ଭୁବନେଶ୍ୱର: ରାଜ୍ୟର ଉନ୍ନୟନ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ଓ ନିର୍ଦ୍ଧାରିତ ବ୍ୟୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ପିଏମ୍ ଜନ୍ ମନ୍, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟାନ୍ୟ ଯୋଜନା ବିଷୟରେ ସବିସ୍ତୃତ ସମୀକ୍ଷା କରାଯାଇଥିଲା । ଉପସ୍ଥିତ ଅଧିକାରୀମାନେ ନିର୍ମାଣଧିନ ଥିବା ସମସ୍ତ ପ୍ରକଳ୍ପର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକ ବିଷୟରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କୁ ଅବଗତ କରାଇଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସମସ୍ତ ପ୍ରକଳ୍ପର କାର୍ଯ୍ୟଗତିକୁ ତ୍ବରାନ୍ୱିତ କରିବା ଏବଂ ସମସ୍ତ ପରିକଳ୍ପିତ ବ୍ୟୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହିତ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ କମିଶନର ତଥା ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ପ୍ରକଳ୍ପଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ କାର୍ଯ୍ୟପରିକଳ୍ପନା ଓ କୌଶଳଗତ ରଣନୀତି ଉପସ୍ଥାପନ କରିଥିଲେ। ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ (ଭା. ପ୍ର. ସେ) ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ, ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସର୍ବେଶ୍ଵର ସିଂହ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ , ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଣାପାଣୀ ନାୟକ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ଵତନ୍ତ୍ର ସଚିବ ଶ୍ରୀ ଶ୍ରୀଧର ନାୟକ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।










