ଭୁବନେଶ୍ୱର : ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି। ଓଡ଼ିଶା ସରକାରଙ୍କ ୧୩ ଟି ବିଭାଗରୁ ୧୦୦ରୁ ଉର୍ଦ୍ଧ୍ୱ ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। ଓଡ଼ିଆ ଲିଖନ କୌଶଳ, ଓଡ଼ିଆ ବାକ୍ୟ ଗଠନ, ଓଡ଼ିଆରେ ଚିଠା ଓ ଟିପ୍ପଣୀ ପ୍ରସ୍ତୁତ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଏବଂ ଓଡ଼ିଆ ଭାଷାରେ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦ ଚୟନ, ବନାନ ଶୁଦ୍ଧତା, ଇଂରାଜୀରୁ ଓଡ଼ିଆ ଅନୁବାଦ, କମ୍ପୁଟର ଓ ଓସ୍ୱାସ୍ରେ ଓଡ଼ିଆରେ ସରକାରୀ କାର୍ଯ୍ୟ ସମ୍ପାଦନ ଆଦିକୁ ନେଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଆଜି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ଡ଼. କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀ ସୁରେନ୍ଦ୍ର କୁମାର ଦାଶ ସରକାରୀ ଅଧିକାରୀମାନଙ୍କୁ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ଏବଂ ଓଡ଼ିଆ ଭାଷାରେ ଚିଠା ଓ ଟିପ୍ପଣୀ ପ୍ରସ୍ତୁତିକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।









