ଯାଜପୁର: ଯାଜପୁର ଡିଷ୍ଟ୍ରିକ୍ଟ ଆର୍ଟିଷ୍ଟ ୱେଲ୍ଫେୟାର ଆସୋସିଏସନ୍ ଦ୍ୱାରା ଆୟୋଜିତ ମା’ବିରଜା ମହୋତ୍ସବ -୨୦୨୬କୁ ଯାଜପୁରର ମାନ୍ୟବର ସାଂସଦ ଡଃ ରବିନ୍ଦ୍ରନାରାୟଣ ବେହେରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମା’ବିରଜାଙ୍କ ଫଟୋରେ ମାଲ୍ୟାର୍ପଣ କରି ଶୁଭ-ଉଦ୍ଘାଟନ କରିଥିଲେ । ଯାଜପୁରର ସୁନାମଧନ୍ୟ ପଣ୍ଡିତ ଭୂପତିଭୂଷଣ ମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ହରିହର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ସମାଜସେବୀ ହୃଷିକେଶ ପତି ସ୍ତୋତ୍ରପାଠ କରିଥିଲେ । ସମ୍ପାଦକ ଡଃ କୈଳାସ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଉଦ୍ଘାଟକ ଭାବେ ମାନ୍ୟବର ସାଂସଦ ଡଃ ବେହେରା ଯୋଗଦେଇ ମା’ବିରଜା ହେଉଛନ୍ତି ସମଗ୍ର ମାନବ ଜାତିର କଲ୍ୟାଣମୟୀ ଓ ସର୍ବମଙ୍ଗଳଦାତ୍ରୀ । ସ୍ୱନକ୍ଷତ୍ର ଦିବସରେ ସାବ୍ରିତୀ ବେଶରେ ସେ ସମସ୍ତ ଭକ୍ତମାନଙ୍କର ମନସ୍କାମନା ପୁର୍ଣ୍ଣ କରିବା ସହିତ ଆଗାମୀ ଦିନରେ ବିରଜାକ୍ଷେତ୍ରକୁ ରେଳ ସଂଯୋଗ ହେବା ସଂଗେ ସଂଗେ ବିରଜା ପରକ୍ରମା ପ୍ରକଳ୍ପକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗୌତମ ରାୟ ଯୋଗଦେଇ ଭାରତବର୍ଷର ୫୧ ଗୋଟି ଶକ୍ତିପୀଠ ମାନଙ୍କର ଯାଜପୁରର ବିରଜାକ୍ଷେତ୍ର ଅନନ୍ୟ ଓ ସର୍ବପ୍ରାଚୀନ ବୋଲି ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏହାକୁ କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଂଗୀତ ଓ ଚାରୁକଳା ପ୍ରଭୃତି କ୍ଷେତ୍ରରେ ଆହୁରି ଉନ୍ନତ ଓ ସମୃଦ୍ଧ କରାଯିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ମା’ବିରଜାଙ୍କ ମନ୍ଦିର ବ୍ରହ୍ମାକୁଣ୍ଡ, ଦଶାଶ୍ୱମେଧ ଘାଟ, ବୈତରଣୀ ନଦୀର ଗରିମାମୟ ଐତିହ୍ୟର ପୁନର୍ବିନ୍ୟାସ ପାଇଁ ସମସ୍ତେ ମିଳିମିଶି କାମ କରିବା ନିମନ୍ତେ ସେ ଆହ୍ୱାନ ନେଇଥିଲେ । ମୁଖ୍ୟ ବକ୍ତାଭାବେ ଯାଜପୁର ଭୂ-ଲେଖ ଓ ବନ୍ଦୋବସ୍ତ, ଅତରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଳିକ ଯୋଗଦେଇ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ମା’ଙ୍କ ମୁଖ ଦର୍ଶନ କଲେ ଅତ୍ୟନ୍ତ ପୁଣ୍ୟଲାଭ ହୁଏ ବୋଲି ପ୍ରକାଶ କରିବା ସହିତ କଳାକାର ଓ କଳାର ବିକାଶ ନିମନ୍ତେ ଯାଜପୁରର ସମସ୍ତ ନେତୃବୃନ୍ଦ ସକାରାତ୍ମକ ଉଦ୍ୟମ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥିଭାବେ ଯାଜପୁରର ଉପ-ଜିଲ୍ଲପାଳ ତାପସ ରଂଜନ ଦେହୁରୀ, ଯାଜପୁର ରୋଡ଼ ଡି.ଏସ୍.ପି. ଶରତ ପାତ୍ର, ଚଳଚ୍ଚିତ୍ର ଅଭିନେତା ଅଭିନବ ସିଂହ, ହୃଦ୍ରୋଗ ବିଶେଷଜ୍ଞ ଦୀପକ କୁମାର ପାଢ଼ୀ, ନିର୍ଦ୍ଦେଶକ ନୃସିଂହ ନନ୍ଦ ପ୍ରମୁଖ ଯୋଗଦେଇ ଉତ୍ସବର ଭୂୟସୀ ପ୍ରଶଂସା କରିଥିଲେ । ଡି.