29.1 C
Bhubaneswar
Monday, January 19, 2026
Homeଓଡିଶାରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନାରେ ଦର୍ଶକ ବିମୋହିତ

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନାରେ ଦର୍ଶକ ବିମୋହିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୬ ଆଜି ଉଦ୍‌ଯାପିତ ହୋଇଛି। ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ଗୁରୁ ବିଶ୍ୱ ରଞ୍ଜନ ନନ୍ଦ ଏବଂ ସାଥୀକଳାକାର ମାନେ ତବଲା ଓ ମର୍ଦ୍ଦଳ ବାଦନର ଏକ ଯୁଗଳବନ୍ଦୀ ଦର୍ଶକମାନଙ୍କ ସମ୍ମୁଖରେ ପରିବେଷଣ କରିଥିଲେ। ଗୁରୁ ବିଶ୍ୱ ରଞ୍ଜନ ନନ୍ଦଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁ ବିଜୟ କୁମାର ଦାସ, ମର୍ଦ୍ଦଳରେ ଗୁରୁ ବୁଦ୍ଧନାଥ ସ୍ୱାଇଁ, ଗୁରୁ ଅରୁପ ଦାସ, ବେହେଲାରେ ଗୁରୁ ପ୍ରଶାନ୍ତ କୁମାର ଏବଂ ବଂଶୀ ବାଦନରେ ସହଯୋଗ କରିଥିଲେ ଗୁରୁ ଶ୍ରୀ ନିବାସ ଶତପଥୀ।

ଏହାପରେ ପଣ୍ଡିତ ଉଲ୍ଲାସ କଶଲକର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ତବଲାରେ ସହଯୋଗ କରିଥିଲେ ପଣ୍ଡିତ ସୁରେଶ ତଲୱାଲକର ଏବଂ ହାରମୋନିୟମରେ ଶ୍ରୀ ଅମେୟ ବିଚୁ। ପଣ୍ଡିତ ଉଲ୍ଲାସ କଶଲକରଙ୍କ ସୁଲଳିତ କଣ୍ଠ ଓ ସୁନ୍ଦର ରାଗ ବିସ୍ତାର ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଆଜିର ଉଦ୍‍ଯାପନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପ୍ରଫେସର ରାମହରି ଦାସ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ରାଜାରାଣୀ ସଙ୍ଗୀତ ଉତ୍ସବ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ରାଜାରାଣୀ ସଙ୍ଗୀତ ଉତ୍ସବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ସଙ୍ଗୀତଜ୍ଞମାନେ ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରିଥିଲେ। ପୁରୀ ଜିଲ୍ଲାର ଗୁରୁ ଅଚ୍ୟୁତ ମହାରଣା ଓ ଗ୍ରୁପ “ଓଡ଼ିଶୀ ସଙ୍ଗୀତ”, ପଦ୍ମଶ୍ରୀ ପଣ୍ଡିତ ସୁରେଶ ତଲୱାଲକର ଓ ଗ୍ରୁପ “ତାଳ କୀର୍ତ୍ତନ”, ଡ଼. ସୁମିତ୍ରା ବାସୁଦେବ “କର୍ଣ୍ଣାଟକୀ ସଙ୍ଗୀତ”, ପଣ୍ଡିତ ଉଲ୍ଲାସ କଶଲକର “ହିନ୍ଦୁସ୍ତାନୀ ସଙ୍ଗୀତ”, ଗୁରୁ ବିଶ୍ୱ ରଞ୍ଜନ ନନ୍ଦ ଓ ଗ୍ରୁପ “ତବଲା ଓ ମର୍ଦ୍ଦଳ ଯୁଗଳବନ୍ଦୀ” ଏବଂ ପଣ୍ଡିତ ଅଭୟ ରୁସ୍ତୁମ୍ ସୋପୋରି “ବାଦ୍ୟ ସଂଗୀତ” ପରିବେଷଣ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ସହ ଚଳିତ ବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା “ଶାସ୍ତ୍ରୀୟ ସଙ୍ଗୀତ ସେଲ୍ଫି ପଏଣ୍ଟ”। “ଶାସ୍ତ୍ରୀୟ ସଙ୍ଗୀତ ସେଲ୍ଫି ପଏଣ୍ଟ”ରେ ବିଦେଶୀ ଦର୍ଶକ ଓ ଯୁବପିଢ଼ିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ହେଉଥିବା ବାଦ୍ୟ ସମୂହକୁ ଖୁବ୍ ସୁନ୍ଦର ଭାବେ ସେଲ୍ଫି ପଏଣ୍ଟରେ ପ୍ରଦର୍ଶିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking