ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନର ପ୍ରଥମ ଦିନ ଫେବୃଆରୀ ୧୭ ତାରିଖରେ ମାନ୍ୟବର ରାଜ୍ୟପାଳ ତାଙ୍କର ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ । ବର୍ଷର ପ୍ରଥମ ଅଧିବେଶନ, ଯାହାକୁ ଆମେ ବଜେଟ ସେସନ ଭାବେ ଗୁରୁତ୍ୱ ଦେଇ ଭାଗ ନେଉ, ସେଥିରେ ମାନ୍ୟବର ରାଜ୍ୟପାଳ ଏକ ଭବିଷ୍ୟମୁଖୀ ଓ ଦୂରଦୃଷ୍ଟିସମ୍ପନ୍ନ ଅଭିଭାଷଣ ପ୍ରଦାନ କରିଛନ୍ତି । ଏଥିପାଇଁ ମୁଁ ମାନ୍ୟବର ରାଜ୍ୟପାଳଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସମ୍ପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ଏହି ପବିତ୍ର ଗୃହର ସଦସ୍ୟ ମାନେ ଆଲୋଚନା କରିଛନ୍ତି। ଆଲୋଚନାରେ ଭାଗ ନେଇଥିବା ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ବର୍ଷର ପ୍ରଥମ ଅଧିବେଶନକୁ ମାନ୍ୟବର ରାଜ୍ୟପାଳ ସମ୍ବୋଧନ କରିବାର ପ୍ରଥା ରହିଛି। ଏହି ପ୍ରଥମ ଅଧିବେଶନ ବଜେଟ ଅଧିବେଶନରୁ ଆରମ୍ଭ ହୋଇଥାଏ। ତେଣୁ, ମାନ୍ୟବର ରାଜ୍ୟପାଳ ଆସନ୍ତା ବର୍ଷରେ ରାଜ୍ୟସରକାରଙ୍କ କ’ଣ ଆଭିମୁଖ୍ଯ ହେବ, ଶାସନ-ପ୍ରଶାସନରେ ସରକାର କେଉଁ ପ୍ରକାର ସଂସ୍କାର ଆଣିବାକୁ ଯାଉଛନ୍ତି। ବିଗତ ଦିନରେ ସରକାରଙ୍କ ସଫଳତା କ’ଣ, ସେ ସବୁ ବିଷୟରେ ଆଲୋକପାତ କରିଥାନ୍ତି। ତେଣୁ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥାଏ ଯେଉଁ ମଞ୍ଚକୁ ଉପଯୋଗ କରି ଉଭୟ ବିରୋଧୀ ଓ ଶାସକ ଦଳ ନିଜ ନିଜ ପକ୍ଷ ବିଧାନସଭାରେ ରଖିଥାନ୍ତି, ଏବଂ ବିଧାନସଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇଥାନ୍ତି। ଏହି ଆଲୋଚନାରେ ବିରୋଧିଦଳ ଅନେକ ଗଠନମୂଳକ ମତାମତ ରାଜ୍ୟବାସୀଙ୍କ କଲ୍ୟାଣପାଇଁ ଦେଇ ଥାଆନ୍ତି, ଯାହାକୁ ସରକାର ଗୁରୁତ୍ଵର ସହିତ ବିଚାର କରି ନିଜ କାର୍ଯ୍ୟକ୍ରମରେ ଯୋଡି ଥାଆନ୍ତି।
କିନ୍ତୁ, ଦୁଃଖର ବିଷୟ ବିରୋଧିଦଳର ମାନ୍ୟବର ସଦସ୍ୟମାନେ ଆଲୋଚନାରେ ବିଶେଷ ଯୋଗଦାନ ନ ରଖି, ପାଟିତୁଣ୍ଡ, ହୋ ହାଲ୍ଲା କରି ଗୃହକୁ ବାରମ୍ୱାର ଅଚଳ କରିଥିଲେ । ଗଣତାନ୍ତ୍ରିକ ପରମ୍ପରାରେ ବିରୋଧିଦଳର ପ୍ରଶ୍ନ ପଚାରିବାର ଅଧିକାର ଅଛି । କିନ୍ତୁ, ଗତ ଦୁଇ ଦିନର କାର୍ଯ୍ୟକଳାପକୁ ଦେଖିଲେ ମନେ ହୁଏ ଲୋକଙ୍କ ସ୍ଵରକୁ ବିଧାନସଭାରେ ରଖିବାକୁ ଚାହୁଁ ନାହାନ୍ତି। କିନ୍ତୁ ସବୁଠାରୁ ପରିତାପର ବିଷୟ ଯେ, ମାନ୍ୟବର ବିରୋଧି ଦଳର ନେତାଙ୍କ ସହିତ ବିଭିନ୍ନ ବିରୋଧି ଦଳର ସଦସ୍ୟମାନେ ମଧ୍ୟ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଚୁପ୍ଚାପ୍ କକ୍ଷ ତ୍ୟାଗ କରି ଚାଲିଗଲେ । କିନ୍ତୁ, ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ଆସିଲା ଯେ ମୁଖ୍ୟ ବିରୋଧିଦଳ କକ୍ଷତ୍ୟାଗ କରିବାକୁ ଚାହୁଁ ନ ଥିଲେ। କିନ୍ତୁ, ବିଧାନସଭାରେ କଂଗ୍ରେସ ଦଳର କକ୍ଷତ୍ୟାଗ ଦେଖି, କାଳେ ମୁଖ୍ୟ ବିରୋଧୀ ଦଳର ଛବି ତାଙ୍କୁ ଚାଲିଯିବ, ସେଥିପାଇଁ ଏକ ପ୍ରକାର ବାଧ୍ୟବାଧକତାରେ କକ୍ଷତ୍ୟାଗ କରିଥିଲେ। ସେମାନେ Convince ନ ଥିଲା ପରି ମନେ ହେଉଥିଲା। ଯଦି କଥା ଓ Body language ଭିତରେ ତାଳମେଳ ନ ରୁହେ, ତେବେ ତାହା ପଦାକୁ ଜଳ ଜଳ ହୋଇ ଦିଶେ, ଯାହାକି କାଲି ପ୍ରତୀୟମାନ ହେଉଥିଲା। ତେଣୁ ବିରୋଧି ଦଳର ଏହି ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ। ବିଧାନସଭାକୁ ହଟ୍ଟଗୋଳ କରି ବନ୍ଦ କରିଦେଲେ, ସାଧାରଣଲୋକଙ୍କ ଠାରୁ ମୁଖ୍ୟ ବିରୋଧିଦଳର ମାନ୍ୟତା ମିଳିଯିବ ନାହିଁ। ମୋତେ ଖବର ଆସିଥିଲା ଯେ ବିରୋଧୀଦଳର କିଛି ବରିଷ୍ଠ ନେତା ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଆଲୋଚନାରେ ଭାଗ ନେବାକୁ ନିଜ ନିଜ ଦଳପତିଙ୍କୁ ନିଜ ମନର ଭାବ ଜଣାଇଥିଲେ। ତାଙ୍କ, ପରାମର୍ଶ ଶୁଣିଥିଲେ, ହୁଏତ ଜନତା ଜନାର୍ଦ୍ଦନଙ୍କ ଆଖିରେ ଆପଣଙ୍କ ଏପରି ଦାୟିତ୍ତ୍ବହୀନତାର ଭାବ ଦେଖାଯାଇ ନ ଥାଆନ୍ତା। ଯାହାହେଉ, ଆପଣ ଏପରି ପନ୍ଥା ବାଛିଛନ୍ତି, ଜନତା ଜନାର୍ଦ୍ଦନ ଆପଣଙ୍କ ଆଚାର, ଉଚ୍ଚାରଣକୁ ବିଚାରକୁ ନେଇ ଆପଣଙ୍କ ଉପରେ ମତାମତ ଦେବେ।
ମାନ୍ୟବର ରାଜ୍ୟପାଳ ପବିତ୍ର ଗୃହରେ ଉପସ୍ଥାପନ କରିଥିବା ଅଭିଭାଷଣକୁ ମୁଁ କହିବି, ଏହା ଏକ ଦୂରଦୃଷ୍ଟିସମ୍ପନ୍ନ, ଜନକଲ୍ୟାଣକାରୀ, ପ୍ରଗତିଶୀଳ, ବିକାଶଉନ୍ମୁଖୀ ଏବଂ ସଂସ୍କାରମୂଳକ ଅଭିଭାଷଣ। ଏହି ଅଭିଭାଷଣରେ ଆମ ରାଜ୍ୟକୁ ଏକ ସମୃଦ୍ଧ, ଶକ୍ତିଶାଳୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଭିଜନକୁ ଦର୍ଶାଇଛନ୍ତି। ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଭାଷଣ ଆଗାମୀ ଦିନରେ ଆମ ରାଜ୍ୟ ପାଇଁ ଏକ ମାର୍ଗଦର୍ଶିକା ସଦୃଶ ହେବ। ଏଥିପାଇଁ ମୁଁ ମାନ୍ୟବର ରାଜ୍ୟପାଳଙ୍କ ଉଚ୍ଚ ପ୍ରଶଂସା କରୁଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିରୋଧୀ ଦଳଙ୍କ ମତାମତ ଉପସ୍ଥାପନ କରିବାର ବହୁ ଯଥାର୍ଥତା ଅଛି। କିନ୍ତୁ, ସେମାନେ ପାଟି ତୁଣ୍ଡ କରି ଚାଲିଗଲେ।ସେମାନଙ୍କର କେବଳ ଗୋଟିଏ ମିଶନ – ଭୋଟ ବ୍ୟାଙ୍କ ତିଆରି କରିବା। ଯେଉଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟର ମାନେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କଲେ, ସେଥିରୁ ସେମାନେ ଦୂରେଇ ଯାଉଛନ୍ତି। ବିକାଶ ନ କରି, ୨୪ ବର୍ଷ ଧରି ସେମାନେ ଏକଛତ୍ରବାଦି ଶାସନ ଚଳାଇ ଥିଲେ। ଜନ ସାଧାରଣ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡିଶାକୁ ‘ସମୃଦ୍ଧ ଓଡିଶା’ ଏବଂ ୨୦୪୭ ସୁଦ୍ଧା ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ର ଗ୍ରୋଥ ଇଞ୍ଜିନ ହେବା। କେବଳ ଘୋଷଣା ନୁହେଁ, ଏଥିପାଇଁ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ସହ ରୋଡ ମ୍ୟାପ୍ ବି ମାନ୍ୟବର ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତି ହାସଲ ଆମର ଲକ୍ଷ୍ୟ । ବର୍ଷକୁ ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୪୭ରେ ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ବହୁମୂଖୀ ଦାରିଦ୍ର୍ୟ ହାର ୫ ପ୍ରତିଶତକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମୋଟାମୋଟି ଭାବେ ଏକ ସମୃଦ୍ଧ, ସଶକ୍ତ ଓ ସମାବେଶୀ ଓଡ଼ିଶା ଗଠନର ଅଭିବ୍ୟକ୍ତି ପ୍ରକାଶ ପାଇଛି । ସମୃଦ୍ଧ ଓଡିଶାର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା। ଏହା କେବଳ ଏକ ପରିକଳ୍ପନା ନୁହେଁ, ଏହା କରଣୀୟ ଏବଂ ଆମେ କରିବୁ ମଧ୍ୟ। Yes, We Can. କାରଣ ଆମ ପାଇଁ ଓଡିଶାର ଜନସାଧାରଣ ହେଉଛନ୍ତି ‘ସର୍ବୋପରି’।