ଏସ୍.ପି. ଶରତ ପାତ୍ରଙ୍କ ରଚିତ, ସଂଗୀତଜ୍ଞ ଦିନେଶ୍ ମଲ୍ଲିକଙ୍କ ସ୍ୱର ସଂଯୋଜନା ଓ ଡଃ ସୁବାସ ପାଣିଙ୍କ କଣ୍ଠଦାନରେ “ମା’ବିରଜା” କ୍ୟାସେଟ୍ ଏବଂ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ ସୁଶ୍ରୀ ଅଭିଲିପ୍ସା ମିଶ୍ରଙ୍କ କଣ୍ଠଦାନରେ ପ୍ରସ୍ତୁତ “ବିରଜା ସ୍ତୋତ୍ରମ” କ୍ୟାସେଟ୍ ଓ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ସଂସ୍କୃତବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସମ୍ପାଦିତ ଯଜ୍ଞପ୍ରଭାକୁ ମା’ଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ଅତିଥିମାନେ ଲୋକାର୍ପଣ କରିଥିଲେ । କୁଆଖିଆର ସରସ୍ୱତୀ କଳାନିକେତ, ଦେବେଶ୍ୱର କଳାପରିଷଦ, ରିଟ୍ ଇଣ୍ଟରନେସନାଲ୍ ସ୍କୁଲ, ନଟରାଜ କଳାପରିଷଦ, ମା’ମଙ୍ଗଳା ଡ୍ୟାନ୍ସ ଏକାଡେମୀ, ବିଣାପାଣୀ କଳାପରିଷଦ, ଗୋପବନ୍ଧୁ କଳାପରିଷଦ ପକ୍ଷରୁ କୁନିକୁନି ପିଲାମନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ସମାଜସେବୀ ଡି.ଏସ୍.ପି ଶରତ ପାତ୍ର, ଡଃ ସୁବାସ ପାଣି, ସ୍ମୃତିରଂଜିତା କର, ଅଭିଲିପ୍ସା ମିଶ୍ର, ରାଷ୍ଟ୍ରୀୟ ବଜରଙ୍ଗଦଳ ପ୍ରାନ୍ତିୟ ସମ୍ପାଦକ ଅରବିନ୍ଦ ଦାସ, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଶାଖା ସମ୍ପାଦକ ପବିତ୍ର ମହାନ୍ତି, ବିରଜା ମୁକ୍ତି ମଣ୍ଡପ ସଭାପତି ଦେବୀପ୍ରସାଦ ପାଣି, ଯାଜପୁର ସଦର ଥାନାଧିକାରିଣୀ ଚିନ୍ମୟୀ ବେହେରା, ସଂଗୀତଜ୍ଞ ଦିନେଶ ମଲ୍ଲିକ, ସମାଜସେବୀ ଅଭିଜିତ୍ ଦୀକ୍ଷିତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କଳାକାର ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ମୃତିରଂଜନ ଓଝା, ଭରତ ନାୟକ, ରାଜଲକ୍ଷ୍ମୀ, ସନ୍ତୋଷିନୀ, ସନ୍ତୋଷ କୁମାର ମିଶ୍ର, ସଂଜୟ କର, ସରୋଜ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ । କଳିଙ୍ଗଭାରତୀର ମୋନାଲିସା, ଅର୍ଚ୍ଚିତା, ସୁଚିସ୍ମିତା, ସ୍ନେହାସୁଧା, ତେଜସ୍ୱନୀ ପ୍ରମୁଖ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ । ଅର୍ଚ୍ଚିତା ସାହୁ ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ । ୟୁନିୟନ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଏମ୍.ସି.ଏଲ୍, ନାଲ୍କୋ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉତ୍ସବରେ ପୃଷ୍ଠପୋଷକତା କରିଥିଲେ । ଶେଷରେ ପ୍ରଦୀପ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।










