ଭୁବନେଶ୍ୱର: ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ଓଡିଶା ସରକାର। ନକ୍ସଲମୁକ୍ତ ଭାରତ ପାଇଁ ରାଜ୍ୟ ସରକାରଙ୍କ ନୂଆ ରୋଡମ୍ୟାପ ପ୍ରସ୍ତୁତ ହେଉଛି । ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ । ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ନକ୍ସଲଙ୍କୁ ମିଳିବ ଥଇଥାନ ସୁବିଧା କରାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଥଇଥାନ ପ୍ୟାକେଜ ବା ପୁନର୍ବାସ ନୀତିରେ ନୂଆ ନିୟମ ରହିଛି । ଓଡିଶାରେ ସକ୍ରିୟ ଓ ବାହାର ନକ୍ସଲଙ୍କୁ ମିଳିବ ଯୋଜନାର ସୁବିଧା ମିଳିବ । ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କଲେ ସରକାର । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭାଙ୍କୁ ସର୍ବାଧିକ ୧.୧୦ କୋଟି ରହିଛି । ରାଜ୍ୟ କମିଟି ୫୫ ଲକ୍ଷ, ଆଞ୍ଚଳିକ କମିଟି ସଭ୍ୟ ୩୩ ଲକ୍ଷ ଟଙ୍କା ଧାର୍ଯ୍ୟ ରହିଛି । ୫ ଲକ୍ଷରୁ ଅଧିକ ପୁରସ୍କାର ଥିବା ନକ୍ସଲଙ୍କୁ ଅତିରିକ୍ତ ୧୦ ଲକ୍ଷ ଫିକ୍ସଡ ଡିପୋଜିଟ କରାଯିବ । ଅସ୍ତ୍ରଶସ୍ତ୍ର ସହ ଆତ୍ମ ସମର୍ପଣ କରୁଥିବା କ୍ୟାଡରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ରହିଛି । ଏଲଏମଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ ଓ ଏକେ- ୪୭ ପାଇଁ ୩.୩୦ ଲକ୍ଷ ଟଙ୍କା ରହିଛି । ଇନସାସ ବା ଏସଆଏଲଆର ରାଇଫଲ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଦିଆଯିବ । ଗୋଟିଏ ଗ୍ରେନେଡ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । କୌଣସି ଅସ୍ତ୍ରସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ସରକାର ରହିଛନ୍ତି ।