ଯେଉଁ ଚାଷୀଙ୍କୁ ନେଇ ବିରୋଧୀଦଳ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଏତେ ତୁମ୍ବି ତୋଫାନ କରିଛନ୍ତି, ମୁଁ ସେ ବିଷୟରେ ପ୍ରଥମେ ଉତ୍ତର ରଖିବି। ମୁଁ ପଳାୟନପନ୍ଥୀ ନୁହେଁ, ବିରୋଧି ଦଳ ଯାହା ପ୍ରଶ୍ନ ପଚାରିବେ, ମୁଁ ତାର ଉତ୍ତର ଦେବି । ଏ କଥା ଓଡିଶାର ଜନସାଧାରଣ ତଥା ଗଣମାଧ୍ୟମ ବି ଜାଣିଛନ୍ତି। ମୁଁ ସେଇ ରାଜନେତା ନୁହେଁ, କେବଳ ନିଜ ଘର କିମ୍ବା ସଚିବାଳୟର ପାହାଚରେ ଧାଡିକିଆ ଉତ୍ତର ଦିଏ। ଓଡିଶାବାସୀ ଦେଖିଛନ୍ତି ରାଜ୍ୟସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଁ ଏକ ଖୋଲା ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲି। ମୋର ମନେ ନାହିଁ ଏପରି ଏକ ଖୋଲା ମଞ୍ଚ କେବେ ଗଣମାଧ୍ୟମ ପାଇଥିଲା ନା ନାହିଁ, ତଥାକଥିତ ୨୪ ବର୍ଷ ଶାସନ କାଳରେ। କିନ୍ତୁ, ଓଡିଶା ବିଧାନସଭାରେ ଏକ ବିଚିତ୍ର ପରିସ୍ଥିତି। ସାଧାରଣଭାବେ ବିରୋଧୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି, ଶାସକ ଦଳ ସୁଯୋଗ ଖୋଜନ୍ତି, କିପରି ବିରୋଧିଦଳକୁ ଚଳାଇ ନ ଦେବେ। କିନ୍ତୁ, ଏଠି ତ ପରିସ୍ଥିତି ଓଲଟା। ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ, କିନ୍ତୁ, ବିରୋଧି ଛତ୍ରଭଙ୍ଗ ଦେଉଛନ୍ତି। କଂଗ୍ରେସ ଯେତେବେଳେ କକ୍ଷତ୍ୟାଗ କରୁଛି, ବିରୋଧୀ ବିଜୁ ଜନତା ଦଳ ସେତେବେଳେ କକ୍ଷତ୍ୟାଗ କରୁଛି। ଏହା ବଡ଼ ଆଶ୍ଚର୍ଯ୍ୟ କଥା। ମୀନ ଯେପରି ଜଳରୁ ବାହାରି ଛଟପଟ ହୁଏ, ଏମାନେ ସେପରି ହେଉଛନ୍ତି। ଧୈର୍ଯ୍ୟ ନାହିଁ। ବିରୋଧୀ ଦଳକୁ ମୋର ଅନୁରୋଧ, ଆପଣମାନେ ସମାଲୋଚନା କରନ୍ତୁ, ପ୍ରସ୍ତାବ ଦିଅନ୍ତୁ। ସରକାର ଆପଣଙ୍କ କଥା ଶୁଣିବେ। କନ୍ୟାଦାନ ଯୋଜନା ଆମେ ବଜେଟରେ ରଖିଥିଲୁ । ବଜେଟ ପାଇଁ ସାଧାରଣ ଲୋକଙ୍କ ପ୍ରସ୍ତାବ ନିଆଯାଇଥିଲା। ସେମାନଙ୍କ ପ୍ରସ୍ତବରୁ ହିଁ, ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ବିରୋଧୀ ଦଳର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ready, କିନ୍ତୁ ସେମାନେ ପ୍ରସ୍ତାବ ଦେବା ପାଇଁ ready ନାହାନ୍ତି।
ତାଙ୍କ ଅମଳରେ ଚାଷୀର ଆୟ କଥା ଟିକେ ଲୋକଙ୍କୁ ଜଣାଇ ଦେଇଥିଲେ ଭଲ ହୋଇ ଥାଆନ୍ତା। ସରକାରୀ ତଥ୍ୟ ଅନୁସାରେ ୨୪ ବର୍ଷର ସରକାରଙ୍କ ସମୟରେ ଓଡିଶାର ଚାଷୀଙ୍କ ଆୟ ସାରା ଭାରତରେ ଶେଷଆଡୁ ଥିଲା ଦ୍ଵିତୀୟ, ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୫ ଟଙ୍କା। ଏ କଥା ସେମାନେ ଭୁଲି ଯାଉଛନ୍ତି, ତେଣୁ ବାରମ୍ବାର ତାଙ୍କୁ ମନେ ପକାଇବାକୁ ପଡେ। ଯେଉଁମାନେ ଆଜି ସରକାରଙ୍କ ଇନ୍ପୁଟ ସବସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ବୋଧେ ଭୁଲି ଯାଉଛନ୍ତି, ସେମାନେ ବରଗଡର ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାପାଇଁ ଘୋଷଣା କରିଥିଲେ, ବୋଧେ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ। କିନ୍ତୁ, ହିନ୍ଦୀରେ ଗୋଟିଏ ଢଗ ଅଛି, ‘ରାତ ଗୟୀ, ବାତ୍ ଗୟୀ’। ‘ତମାସା ଖତମ, ପୈସା ହଜମ’ ନ୍ୟାୟରେ ପୁରା ଭୁଲିଗଲେ। କିନ୍ତୁ, ଆମେ ଭୁଲି ନ ଥିଲୁ। ଆମ ସରକାର ପ୍ରତିଶୃତି ଦେଇଥିବା ଇନ୍ପୁଟ ସବସିଡି ପ୍ରଦାନ ପାଇଁ ନିଷ୍ପତ୍ତି ଆମେ ମାତ୍ର ୨୪ ମିନିଟରେ ନେଇଥିଲୁ ଏବଂ ସେହି ସୋହେଲାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲୁ। ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାପାଇଁ ପ୍ରତିଶୃତି ଦେଇଥିଲୁ, ଆଜି ମଧ୍ୟ ସେତିକି ପ୍ରାପ୍ୟ ପ୍ରଦାନ କରୁଛୁ। ମୋର ଯାହା ମନେ ପଡୁଛି, ୨୪-ବର୍ଷିଆ ସରକାର ବିଧାନସଭାରେ ଧାନ କୁଇଣ୍ଟାଲ ପିଛା ପ୍ରାୟ ୨୯ ଶହ ଟଙ୍କାରେ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରି ଏକ ପ୍ରସ୍ତାବନା ପାରିତ କରିଥିଲେ। ଆମେ ଆଜି ଯେତେବେଳେ ତାଙ୍କ ଦାବି, ଆଶା ଆକାଂକ୍ଷାରୁ ବି ୨୦୦ ଟଙ୍କା ଅଧିକ ଦେଉଛୁ , ଆପଣମାନେ ତ ଖୁସି ହେବା କଥା, ଏତେ ପୀଡା କାହିଁକି ମୁଁ ବୁଝି ପାରୁନାହିଁ।
ଆଜି ଯେଉଁମାନେ ମଣ୍ଡି ଅବ୍ୟବସ୍ଥା କଥା କହୁଛନ୍ତି, ସେମାନେ ୨୪ ବର୍ଷରେ କେତେଟା ମଣ୍ଡିର ଉନ୍ନତ୍ତିକରଣ କରିଛନ୍ତି। ୨୪ ଟା ମଡେଲ ମଣ୍ଡି କରିଛନ୍ତି କି ? କେତେ ଷ୍ଟୋରେଜ ନିର୍ମାଣ କରିଛନ୍ତି। ଯଦି ଯଥେଷ୍ଟ ସଂଖ୍ୟାରେ ଗୋଦାମ ଗୃହ ନିର୍ମାଣ କରିଥାନ୍ତେ, ତେବେ ଆଜି ଏପରି ଅବସ୍ଥା ଉପୁଜି ନ ଥାଆନ୍ତା। ଏହା ଭିତ୍ତିଭୂମି କାର୍ଯ୍ୟ, ରାତାରାତି ହୋଇ ପାରିବ ନାହିଁ। ଯାହା ରାତାରାତି ହୋଇ ପାରିବ, ତାକୁ ତ ଆମେ କରିଦେଲୁ, ଯେପରିକି ସୁଭଦ୍ରା ଯୋଜନାରେ ଏକ କୋଟି ସୁଭଦ୍ରାଙ୍କୁ ୧୦ ହଜାର ଟଙ୍କା ଦେବା, ଚାଷୀଙ୍କୁ ଇନ୍ପୁଟ ସବସିଡି ଦେଇ ୩୧୦୦ ଟଙ୍କାରେ ଧାନ କିଣିବା, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜାନାରେ ୫ ହଜାର ଟଙ୍କା ପ୍ରଦାନ କରିବା, କନ୍ୟା ବିବାହ ଯୋଜନାରେ ଗରିବ କନ୍ୟାଙ୍କୁ ବିବାହ କରାଇବା, ଶ୍ରୀ ଜଗନ୍ନାଥ ଦର୍ଶନ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଜଗା ଦର୍ଶନ କରାଇବା ଇତ୍ୟାଦି। ତେଣୁ ଯଦି ଦେଖିବା, ଅନେକ ଯୋଜନା ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ତାହା ପୂରଣ କରିଛୁ। କିନ୍ତୁ, କୃଷି ଭିତ୍ତିଭୂମିକୁ ଯେଉଁପରି ଭାବେ ଗତ ସରକାର ସଂପୂର୍ଣ୍ଣ ଭାବେ ଅବହେଳା କରିଥିଲେ, ତାକୁ ନିର୍ମାଣ କରିବା ପାଇଁ ସମୟ ଲାଗିବ। ଏହା ଦୁଇ-ମିନିଟ ନୁଡୂଲ-ରାନ୍ଧିବା ପ୍ରକ୍ରିୟା ନୁହେଁ। ସାରା ରାଜ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ already ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି। ଏଥି ସହିତ ରାଜ୍ୟରେ storage ବୃଦ୍ଧି କରିବା ପାଇଁ ସରକାର ମନସ୍ଥ କରିଛନ୍ତି। ଆଗାମୀ ଦିନରେ ଚାଷୀ ଭାଇ ଓ ଭଉଣୀଙ୍କ ଷ୍ଟୋରେଜ କିମ୍ବା ଭିତ୍ତିଭୂମିକୁ ନେଇ ଆଉ ଆଭିଯୋଗ ରହିବ ନାହିଁ।
ଆମ ପାଇଁ ଚାଷୀ ଭାଇ ଓ ଭଉଣୀମାନେ ‘କୃଷକ’ ନୁହନ୍ତି, ସେମାନେ ଆମପାଇଁ ମାନନୀୟ ମୋଦୀ ଜୀଙ୍କ ଭାଷାରେ ‘ଅନ୍ନଦାତା’। ଅନ୍ନଦାତାଙ୍କ ସମ୍ମାନ କରିବା ଆମକୁ ଭଲଭାବେ ଜଣା। ତାଙ୍କ ପ୍ରତି ସମ୍ମାନ କେବଳ ଭାଷଣରେ ନୁହେଁ, ଆମେ କାର୍ଯ୍ୟରେ ବି ପରିଣତ କରି ଦେଖାଇଛୁ। ପୂର୍ବ ସରକାର ସମୟରେ, ବିଗତ ପଚିଶ ବର୍ଷ ମଧ୍ୟରେ 2022-23 ଖରିଫ ଋତୁରେ ସର୍ବାଧିକ 14.98 ଲକ୍ଷ ଚାଷୀଙ୍କ ଠାରୁ 65 ଲକ୍ଷ ମେଟ୍ରିକ ଟନ ଧାନ ସଂଗୃହୀତ କରାଯାଇ ₹13,323 କୋଟି ଟଙ୍କା ପ୍ରାପ୍ୟ ଆକାରରେ ପ୍ରଦାନ କରାଯାଇଥିଲା । 