଲତକୁ ଆଗକୁ ଆଉ ବଢାଯିବ ନାହିଁ । ନୂତନ ନିୟମ ଅନୁଯାୟୀ, ମୋବାଇଲ ଫୋନରେ ସିମକାର୍ଡ ନଥିଲେ ହ୍ୱାଟସଆପ, ଟେଲିଗ୍ରାମ ସିଗନାଲ, ସ୍ନାପଚାଟ, ସେୟାର ଚାର୍ଟ, ଜିଓ ଚାର୍ଟ ଏବଂ ଜୋସ ଭଳି ମେସେଜିଂ ଆପ ଆଉ କାମ କରିବ ନାହିଁ । ଯେଉଁମାନେ କମ୍ପ୍ୟୁଟରରେ ହ୍ୱାଟସଆପ ବ୍ୟବହାର କରୁଛନ୍ତି । ସେମାନଙ୍କ ଆକାଉଣ୍ଟ ପ୍ରତି ୬ ଘଣ୍ଟା ରେ ଥରେ ଲଗ ଆଉଟ ହୋଇଯିବ । ସାଇବର ଠକେଇର ମୁକାବିଲା କରିବା ପାଇଁ ସରକାର ଏହି କଠୋର ନିୟମ ଆଣିଛନ୍ତି । ବର୍ତ୍ତମାନ ଫୋନରୁ ସିମ ବାହାର କରିଦେବା ପରେ ବି ହ୍ୱାଟସଆପ ଚାଲୁଛି । ଓଟିପି ଜରିଆରେ ହ୍ୱାଟସଆପରେ ଲଗଇନ ସମ୍ଭବ ହେଉଛି । ସିମ ବାଇଣ୍ଡିଂ ନିୟମ ଲାଗୁ ହେବା ପରେ ସେହି ସୁବିଧା ଆଉ ମିଳିବ ନାହିଁ । ନୂଆ ନିୟମ ଅଧୀନରେ କମ୍ପାନୀ ଗୁଡିକୁ ନିୟମ ପାଳନ ସମ୍ପର୍କରେ ୧୨୦ ଦିନର ରିପୋର୍ଟ ଦେବାକୁ ପଡିବ । ନିୟମ ଉଲ୍ଲଙ୍ଘନ କଲେ ଟେଲି ଯୋଗାଯୋଗ ଆଇନ ୨୦୨୩, ଟେଲିକମ ସାଇବର ସୁରକ୍ଷା ନିୟମ ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନୂଆ ନିୟମ ଦ୍ୱାରା ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ଆପଣଙ୍କ ନମ୍ବର ବ୍ୟବହାର କରିପାରିବେ ନାହିଁ ।









