ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ବଡ଼ଦିନ ଅବସରରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଡାଙ୍ଗମାଳ ମୁଖ୍ୟ ଗେଟ୍ଦେଇ ୭୯୧ଜଣ ପର୍ଯ୍ୟଟକ ପ୍ରବେଶ କରି ବୁଲିବାର ମଜା ନେଇଥିଲେ। ଖୋଳାରୁ ୯୫ ଟ୍ରିପ୍ ବୋଟରେ ୧୧୦୬ ଜଣ ପର୍ଯ୍ୟଟକ ଚାନ୍ଦବାଲିରୁ ୧୯ଟ୍ରିପ୍ ବୋଟରେ ୨୯୦ ପର୍ଯ୍ୟଟକ ଓ ଗୁପ୍ତିରୁ ୨୩ଟ୍ରିପ୍ ବୋଟ୍ରେ ୨୯୩ ଜଣଙ୍କୁ ମିଶାଇ ମୋଟ୨୪୮୦ ପର୍ଯ୍ୟଟକ ଭିତରକନିକା ନଦୀରେ ବୁଲି ବୋଟିଂର ମଜା ନେଇଥିଲେ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପର୍ଯ୍ୟଟକମାନେ ବୋଟରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର, ହରିଣ ପଲ ଓ ବିଭିନ୍ନ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆନମନା କରିଥିଲା। ଭିତରକନିକା ସେଲଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନେ ଭିଡ ଜମାଇଥିଲେ। ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲୀ ରହୁଥିବା ପୋଖରୀ ନିକଟରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା । ସ୍କାଏୱାକରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସଂଗ୍ରହ କରିଥିଲେ। ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖିବା ପାଇଁ ଗହଳି ଲାଗିଥିଲା।