2024–25 ଖରିଫ ଋତୁରେ 16.60 ଲକ୍ଷରୁ ଉର୍ଦ୍ଧ ଚାଷୀଙ୍କ ଠାରୁ 73 ଲକ୍ଷ ମେଟ୍ରିକ ଟନରୁ ଉର୍ଦ୍ଧ ଧାନ ସଂଗ୍ରହ କରି MSP ସହିତ ରାଜ୍ୟ ସରକାରଙ୍କ ‘ସମୃଦ୍ଧ କୃଷକ ଯୋଜନା’ ଅଧୀନ ଅତିରିକ୍ତ ଇନପୁଟ ସହାୟତା ଯୋଗ କରି ପ୍ରତି କ୍ୱିଣ୍ଟାଲକୁ ₹3,100/- ଟଙ୍କା ହାରରେ ପାଖାପାଖି ₹23,000 କୋଟି ଟଙ୍କା ପ୍ରଦାନ କରାଯାଇ ରାଜ୍ୟ ଇତିହାସରେ ସର୍ବାଧିକ ସଫଳତା ଅର୍ଜନ କରିଥିଲା ଆମ ସରକାର । ଚଳିତ ଖରିଫ 2025-26 ଋତୁରେ ଅଦ୍ୟାବଧି ୧୩ ଲକ୍ଷ ୯୧ହଜାରରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ କରିଛନ୍ତି l ସରକାର ଏ ଯାବତ ପ୍ରାୟ ୫୯ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରି ସାରିଲେଣି। ଏହା ପ୍ରଶାସନିକ ଅନାଗ୍ରହର ପ୍ରତୀକ ନୁହେଁ; ବରଂ ସୁଦୃଢ଼, ପାରଦର୍ଶୀ ଓ ଚାଷୀକଲ୍ୟାଣ ସଂଗ୍ରହ ବ୍ୟବସ୍ଥାର ପ୍ରମାଣ। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଏହା ସରକାରଙ୍କ ଚାଷୀମାନଙ୍କ ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରମାଣ । ଏହା କେବଳ ଏକ ନୀତିର ପରିବର୍ତ୍ତନ ନୁହେଁ, ଏହା ମନୋଭାବର ପରିବର୍ତ୍ତନ। କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଧାନ ବିକ୍ରୟ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଟୋକନ ପ୍ରଦାନ କରାଯାଇଥିଲା।
ବର୍ତ୍ତମାନର ଧାନ କ୍ରୟ ସ୍ଥିତି ଅନୁଯାୟୀ, ବରଗଡ, ନୂଆପଡା, ସମ୍ବଲପୁର ଓ ସୁବର୍ଣ୍ଣପୁର ପରି ଅଧିକ କ୍ରୟକାରୀ ଜିଲ୍ଲାଗୁଡ଼ିକରେ ବଣ୍ଟନ କରାଯାଇଥିବା ଅତିରିକ୍ତ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତରୁ ଅଧିକ ଧାନ କ୍ରୟ କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି। ବିରୋଧୀ ଦଳଙ୍କୁ ମୁଁ ଅନୁରୋଧ କରିବି ସେମାନେ ଟିକେ ଯାଇ ତାଙ୍କ ସମୟରେ ଧାନ କିଣିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ କେତେ ରଖିଥିଲେ, ଏବଂ ତହିଁରୁ କେତେ ପ୍ରତିଶତ ଧାନ କିଣିବାରେ ସମର୍ଥ ହୋଇଥିଲେ, ତାର ଉତ୍ତର ରଖନ୍ତୁ। ତାର ରେକର୍ଡ ବାହାର କଲେ ନିଜକୁ ଲଜ୍ଜିତ ହେବାକୁ ପଡିବ। ମୁଁ ସେହି ତଥ୍ୟ ଦେଇ ଅଧିକ ଲଜ୍ଜିତ କରିବାକୁ ଚାହୁଁ ନାହିଁ। ପ୍ରକ୍ରିୟା ଚାଲୁ ଅଛି, ଏବଂ ଆମ ଲକ୍ଷ୍ୟ ସ୍ପଷ୍ଟ — ଜଣେବି ଅନ୍ନଦାତା ଧାନ ବିକ୍ରୟ ପ୍ରକ୍ରିୟl ରୁ ବଞ୍ଚିତ ହେବେ ନାହିଁ। “ଯାହା କହିଛୁ ସେଇଆ କରିଛୁ — ଏହାହିଁ ଆମ ଅଙ୍ଗୀକାର, ଏହାହିଁ ଆମର ପ୍ରତିବଦ୍ଧତା।” ମୋତେ ଖବର ମିଳୁଛି ଯେ ଅନେକ ସ୍ଥାନରେ ୨୪ ବର୍ଷୀଆ ସରକାରଙ୍କ ଇକୋ-ସିଷ୍ଟମ ଏବେବେ ସକ୍ରିୟ ଅଛି। ସେମାନଙ୍କୁ କହିବି ଯେ ସୁଧୁରି ଯାଅ, ଅନ୍ଯଥା ଅନ୍ନଦାତାଙ୍କୁ ହଇରାଣ କଲେ, ଫଳ ଭୋଗିବ। ଏହାକୁ ପରାମର୍ଶ କିମ୍ବା ଚେତାବନୀ, ଯାହା ଚାହିଁବେ ତାହା ମନେ କରି ସତର୍କ ହୋଇଯାଆନ୍ତୁ। ଚାଷୀକୁ ନ୍ୟାୟ ଦେବା ପାଇଁ ଆମ ସରକାର Action Mode ରେ ଅଛନ୍ତି।ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଭାବେ କହିଛନ୍ତି, ସବୁ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣା ହେବ। ନିଶ୍ଚୟ ହେବ।
