ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ମୁମ୍ବାଇ- ପୁଣେ ଏକ୍ସପ୍ରେସ ୱେରେ ଲମ୍ବା ଜାମ ଦେଖିବାକୁ ମିଳିଛି । ଫସି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଲୋକେ । କିଲୋମିଟର କିଲୋମିଟର ଯାଏଁ ଲମ୍ବିଛି ଲମ୍ବାଧାଡି । ଟ୍ରାଫିକରୁ ବର୍ତ୍ତିବା ପାଇଁ ହେଲିକପ୍ଟର ସହାୟତା ନେଇଛନ୍ତି ବିଶିଷ୍ଟ ଶିଳ୍ପପତି । ମଙ୍ଗଳବାର ଅପରାହ୍ଣରେ ଏହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । କୁହାଯାଉଛି ଯେ ଆଦେଶୀ ଟନେଲ ନିକଟରେ ପ୍ରୋପଲିନ ବୋଝେଇ ଟ୍ୟାଙ୍କର ଓଲଟି ପଡିବାରୁ ଏଭଳି ସ୍ଥିତି ଉପୁଜିଛି । ଗ୍ୟାସ ଟ୍ୟାଙ୍କରକୁ ହଟାଯାଇଥିଲେ ମଧ୍ୟ ଟ୍ରାଫିକ ଜାମ ଲାଗି ରହିଥିଲା । ସୁରକ୍ଷା ଚିନ୍ତା ଯୋଗୁଁ ମୁମ୍ବାଇ ଏବଂ ପୁଣେ ଉଭୟେ ଦିଗରେ କିଛି ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା । ଯାହା ଦ୍ୱାରା ଲମ୍ବା ଟ୍ରାଫିକ ଜାମ ହୋଇଥିଲା । ଯାତ୍ରୀମାନେ ସମ୍ପୁର୍ଣ୍ଣ ମଙ୍ଗଳବାର ରାତି ଓ ବୁଧବାରର ଅଧିକାଂଶ ସମୟ ଅସହାୟ ହୋଇପଡିଥିଲେ । ବୁଧବାର ରାତି ପାଖାପାଖି ୧୦ଟା ୩୦ରେ କ୍ଷତିଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ ନୂଆ ଟ୍ୟାଙ୍କରକୁ ସ୍ତାନାନ୍ତର କରାଯାଇଥିଲା ବୋଲି ହାଇୱେ ପୋଲିସ କହିଛନ୍ତି । ମଧ୍ୟରାତ୍ରିରେ କ୍ରେନ ଦ୍ୱାରା କ୍ଷତିଗ୍ରସ୍ତ ଯାନ ହଟାଇବା ପରେ ମୁମ୍ବାଇ ମୁହଁ କରିଦେଇ ବାଟ ବୁଧବାର ରାତି ଗୋଟାଏ ପରେ ଖୋଲାଯାଇଛି । ଅଟକିଥିବା ଯାତ୍ରୀଙ୍କ ମଧ୍ୟରେ ଶିଶୁ , ବୟସ୍କ, ନାଗରିକ ଏବଂ ଚିକିତ୍ସା ପାଇଁ ମୁମ୍ବାଇ ଯାଉଥିବା ରୋଗୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ଏଭଳି ଟ୍ରାଫିକ ଅସୁବିଧା ଦେଖି ଶିଳ୍ପପତି ଶ୍ରୁତିର ମେହେରା ହେଲିକପ୍ଟର ଯୋଗେ ମୁମ୍ବାଇ – ପୁଣେ ଏକ୍ସପ୍ରେସରେ ଟ୍ରାଫିକ ଜାମରୁ ରକ୍ଷା ପାଇଛନ୍ତି ।ତେବେ ଏନେଇ ଲୋକଙ୍କ ମନ ପ୍ରଶ୍ନ ଯେ ଟ୍ରାଫିକ୍ ପରିଚାଳନା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦିନକୁ ଦିନ ଖରାପ ହେଉଛି। ଏହା କେବଳ ସମୟ ନୁହେଁ ଜୀବନ ମଧ୍ୟ ନଷ୍ଟ କରୁଛି। ଏହି ସମ୍ପୂର୍ଣ୍ଣ ଅବ୍ୟବସ୍ଥା ପାଇଁ କିଏ ଦାୟୀ ରହିବ?










