ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ବିଜେପି ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ସମସ୍ତ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ବିଜେପି ସରକାର କେବଳ ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ଏହିଭଳି ପଦକ୍ଷେପ ନେଇଛନ୍ତି ବୋଲି ବିଜୁ ଜନତା ଦଳ କହିଛି ।ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାରା ଦେଇ ଓ ରାଜ୍ୟବାସୀଙ୍କୁ ଅନେକ ମିଛ କହି ଓ ମିଛ ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲା । କିନ୍ତୁ କେବଳ ପ୍ରତିଶ୍ରୁତି ରକ୍ଷା କରିବାରେ ନୁହେଁ ବରଂ ସୁଶାସନ ଦେବାରେ ରାଜ୍ୟ ବିଜେପି ସରକାର ଗତ ୧୯ ମାସରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ନାରୀ ସୁରକ୍ଷା ସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ଧାନ କିଣାରେ ରାଜ୍ୟର ଚାଷୀ ମାନଙ୍କୁ ନ୍ୟାୟ ନମିଳିବାରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ନିଯୁକ୍ତି ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳୁଛି । ଗତ ୧୯ ମାସରେ ୨୦ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି, ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷା ଗୁଡିକ ବାତିଲ କରାଯାଇଛି । ପୋଲିସ ଏସ୍ଆଇ ନିଯୁକ୍ତି ବେଳେ କିଭଳି ଭାବେ ଚାକିରି ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିଲା, ତାହା ରାଜ୍ୟବାସୀ ଦେଖିଛନ୍ତି । ସରକାରଙ୍କ ଅପାରଗତା ପ୍ରସଙ୍ଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ସରକାରଙ୍କ ତୋଗଲକି ନିଷ୍ପତ୍ତି ଏବେ ରାଜ୍ୟବାସୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ରାଜ୍ୟ ସରକାର ନିଜ ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥର ୪୦ ପ୍ରତିଶତ ଏବେ ସୁଦ୍ଧା ଖର୍ଚ୍ଚ କରିପାରିଛନ୍ତି, ଯାହା ସରକାରଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ । ସର୍ବୋପରି ଗତ ୧୯ ମାସରେ ରାଜ୍ୟର ବିକାଶ ଠପ ହୋଇଛି ।ଡ଼ ମହାନ୍ତି ଆହୁରି କହିଛନ୍ତି, ରାଜ୍ୟ ବିଜେପି ସରକାରର କାର୍ଯ୍ୟ କେବଳ ନାମ ପରିବର୍ତ୍ତନ ରଙ୍ଗ ପରିବର୍ତ୍ତନରେ ସୀମିତ ହୋଇ ରହିଯାଇଛି । କ୍ଷମତାକୁ ଆସିବା ପରେ, ନବୀନଙ୍କ ସମୟରେ ଚାଲିଥିବା ଲୋକପ୍ରିୟ ଯୋଜନା ଗୁଡିକର ନାମ ପରିବର୍ତ୍ତନ କରିଥିଲେ । ସରକାରଙ୍କ ସେହି ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ଧାରା ଏବେ ବି ଜାରି ରହିଛି । କୌଣସି ଯୋଜନାର ବା ସ୍ଥାନର ନାମ ପରିବର୍ତ୍ତନ ବା ବନାନ ପରିବର୍ତ୍ତନ କରିବାରେ କିଛି ଅସୁବିଧା ନାହିଁ, କିନ୍ତୁ ଏହା ସରକାରଙ୍କ ପ୍ରାଥମିକତା ନହେଉ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀଙ୍କୁ ସୁରକ୍ଷା ପ୍ରଦାନ, ଚାଷୀଙ୍କୁ ନ୍ୟାୟ ପ୍ରଦାନ, ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟର ସାମୁହିକ ବିକାଶ ଇତ୍ୟାଦି ପ୍ରସଙ୍ଗ ସରକାରଙ୍କ ପ୍ରାଥମିକତା ହେଉ । ରାଜ୍ୟ ବିଜେପି ସରକାର ଏସବୁ ପ୍ରତି ଧ୍ୟାନ ନଦେଲେ, ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।