ବିକାଶର ମୂଳ ସୋପାନ ହେଉଛି ଭିତ୍ତିଭୂମି। ଓଡ଼ିଶାକୁ ଏ କ୍ଷେତ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦୃଢ଼ ସମର୍ଥନ କରୁଛନ୍ତି । ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲୁ ରହିଥିବା ବେଳେ, ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ମଞ୍ଜୁର ହୋଇଛି । ରାଜ୍ୟ ସରକାର ମଧ୍ୟ ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ସଂକଳ୍ପ କରିଛନ୍ତି । ନୂଆ ଏୟାରପୋର୍ଟ, ହେଲିପୋର୍ଟ, ବନ୍ଦର ଆଦି ନିର୍ମାଣ କରାଯାଇ ଓଡ଼ିଶାକୁ ସଡ଼କପଥ, ରେଳପଥ, ଜଳପଥ ଓ ଆକାଶପଥ- ସବୁ ସମ୍ଭାବିତ ମାର୍ଗରେ ବିଶ୍ୱସ୍ତରୀୟ ଯୋଗାଯୋଗ ଦ୍ୱାରା ପୂର୍ବ ଭାରତର ଗେଟ୍-ୱେ କରିବା ପାଇଁ ଆମ ସରକାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଛନ୍ତି । କ୍ୟାପିଟାଲ ରିଜିଅନ ରିଂଗ ରୋଡ (CRRR), ଭୁବନେଶ୍ୱର କଟକ ପୁରୀ ପାରାଦୀପ ଇକୋନୋମିକ ରିଜିଅନ (BCPPER) ଜରିଆରେ ଏହି ଅଞ୍ଚଳକୁ ଦେଶର ଏକ ଗ୍ରୋଥ ହବ୍ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ମାନ୍ୟବର ରାଜ୍ୟପାଳ ରାଜ୍ୟର ଭିତ୍ତିଭୂମିର ରୂପରେଖକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଯୁବବର୍ଗ ହେଉଛନ୍ତି ଆମର ପ୍ରକୃତ ଶକ୍ତି । ଏହି ଶକ୍ତିକୁ ଉପଯୋଗ କରିବା ପାଇଁ ଆମର ଅନୁଭବ ହେଉଛି, ‘ସାର୍ଟିଫିକେଟ ନୁହେଁ, ସ୍କିଲ୍’ । ଅର୍ଥାତ୍, ଯୁବବର୍ଗଙ୍କୁ ଶିକ୍ଷା ନାମରେ କେବଳ ଡିଗ୍ରୀ ପ୍ରଦାନ କରାଯିବ ନାହିଁ । ଆମର ଫୋକସ୍ ହେଉଛି ସ୍କିଲ୍ । ସେମାନଙ୍କୁ ବିଶ୍ୱସ୍ତରୀୟ ସ୍କିଲ୍ରେ ଦକ୍ଷ କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ ।
ସେଥିପାଇଁ, ସିଙ୍ଗାପୁର ସରକାରଙ୍କ ସହିତ ପାର୍ଟନରସିପ୍, ୱାର୍ଲ୍ଡ ସ୍କିଲ୍ ସେଣ୍ଟର’ର ସମ୍ପ୍ରସାରଣ ପାଇଁ ପଦକ୍ଷେପ ନିଆଯାଇଛି । ଆଇଟିଆଇ ଗୁଡ଼ିକର ଆଧୁନିକିକରଣ କରାଯାଉଛି, ସେଠାରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଉଛି । ଆଧୁନିକ ଟେକ୍ନୋଲୋଜିରେ ଦକ୍ଷ କରିବା ପାଇଁ ସେମିକଣ୍ଡକ୍ଟର ପାର୍କ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାର୍କ, ବାୟୋଟେକ୍ନୋଲୋଜି ପାର୍କ ଆଦି ସ୍ଥାପନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ । ଟେକ୍ସଟାଇଲ ପାର୍କ ଜରିଆରେ ନିଯୁକ୍ତିର ଅବସର ସୃଷ୍ଟି କରାଯାଉଛି । ଶିକ୍ଷା ବ୍ୟବସ୍ଥାରେ ଏଣିକି ସ୍କିଲ୍ର ଗୁରୁତ୍ୱ ବୃଦ୍ଧି ପାଇବ । ଓଡ଼ିଶା ଏବେ କେବଳ ଦେଶ ନୁହେଁ, ସାରା ବିଶ୍ୱର ଶିଳ୍ପ ସଂସ୍ଥା ଓ ନିବେଶକ ମାନଙ୍କର ଆସ୍ଥାର ପାତ୍ର ହୋଇଛି । ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି । ତନ୍ମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ହୋଇ ସାରିଛି । ଏହାଦ୍ୱାରା ପ୍ରାୟ ୨ ଲକ୍ଷ ନିଯୁକ୍ତି ଆମେ ସୃଷ୍ଟି କରିସାରିଛୁ ।
ରାଜ୍ୟର ମୁଖ୍ୟ ସେବକ ଭାବରେ ମୁଁ ନିଜେ, ଏବଂ ମୋ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଓଡ଼ିଶାର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି । ଓଡ଼ିଶା ଭଳି ଗୋଟିଏ ରାଜ୍ୟରେ ମାତ୍ର ଦେଢ଼ ବର୍ଷ ମଧ୍ୟରେ ଏତେ ଟଙ୍କାର ପୁଞ୍ଜି ବିନିଯୋଗ ହେବା, ପୂର୍ବରୁ କେବେ ନଜିର ନାହିଁ । ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଏ ଚମତ୍କାର ହେଉଛି ଆମର ଡବଲ ଇଞ୍ଜିନ ସରକାର’ର ଇଚ୍ଛାଶକ୍ତି ଓ ଆମ ଅବିଶ୍ରାନ୍ତ ପରିଶ୍ରମର ସୁଫଳ । ମାନ୍ୟବର ବାଚସ୍ପତି ଦୁଃଖର ବିଷୟ ହେଉଛି, ବିରୋଧି ଦଳର ମାନ୍ୟବର ସଦସ୍ୟମାନେ ରାଜ୍ୟର ଗ୍ରୋଥ୍ ଷ୍ଟୋରୀକୁ ଦେଖିପାରୁନାହାନ୍ତି । ସେମାନଙ୍କ ଆଖି ଆଗରେ ଏକ ସମୃଦ୍ଧ ଓଡ଼ିଶା ସୃଷ୍ଟି ହେଉଛି । ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି । ଆଜିର ଯୁବ ସମାଜର ମାନସିକତାରେ ପରିବର୍ତ୍ତନ ଆସିଛି । ସେ ଏବେ ଦକ୍ଷ ହୋଇ ବିଶ୍ୱ ସ୍ତରରେ ନିଜର ପ୍ରତିଷ୍ଠା ହାସଲ କରିବା ପାଇଁ ସ୍ୱପ୍ନ ଦେଖୁଛି । ସେ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ, ବିରୋଧି ଦଳ ଏକ ‘ଜଡ଼ତା’ ଭିତରେ ରହିଯାଇଛି । The opposition is in a State of Inertia । ଏହାକୁ ଜନସାଧାରଣ ଗ୍ରହଣ କରିବେ ନାହିଁ ।
କେବଳ ଚାଷୀ ନୁହେଁ, ମହିଳାମାନଙ୍କ ସଶକ୍ତିକରଣ ପାଇଁ ମଧ୍ୟ ଆମ ସରକାର ଯେଉଁ ପଦକ୍ଷେପ ନେଇଛି, ତାହା ନିଶ୍ଚିତ ଭାବେ ପୂର୍ବରୁ କେହି କେବେ ଦେଖି ନାହାନ୍ତି । କୋଟିଏ ମା’ଙ୍କ ଆକାଉଣ୍ଟକୁ ବର୍ଷକୁ ୧୦ ହଜାର କୋଟି ଟଙ୍କା ଯାଉଛି। ବହୁତ ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର’ର ମା ମଧ୍ୟ ଅଛନ୍ତି । ସେମାନଙ୍କ ପାଖରେ ଯେତେବେଳେ ୧୦ ହଜାର ଟଙ୍କା ପହଞ୍ଚୁଛି, ସେମାନଙ୍କ ଆତ୍ମବିଶ୍ୱାସ କେତେ ବଢ଼ୁଛି, ତାହା ସେମାନେ ଜାଣନ୍ତି। ବିରୋଧୀ ଦଳ ଏହାକୁ ଦେଖି ପାରୁ ନାହାନ୍ତି। ସେମାନେ, କେବଳ ଅପପ୍ରଚାର କରିବେ, ନିନ୍ଦା କରିବେ । କିନ୍ତୁ, ଆମେ ଆମ କର୍ତ୍ତବ୍ୟ ପଥରୁ କେବେ ବିଚ୍ୟୁତ ହେବୁନାହୁଁ । ୧୭ ଲକ୍ଷ ଲକ୍ଷପତି ଦିଦି ହେଉଛନ୍ତି ଆମ ମହିଳା ସଶକ୍ତିକରଣର ଏକ ସୁଦୃଢ଼ ପରିଚୟ । ନିଜ ଯୋଗ୍ୟତା ବଳରେ, ସେମାନେ ଆଜି ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ମାର୍କେଟିଙ୍ଗ୍ ସପୋର୍ଟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ଆମେ ଆରମ୍ଭ କରିବୁ ସି-ମାର୍ଟ । ଓଡ଼ିଶାର ମା’ମାନେ ଧିରେ ଧିରେ ସଶକ୍ତ ହୋଇ ସମୃଦ୍ଧ ଓଡ଼ିଶା ଗଠନରେ ନିଜର ଉଲ୍ଲେଖନୀୟ ଭୂମିକା ରଖିବେ । ଆମ ପାଇଁ ରାଜ୍ୟର ମହିଳାମାନେ କେବଳ ପ୍ରଚାରର ମାଧ୍ୟମ ନୁହନ୍ତି, କେବଳ ମୁଖିଆଙ୍କ ଛବି ଚମକାଇବା ପାଇଁ ସଭା ସମିତିରେ ଚୌକି ପୂରଣ କରିବାର ମାଧ୍ୟମ ନୁହନ୍ତି। ଆମ ପାଇଁ ସେମାନେ ହେଉଛନ୍ତି ମାତୃଶକ୍ତିର ପ୍ରତୀକ। ମାତୃଶକ୍ତିର ସମ୍ମାନ ଦେବା କଥା ଯେତେବେଳେ ବି ଓଡିଶାରେ ଆଲୋଚନା ହେବ ଦେଶର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କ କଥା ସର୍ବାଗ୍ରେ ଆସିବ।
ଯଦି ଆମେ ସାମାନ୍ୟ ଅତୀତକୁ ଦେଖିବା, ତେବେ ଆମେ ଜାଣି ପାରିବା ଶାସନ ବ୍ୟବସ୍ଥା ଲୋକଙ୍କ ଠାରୁ କେତେ ପରିମାଣରେ ଦୂରେଇ ଯାଇଥିଲା । ଲୋକ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାଙ୍ଗି ଯାଇଥିଲା । କିନ୍ତୁ ଆମ ସରକାର ଲୋକଙ୍କ ସରକାର। ଲୋକଙ୍କ ସମସ୍ୟା ଆମେ ଜାଣିଛୁ, ଆମେ ବୁଝିଛୁ, ଆଉ ଅନୁଭବ ମଧ୍ୟ କରିଛୁ । ସରକାର ଗଠନ ପରେ ଲୋକଙ୍କ ସହିତ ସମ୍ପର୍କ ଜାରି ରହିଛି। ତେଣୁ, ଲୋକଙ୍କ ପ୍ରତ୍ୟେକ ସ୍ପନ୍ଦନ ସହିତ ଆମେ ଓତଃପ୍ରୋତ ଭାବେ ଜଡ଼ିତ । ସେଥିପାଇଁ ଆମେ ଲୋକଙ୍କ ସମସ୍ୟା ସମାଧାନ କରିପାରୁଛୁ । ଆମେ ସେମାନଙ୍କ ମଧ୍ୟରୁ ଜଣେ । ଆମ ସରକାର ପ୍ରଥମ ଦିନରୁ ହିଁ ପ୍ରଶାସନିକ ସଂସ୍କାର ଆଣିବା ପାଇଁ ଚେଷ୍ଟା କରି ଆସିଛି। ତଥାକଥିତ ୨୪ ବର୍ଷରେ ସରକାର କେମିତି ଚାଲୁଥିଲା, କିଏ ଚଲାଉଥିଲା, ନିଷ୍ପତ୍ତି କେମିତି ନିଆ ଯାଉଥିଲା, କ୍ଯାବିନେଟ କେମିତି ବସୁଥିଲା, କ୍ଯାବିନେଟରେ ଯେଉଁ ସବୁ ପ୍ରସ୍ତାବ ଆସୁଥିଲା ତାହା ସମ୍ପୃକ୍ତ ମନ୍ତ୍ରୀମାନେ କେତେବେଳେ ଜାଣୁଥିଲେ, ତାହା ସମସ୍ତେ ଜାଣିଛନ୍ତି। କିନ୍ତୁ, ଆମ ସରକାର ଆସିବା ପରେ ଶାସନ-ପ୍ରଶାସନରେ ପ୍ରକୃତ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଆଜି ଆମ ଶାସନ ‘ଅଧିକାରୀ-କୈନ୍ଦ୍ରିକ’ ନୁହେଁ, ‘ଜନପ୍ରତିନିଧି-କୈନ୍ଦ୍ରିକ’ ଓ ଜନ-କୈନ୍ଦ୍ରିକ । ଯଦି ଆଉ କିଛି ନୁହେଁ, ଶାସନ-ପ୍ରଶାସନରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା କରିଥିବାରୁ ମୁଖ୍ୟ ବିରୋଧିଦଳ ଆମ ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ। ମୁଁ ଜାଣିଛି, କହି ନ ପାରିଲେ ବି, ସେମାନେ ଏହାକୁ ସମର୍ଥନ କରୁଛନ୍ତି, କାରଣ ସେମାନେ ନିଜେ ମନ୍ତ୍ରୀ ଥିବା ବେଳେ ଅଣନିଶ୍ବାସୀ ହୋଇ ଯାଉଥିଲେ। ଏହି ଶାସନ-ପ୍ରଶାସନ ସଂସ୍କାରର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଜନଶୁଣାଣିର ଅପାର ସଫଳତା, ଦୁର୍ନୀତି ବିରୋଧରେ ଲଢେଇ ଏବଂ ଜନପ୍ରତିନିଧିଙ୍କ ସହିତ ବାର୍ତ୍ତାଳାପ।
ମୁଁ ମୁଖ୍ୟ ବିରୋଧୀଦଳର ସମସ୍ତ ମାନ୍ୟବର ବିଧାୟକ/ବିଧାୟିକା ମାନଙ୍କୁ କହିବାକୁ ଚାହେଁ, ଯେ ଆପଣମାନେ ନିଜ ଦଳର ମୁଖିଆଙ୍କୁ କେତେ ଥର, କି କେତେ ସହଜରେ ଭେଟି ପାରୁଛନ୍ତି, ମୁଁ ଜାଣେ ନାହିଁ। କିନ୍ତୁ ଏ ପବିତ୍ର ଗୃହର ପ୍ରତ୍ଯେକ ସଦସ୍ୟ, ସଦସ୍ୟାଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ଏହା ବି ଆପଣ ସମସ୍ତେ ଜାଣିଛନ୍ତି। କାରଣ ମୁଁ କଥାରେ ନୁହେଁ ବରଂ ରାଜନୈତିକ ଶାଳୀନତା, ଶିଷ୍ଟାଚାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ କିପରି କାର୍ଯ୍ୟରେ ପରିଣତ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେଇଥାଏ। ଏହା ଆମ ସମସ୍ତଙ୍କର ଆଚାର ଓ ଉଚ୍ଚାରଣରେ ପ୍ରତିଫଳିତ ହେଲେ ଜନସାଧାରଣ ଏହାର ସୁଫଳ ପାଇବେ। ଆମ ସରକାରଙ୍କ ସବୁ ଯୋଜନା ଓ କାର୍ଯ୍ୟକ୍ରମ ଲୋକମତ ଅନୁଯାୟୀ ପ୍ରସ୍ତୁତ କରାଯାଉଛି ଏବଂ ତାକୁ ଆମେ କାର୍ଯ୍ୟକାରୀ କରୁଛୁ । ଲୋକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ଦାୟିତ୍ୱ ମିଳିଛି, ଏବଂ ଆମେ ସେହି ଦାୟିତ୍ୱକୁ ହିଁ ତୁଲଉଛୁ । ମୁଁ ଏହି ଅବସରରେ ବିରୋଧି ଦଳର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଏହି ପବିତ୍ର ଗୃହକୁ ଆସନ୍ତୁ, ସମସ୍ତ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ, ପ୍ରଶ୍ନ ପଚାରନ୍ତୁ ଏବଂ ଉତ୍ତର ଦାବୀ କରନ୍ତୁ । ଜନସାଧାରଣ ଆମକୁ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ସେ ଦାୟିତ୍ୱ ନିର୍ବାହ କରିବା ଆମର ପ୍ରଥମ କର୍ତ୍ତବ୍ୟ । ପରିଶେଷରେ, ମୁଁ ମାନ୍ୟବର ରାଜ୍ୟପାଳଙ୍କୁ ତାଙ୍କର ବାସ୍ତବଧର୍ମୀ ଅଭିଭାଷଣ ପାଇଁ ଆନ୍ତରିକତାର ସହ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଏ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦସ୍ୟ ଓ ସଦସ୍ୟା ମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ମାର୍ଗଦର୍ଶନକୁ ପାଥେୟ କରି ଜନକଲ୍ୟାଣ ପାଇଁ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ କର୍ତ୍ତବ୍ୟପଥରେ ଆଗେଇ ଚାଲିବାକୁ ଅନୁରୋଧ କରୁଛି ଏବଂ ସମସ୍ତଙ୍କ ସହଯୋଗ କାମନା କରୁଛି ।










